କନ୍ଧମାଳ : ବୁଢାଦାନୀ ଓ ତୁଡ଼ିପାଜୁ ଲୋକଙ୍କ ଭରସା ଅସ୍ଥାୟୀ ବାଉଁଶ ପୋଲ୍

କନ୍ଧମାଳ : ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ବୁଢ଼ାଦାନି ଓ ତୁଡ଼ିପାଜୁ ମଧ୍ୟରେ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି କରିଛି ବଡ଼ସାଲୁଙ୍କି ନଦୀ। ପୋଲ୍ ନିର୍ମାଣ ପାଇଁ ଦାବି ହେଉଛି କିନ୍ତୁ କେହି ଶୁଣୁ ନାହାନ୍ତି। ଖରାଦିନେ ଏଠାରେ ନିର୍ମିତ ଏକ ଅସ୍ଥାୟୀ ବାଉଁଶ ପୋଲ୍ ଦେଇ ଉଭୟ ଗ୍ରାମର ଲୋକେ ନଦୀ ପାର ହେଉଛନ୍ତି। ବର୍ଷାଦିନେ ବାଉଁଶ ପୋଲ୍ଟି ପାଣିରେ ବୁଡ଼ିଯିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ।
ଖବର ଅନୁଯାୟୀ ବୁଢ଼ାଦାନି ଓ ଏହାର ଆଖପାଖ ଗ୍ରାମର ଲୋକେ ଏହି ବାଉଁଶ ପୋଲ ଦେଇ ଫୁଲବାଣୀ ସହରକୁ ଆସିଥାନ୍ତି। ବିପଦ ଥିଲେ ମଧ୍ୟ ବାଉଁଶ ପୋଲ୍ ଦେଇ ମୋଟର ସାଇକେଲ୍ ପାର କରାଇବାକୁ ବାଧ୍ୟ। କାରଣ ବିକଳ୍ପ ରାସ୍ତା ନାହିଁ। କିନ୍ତୁ ବର୍ଷାଦିନେ ଏ ସୁବିଧା ମିଳେନି। ବାଉଁଶ ପୋଲ୍ଟି ପାଣିରେ ବୁଡ଼ିଗଲେ ଉଭୟ ଗ୍ରାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। ଗ୍ରାମର ଲୋକମାନଙ୍କୁ ଫୁଲବାଣୀ ସହରକୁ ଯିବାକୁ ପାଇଁ ଅଧିକ ୧୦ କିମି ରାସ୍ତା ବୁଲିବାକୁ ପଡେ।
ବୁଢ଼ାଦାନି-ତୁଡ଼ିପାଜୁ ମଧ୍ୟରେ ସ୍ଥାୟୀ ପୋଲ ନିର୍ମାଣ ହେଲେ ଉଭୟ ଗ୍ରାମର ଲୋକଙ୍କ ସମସ୍ୟା ଦୂର ହୁଅନ୍ତା। ହେଲେ ଏନେଇ କେହି ଚିନ୍ତା କରୁନାହାନ୍ତି। ପୋଲ୍ ନିର୍ମାଣ ନେଇ ବୁଢ଼ାଦାନି-ତୁଡ଼ିପାଜୁ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ଜିଲ୍ଲା ପ୍ରଶାସନ, ରାଜନେତା, ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିସାରିଲେଣି ହେଁ କାହାରି ନଜର ପଡୁନି। ତଥାପି ଲୋକେ ଦାବି କରିଛନ୍ତି ବୁଢ଼ାଦାନିରେ ବଡ଼ସାଲୁଙ୍କି ନଦୀରେ ଏକ ସ୍ଥାୟୀ ପୋଲ ନିର୍ମାଣ କରାଯାଉ। ନଚେତ ଏହି ସମସ୍ୟାକୁ ନେଇ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟହେବେ ବୋଲି ବୁଢ଼ାଦାନି ଗ୍ରାମର ପୂର୍ବତନ ସରପଞ୍ଚ ପଞ୍ଚାନନ କହଁରଙ୍କ ସମେତ ଅବନୀ କହଁର, ବିଶ୍ଵବିହାରୀ କହଁର, ଦୁର୍ଗାମାଧବ କହଁର, ସମିତି ସଭ୍ୟ ଗଣେଶ କହଁର, ବିଶ୍ଵନାଥ ବେହେରା, ବିନାୟକ ଗଣ୍ଡା, ଉପେନ୍ଦ୍ର କହଁର ଓ ପଦ୍ମନାଭ କହଁର ପ୍ରମୁଖ ଚେତାବନୀ ଦେଇଛନ୍ତି।