କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଡିଜିଟାଲ୍ ତରିକାରେ ହେବ

ନୂଆଦିଲ୍ଲୀ : ନେତୃତ୍ଵକୁ କଂଗ୍ରେସରେ ସ୍ଵର ଉଠିଛି। ଏହାକୁ ନେଇ ଦଳରେ ସୃଷ୍ଟି ହୋଇଛି ମତଭେଦ। ଏହି ପରିସ୍ଥିତିର ସମାଧାନ ପାଇଁ ଡିଜିଟାଲ ତରିକାରେ ହେବ ନୂଆ ଅଧ୍ୟକ୍ଷ ଚୟନ। ଦଳର ଭୋଟର ତାଲିକାରେ ରହିଥିବା ପାଖାପାଖି ୧୫୦୦ ସଦସ୍ୟଙ୍କୁ ଦିଆଯିବ ଅଖିଳ ଭାରତୀୟ କଂଗ୍ରେସ କମିଟି ପ୍ରତିନିଧି କାର୍ଡ। ସେଥିପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଖୁବ ଶୀଘ୍ର ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହୋଇପାରେ ବୋଲି କୁହାଯାଉଛି।

ଖବର ଅନୁଯାୟୀ କଂଗ୍ରେସର ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ଏଆଇସିସି ପ୍ରତିନଧିଙ୍କୁ ପରିଚୟ ପତ୍ର ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଦାୟିତ୍ୱ ନେଇଥିବା କେନ୍ଦ୍ର ନିର୍ବାଚନ ପ୍ରାଧିକରଣର ଜଣେ ସଦସ୍ୟ କହିଛନ୍ତି ଏଥର ଡିଜିଟାଲ ତରିକାରେ ନିର୍ବାଚନ ହେବ। ମତଦାତାମାନଙ୍କୁ ଯେଉଁ କାର୍ଡ ଦିଆଯିବ ସେଥିରେ ଏକ ବାର କୋଡ଼ ରହିବ। ତାହାକୁ ସ୍କାନ କଲେ ସଦସ୍ୟ ସମ୍ପର୍କରେ ସମସ୍ତ ସୂଚନା ସ୍କ୍ରିନରେ ଦେଖାଯିବ। ତେବେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ପାଇଁ ଖୁବ ଶୀଘ୍ର ଦଳର ବୈଠକ ବସିବ।

ସେ କହିଛନ୍ତି ଅଧ୍ୟକ୍ଷ ପଦ ପାଇଁ ଏକାଧିକ ପ୍ରାର୍ଥୀ ଥିଲେ ମତଦାନ ହେବ। ଏହି ମତଦାନ ବାଲେଟ ପେପର ନା ଡିଜିଟାଲ ମାଧ୍ୟମରେ ହେବ ନିଷ୍ପତ୍ତି ନେବ ସିଡବ୍ଳ୍ୟୁସି। ସେହିପରି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ନୂଆ ବର୍ଷ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଦଳର ନୂଆ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୨୦୨୨ ଯାଏଁ ରହିବ। ୨୦୧୭ରେ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ହାରିଯିବା ପରେ ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ଅନ୍ତରୀଣ ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧୀ ଦାୟିତ୍ୱ ନେଇଛନ୍ତି।

ମତାମତ ଦିଅନ୍ତୁ ।