କାର-ଟ୍ରେଲର ଧକ୍କା : ୭ ଜଳିଗଲେ

ସୁରେନ୍ଦ୍ରନଗର : ଗୁଜରାଟର ସୁରେନ୍ଦ୍ରନଗରରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାରରେ ଥିବା ୭ ଜଣ ଜୀବନ୍ତ ଜଳି ଯାଇଛନ୍ତି। କାର ଓ ଟ୍ରେଲର ମୁହାଁମୁହିଁ ଧକ୍କା ହେବାରୁ ଏହି ପରିସ୍ଥତି ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଶନିବାର ପାଟନ ଜିଲ୍ଲା କୋଇଦା ଗାଁର ଗୋଟିଏ ପରିବାର ଚୋଟିଲା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ କାର୍‌ ଯୋଗେ ଘରକୁ ଫେରୁଥିବା ବେଳେ ସୁରେନ୍ଦ୍ର ନଗର ପାଟଡି ଥାନା ଅନ୍ତର୍ଗତ ଖେରଭା ଗାଁ ନିକଟରେ ଟ୍ରେଲ୍ ଓ କାର ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ପରେ କାରରେ ନିଆଁ ଲାଗି ଯିବାରୁ ସେଥିରେ ଥିବା ୭ ଜଣ ଘଟଣାଣାସ୍ଥଳରେ ଜୀବନ୍ତ ଜଳି ଯାଇଥିଲେ। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ସୂଚନା ରହିଛି।

ସ୍ଥାନୀୟ ପୋଲିସ ଅନୁମାନ କରୁଛି କାର୍‌ରେ ଗ୍ୟାସ୍‌ କିଟ୍‌ ଥିବା ଯୋଗୁ ଦୁର୍ଘଟଣା ପରେ ନିଆଁ ଲାଗିଯାଇଥିଲା। ତେବେ ଫରେନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଗାଡିର ନମ୍ବର ପ୍ଲେଟ ଆଧାରରେ ଲୋକଙ୍କୁ ଚିହ୍ନଟ କରାଯାଇଛି। ଘଟଣାସ୍ଥଳରେ ସୁରେନ୍ଦ୍ରନଗର ଅତିରିକ୍ତ ଏସ୍‌ପି ପହଞ୍ଚି ତଥ୍ୟ ହାସଲ କରିଛନ୍ତି। ତେବେ ଦୁର୍ଘଟଣାସ୍ଥଳରୁ ଟ୍ରେଲର ଡ୍ରାଇଭର ଫେରାର ହୋଇ ଯାଇଥିବାରୁ ପୋଲିସ ମାମଲା ରୁଜୁ କରି ତାକୁ ଖୋଜୁଛି।

ମତାମତ ଦିଅନ୍ତୁ ।