କନ୍ଧମାଳ: କରୋନା କଟକଣା ସମୟର ଅସୁବିଧା ଦୂର ପାଇଁ ଦାବି

ଫୁଲବାଣୀ : କରୋନା ସଂକ୍ରମଣ ରୋକିବାକୁ ଜିଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ଲାଗୁ ହେଉଥିବା କଟକଣା ଯୋଗୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନିଆଯାଉ। କନ୍ଧମାଳ ଜିଲ୍ଲା ମିଳିତ ନାଗରିକ କମିଟି ଜିଲ୍ଲାପାଳଙ୍କ ଠାରେ ଏହି ଦାବି କରିଛି।

ନାଗରିକ କମିଟି ଦାବିପତ୍ରରେ ଦର୍ଶାଇଛି ପ୍ରବାସୀ ଓ ଅଜଣା ବ୍ୟକ୍ତିଙ୍କ ଅନାଧିକାର ଅନୁପ୍ରବେଶ ଯୋଗୁଁ କନ୍ଧମାଳ ଜିଲ୍ଲାରେ ପରିସ୍ଥିତି ଭିନ୍ନ ରୂପ ଧାରଣ କରିଛି। ଲାଗୁ ହେଉଛି କଟକଣା। ଫଳରେ ଫୁଲବାଣୀ ପୌର ପରିଷଦ ସହିତ ଅନ୍ୟ ଅଞ୍ଚଳରେ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଗାଣ ଗାଡିର ସମୟ ଓ ରୁଟ ସମ୍ପର୍କରେ ସମସ୍ତଙ୍କୁ ସୁଚନା ମିଳୁନି। ଲୋକେ ନିମ୍ନମାନର ସାମଗ୍ରୀକୁ ଅଧିକ ଦାମ ଦେଇ କିଣୁଛନ୍ତି।

ସେହିପରି କୃଷି ଓ ଆନୁସଙ୍ଗିକ କାମ କରିବା ପାଇଁ ଚାଷୀମାନେ ଜମିକୁ ଯାଇପାରୁନାହାନ୍ତି। କାମଧନ୍ଦା କରି ଦୁଇପଇସା ଆଣି କୁଟୁମ୍ବ ପୋଷୁଥିବା ଲୋକମାନେ ବହୁତ ହଇରାଣ ହେଉଥିବାରୁ ଅସନ୍ତୋଷ ଦାନ ବନ୍ଧୁଛି। ତେଣୁ ପୌର ପରିଷଦ ଅଂଚଳରେ ସଂପୂର୍ଣ୍ଣ କଟକଣା ଲାଗୁ ନ କରି ଯେଉଁ ସାହିରୁ ପଜିଟିଭ ବାହାରୁଛି ସେଠାରେ କଣ୍ଟାକ୍ଟ ଟ୍ରେସିଂ ପାଇଁ ସୀମିତ ସମୟ କଟକଣା କରାଯାଉ। ଏହାଛଡା କୋଭିଡ ହସ୍ପିଟାଲ ଗୁଡିକର ପରିଚାଳନାକୁ ଅନୁଧ୍ୟାନ କରିବାକୁ ନାଗରିକ କମିଟିର ଆବାହକ ଅଶୋକ ପରିଡା ଓ ସଭାପତି ଡ ଅରୁପ କୁମାର ଜେନା ଦାବି କରିଛନ୍ତି।

ମତାମତ ଦିଅନ୍ତୁ ।