କନ୍ଧମାଳରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ସଚିବ ଓ ୫ଟି ସଚିବ

ଫୁଲବାଣୀ : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସମେତ ପୂର୍ତ୍ତ ସଚିବ କ୍ରିଷ୍ଣ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଜି କନ୍ଧମାଳ ଗସ୍ତରେ ଆ‌ସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଶୁକ୍ରବାର ସଚିବମାନେ ହେଲିକପ୍‌ଟରେ ଫୁଲବାଣୀ ନିକଟସ୍ଥ ଗୁଦାରି ଏରୋଡ୍ରମ ପଡ଼ିଆରେ ଓହ୍ଲାଇବା ପରେ ଜିଲ୍ଲାପାଳ ଡ. ବୃନ୍ଦା ଡି. ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହିତ ୫ଟି ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିଥିଲେ। ଏହାଛଡା ଫୁଲବାଣୀ‌ ସହର ଉପକଣ୍ଠର କଲାଡ଼ିଠାରେ ୪୫୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା କନ୍ଧମାଳ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଚିହ୍ନଟ ସ୍ଥାନ ବୁଲି ଦେଖିଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସହାୟତା‌ ଯୋଗେଇ ଦେବାକୁ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।

ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ମେଡିକାଲ କଲେଜ ସ୍ଥାନକୁ ଦେଖିବା ପରେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ମୁଖ୍ୟ ଶାସନ ସଚିବ ସନ୍ତୋଷ ବ୍ୟକ୍ତ କରିଥିଲେ। ମେଡିକାଲ କଲେଜକୁ ଲାଗି ରହିଥିବା ପାହାଡ଼ରେ ବହୁ ମାତ୍ରାରେ ବୃକ୍ଷରୋପଣ କରିବାକୁ ପ୍ରସ୍ତାବ ଦେଇଥିଲେ। ଏଠାରେ ଡାକ୍ତର, ପ୍ରଫେସର ଓ ମେଡିକାଲ କଲେଜ କର୍ମଚାରୀଙ୍କ ରହିବା ବ୍ୟବସ୍ଥାରେ ଯେମିତି କୌଣସି ତ୍ରୁଟି ନ ରହେ ସେଥିପ୍ରତି ଦୃଷ୍ଟି ଦେବାକୁ ୫ଟି ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଏହାବ୍ୟତୀତ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେବାକୁ ଥିବା ସ୍ମାର୍ଟ ସ୍କୁଲ ଅନ୍ତର୍ଭୁକ୍ତ ଫୁଲବାଣୀ ସହରର ସର୍ବପୁରାତନ ଏଜେଓ ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ଯାଇ ସେଠାକାର ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି ବୁଲି ଦେଖିଥିଲେ। ସ୍କୁଲର ବିଭିନ୍ନ ସମସ୍ୟା ନେଇ ୫ଟି ସଚିବ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button