କୋରେନା ଆସିଥିଲା, ଚାଲିଗଲା

॥ ଗୋପାଳ ମହାପାତ୍ର ॥
ଯେତେବେଳେ ମାର୍ଚ୍ଚ ମାସରେ ପ୍ରଥମେ ସରକାର ଲକ୍‌ଡାଉନ୍ ଘୋଷଣା କଲେ ସେ ବେଳର କଥା ସମସ୍ତଙ୍କର ମନେଥିବ ନିଶ୍ଚୟ । ସେତେବେଳେ ଲୋକଙ୍କ ମନରେ ଭୟ ମାଡ଼ି ବସିଥିଲା । ଲୋକଙ୍କ ମନରେ କୋରେନାକୁ ନେଇ କିମ୍ବୁତ କିମ୍ବାକାର ମାନସିକତା ସୃଷ୍ଟି ହୋଇଥିଲା । ବଞ୍ଚିବାର ଆଶା ଅଧିକ ଭାବରେ ମନରେ ଜାଗି ଉଠିଥିଲା । କେହି କାହା ସହିତ ମିଶୁନଥିଲେ କି ବାହାରକୁ ବାହାରୁ ନଥିଲେ । କିନ୍ତୁ ସେତେବେଳେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କମ୍ ଥିଲା । ମାତ୍ର ଦେଶର କିଛି ଅଞ୍ଚଳକୁ ଛାଡ଼ିଦେଲେ କୋରେନାର ପ୍ରଭାବ ବର୍ତ୍ତମାନର ସମୟ ଭଳି ନଥିଲା । ଲକ୍‌ଡାଉନ୍ ଘୋଷଣା ପରେ ଯେତେବେଳେ ସବୁ ବନ୍ଦ୍ ବାନ୍ଦ୍ ହୋଇଗଲା ସେତେବେଳେ ଲୋକେ ଭାବିଲେ କ’ଣ ଗୋଟେ କିଛି ହୋଇଗଲା ବା ହୋଇଯାଇଛି । ଏମିତି ଆଗରୁ କେବେ ଦେଖାଯାଇନଥିଲା କି ଶୁଣା ବି ଯାଇନଥିଲା । ଲୋକେ ଏମିତି କେବେ ହୋଇଥିଲା କି ଚିନ୍ତାକରି ଇତିହାସ ପୃଷ୍ଠାକୁ ଲେଉଟାଇବାରେ ଲାଗିଲେ । ଇତିହାସର ତଥ୍ୟ ଅନୁସାରେ ଜଣାପଡ଼ିଲା ଯେ ବିଗତ ଶତାବ୍ଦିର ସ୍ପେନିସ୍ ଫ୍ଲୁରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା। ତା ପୂର୍ବରୁ ବ୍ଲାକ ଡେଥ ଘଟଣାରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା । କୋରେନାର ପ୍ରଭାବ ବିଶ୍ୱର ଅନେକ ଦେଶରେ ପଡ଼ିଛି । ବିଶେଷ କରି ଆମେରିକା ଏହାର ପ୍ରଭାବରେ ଅଧିକ ଭାବେ ପ୍ରଭାବିତ ହୋଇଛି ଓ ସେଠାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିଛି। ଭାରତରେ ଏଯାବତ୍ ସଂକ୍ରମିତଙ୍କ ସଂଖ୍ୟା ୬୦ଲକ୍ଷ ଟପିଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ୯୦ହଜାର ପାର କରିଗଲାଣି । ଲକ୍‌ଡାଉନ ଅବଧି ସରକାର ବଢ଼ାଇବାରେ ଲାଗିଲେ । ଲୋକେ ଭାବିଲେ କୋରେନା ପ୍ରଭାବ ଆଉ କମିବ ନାହିଁ । ଲୋକଙ୍କ ଭାବନା ବି ଠିକ୍ ପ୍ରମାଣିତ ହେଲା । କୋରେନାର ପ୍ରଭାବ କମୁନାହିଁ ବରଂ ସଂକ୍ରମଣ ଅଧିକ ଭାବେ ବଢ଼ିବାରେ ଲାଗିଛି । ଆମ ଦେଶରେ ବିଗତ କିଛି ସପ୍ତାହ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ରାଧିକ ଭାବେ ବଢ଼ିଛି। ସାରା ବିଶ୍ୱରେ ସଂକ୍ରମିତିଙ୍କ ସଂଖ୍ୟା ପାଖାପାଖି ୪ କୋଟି ବା ଅଧିକ ହୋଇଥିବାବେଳେ ପାଖାପାଖି କୋଟିଏ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ମାର୍ଚ୍ଚ – ଅପ୍ରେଲ ସହ ତୁଳନା କଲେ ବର୍ତ୍ତମାନର ସ୍ଥିତି ଆମ ଦେଶ ଓ ସାରା ବିଶ୍ୱରେ ଭୟାବହ ହେବାରେ ଲାଗିଛି ।

କିନ୍ତୁ ମାର୍ଚ୍ଚ – ଏପ୍ରିଲ ମାସରେ ଲୋକଙ୍କ ମନରେ କୋରେନାକୁ ନେଇ ଯେଉଁ ଭୟ ଥିଲା ଏବେ ତାହା ନାହିଁ । ଲୋକେ କୋରେନାକୁ ଏକପ୍ରକାର ଭୁଲି ଯିବାକୁ ବସିଲେଣି ଏବଂ କୋରେନା ସହ ବଞ୍ôଚବାର ଅଭ୍ୟାସକୁ ଆଦରି ନେଲେଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକଥା ମଧ୍ୟ ଅନେକ ଥର କହିଲାଣି ଯେ କୋରେନା ସହ ବଞ୍ôଚବାର ଅଭ୍ୟାସ କରାଯିବା ଉଚିତ୍। ଏ ପର୍ଯ୍ୟନ୍ତ କୋରେନାର କୌଣସି ସଠିକ୍ ଔଷଧ ବା ଟୀକା ଉପଲବ୍ଧ ହୋଇପାରି ନାହିଁ । ଯଦିଓ ଅନେକ ଦେଶ କୋରେନା ଟୀକା ଆବିଷ୍କାର କରାଯିବା ଦାବି କରୁଛନ୍ତି କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ଦିଗରେ ଭିନ୍ନ କଥା କହୁଛି । ଆମ ଦେଶରେ ଏବେ କୋରେନା ପାଇଁ ଔଷଧ ବିକ୍ରିୀକୁ ଅନୁମତି ଦିଆଯାଇଛି । ଏବେ କୋରେନାର ଚିକିତ୍ସା ଦେଶରେ ଉପଲବ୍ଧ ପୁରୁଣା ଔଷଧରେ କରାଯାଉଛି । କୋରେନା ଟୀକା ବାବଦରେ କୌଣସି ସଠିକ୍ ତଥ୍ୟ ନାହିଁ। ଟୀକାର ପରୀକ୍ଷା କରାଯାଉଛି ବୋଲି ଅନେକ ଖବର ପ୍ରକାଶ ପାଉଛି ଓ ଏହି ଖବର ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି କରୁଛି ଓ ଆଶା ସୃଷ୍ଟି କରୁଛି ।

ଲକ୍ ଡାଉନ୍ ଏବେ ଆପାତତଃ ଶେଷ ହୋଇଯାଇଛି । କିଛି ଅଞ୍ଚଳକୁ ଛାଡ଼ି ଅନ୍ୟ ସବୁ ଅଞ୍ଚଳକୁ କଟକଣା ମୁକ୍ତ କରାଯାଇଛି । ପୂର୍ବ ଭଳି ଲୋକେ ଆଉ କୋରେନାକୁ ଭୟ କରୁନାହାଁନ୍ତି । ବଜାର ଘାଟ, ଅଫିସ୍ ସବୁ ପୂର୍ବବତ୍ ସାମାନ୍ୟ ଅବସ୍ଥାକୁ ଆସିଲାଣି । ଲୋକେ ବାହାରକୁ ବାହାରିଲେଣି ଓ ପୂର୍ବପରି ନିର୍ଭୟରେ ବୁଲିବା ଆରମ୍ଭ କଲେଣି । ବସ୍‌, ଟ୍ରେନ୍ ଓ ବିମାନ ଚଳାଚଳ ଆରମ୍ଭ ହେଲାଣି । ଲକ୍‌ଡାଉନ୍ କାରଣରୁ ବନ୍ଦ ଥିବା ବ୍ୟବସାୟ ବାଣିଜ୍ୟ ମଧ୍ୟ ଆରମ୍ଭ ହେଲାଣି । କେବଳ ସେତିକି ନୁହେଁ ଲକ୍‌ଡାଉନ୍ ପୂର୍ବରୁ ବଜାର ଘାଟରେ ଯେମିତି ଗହଳି ଚହଳ ଥିଲା ସେ ଅବସ୍ଥା ଫେରିଲାଣି । ଏବେ କୌଣସି କାମ ଅଟକିବାର ନାହିଁ । ପୂର୍ବରୁ ଲୋକେ ଯେପରି ଉତ୍ସୁକତାର ସହିତ କୋରେନା ସମ୍ପର୍କୀତ ସମ୍ବାଦ ପଢୁଥିଲେ ବା ଶୁଣୁଥିଲେ ସେ ଅବସ୍ଥା ଆଜି ଆଉ ନାହିଁ । ଗଣମାଧ୍ୟମ ମଧ୍ୟ ପ୍ରାରମ୍ଭରେ କୋରେନା ପ୍ରସଙ୍ଗକୁ ଯେପରି ଗୁରୁତ୍ୱ ଦେଉଥିଲା ଆଉ ସେପରି ଗୁରୁତ୍ୱ ଦେଉନାହିଁ । ଏହା ମଧ୍ୟ ଠିକ୍ । କେତେଦିନ ଆଉ ଗଣମାଧ୍ୟମ କୋରେନା କୋରେନା ହେବ । ଦେଶ ଆଗରେ ଏବେ ଅନେକ ନୂଆ ନୂଅ ପ୍ରସଙ୍ଗ ଦେଖାଗଲାଣି । ଏଣୁ କୋରେନା ପ୍ରସଙ୍ଗ ଆଉ ପୂର୍ବଭଳି ଜ୍ୱଳନ୍ତ ପ୍ରସଙ୍ଗ ହୋଇରହିନାହିଁ ।

ଏସବୁ କଥାକୁ ଦେଖିଲେ ଆଉ ଲାଗୁନାହିଁ ଯେ କୋରେନା ଆଉ ଅଛି ବୋଲି । ଲାଗୁଛି ସତେ ଯେମିତି କୋରେନାର ପ୍ରକୋପ ଉଭେଇ ଗଲାଣି । କିନ୍ତୁ ପ୍ରକୃତ ପକ୍ଷେ କୋରେନାର ପ୍ରଭାବ ରହିଛି ଓ ବଢୁଛି ମଧ୍ୟ । ତେବେ କ’ଣ କରାଯିବ? ଆମ ସମସ୍ତଙ୍କୁ ସାବଧାନତାର ସହିତ ରହିବାକୁ ପଡ଼ିବ । ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତାକୁ ବଜାୟ ରଖିବାକୁ ପଡ଼ିବ । ଏସବୁ ତ କରିବାକୁ ପଡ଼ିବ ହେଲେ ଗୋଟିଏ କଥା ଏବେ ସ୍ପଷ୍ଟ ହୋଇଗଲାଣି ଯେ କୋରେନା ସହ ଲଢ଼ିବା ପାଇଁ ସମସ୍ତେ ପ୍ରସ୍ତୁତ ହୋଇଗଲେଣି । ଆଉ ଏକ ସୁଖଦ ଖବର ହେଉଛି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସାଙ୍ଗକୁ ତାଳ ମିଳାଇ ସୁସ୍ଥ ହେବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସୁସ୍ଥ ହେବା ଲୋକଙ୍କ ସଂଖ୍ୟା ବଢ଼ିବା କାରଣରୁ ଲୋକେ ଏବେ ଭାବିଲେଣି ଯେ କୋରେନା ଆଉ ଅଜେୟ ହୋଇ ରହିନାହିଁ । ଏହାକୁ ରୋକିହେବ ଓ ଏହି ରୋଗରେ ଆକ୍ରାନ୍ତ ହେଲେ ମଧ୍ୟ ସୁସ୍ଥ ହୋଇଯିବାର ସମ୍ଭାବନା ଅଧିକ । ଏବେ ଦେଖାଯାଉଛି ଯେ ପ୍ରତିଦିନ ଶହ ଶହ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ସବୁଠୁ ବଡ଼ କଥା ହେଲା ଯଦି କୋରେନାର ସାଧାରଣ ଲକ୍ଷଣ ଦେଖାଯାଉଛି ତେବେ ସଂପୃକ୍ତ ବ୍ୟକ୍ତିକୁ ନିଜ ଘରେ ଏକାନ୍ତବାସରେ ରହିବାକୁ ମଧ୍ୟ ଅନୁମତି ଦିଆଯାଉଛି ଓ ତାଙ୍କୁ ସାବଧାନରେ ରହିବାକୁ କୁହାଯାଉଛି । ଲୋକଙ୍କୁ ଯଦି ସାଧାରଣ ଭାବେ ଛିଙ୍କ ଆସୁଥିଲା ତେବେ ଡରିଯାଉଥିଲେ କିନ୍ତୁ ଏବେ ସେ ଡର ଆଉ ନାହିଁ । ଲୋକେ ଏବେ ଅନେକ ପରିମାଣରେ ସଚେତନ ହୋଇ ଗଲେଣି ଓ ନିଜର ସୁରକ୍ଷା କଥା ଚିନ୍ତା କଲେଣି । ଏପ୍ରିଲ-ମେ ମାସ ବେଳେ ଯଦି କୌଣସି ଏକ ଅଞ୍ଚଳରେ କୋରେନା ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ମିଳୁଥିଲା ତେବେ ସଂପୂର୍ଣ୍ଣ ଅଞ୍ଚଳକୁ ସିଲ କରିଦିଆଯାଉଥିଲା ଓ ଆଖ ପାଖ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଥିଲା । ଏବେ ସେ କଥା ମଧ୍ୟ ନାହିଁ । ଯେ ପର୍ଯ୍ୟନ୍ତ ଗୁରୁତର ଅବସ୍ଥା ନଆସିଛି ଲୋକେ ତାକୁ ଫ୍ଲୁ ବୋଲି କହି ଏଡ଼ାଇ ଯାଉଛନ୍ତି । ଲୋକେ ସାବଧାନତାର ସହ ନିଜ ନିଜର କର୍ମକ୍ଷେତ୍ରକୁ ଗଲେଣି । ଏବେ ବି ଅନେକ କ୍ୱରେଣ୍ଟାଇନ୍ ସେଣ୍ଟର ବନ୍ଦ ହୋଇଗଲାଣି । ଲୋକଙ୍କ ଗତାଗତ ବଢ଼ିଲାଣି । ଏ ସବୁ କଥାରୁ ଲାଗୁଛି କୋରେନା ଆସିଥିଲା, ପ୍ରଭାବ ବିସ୍ତାର କଲା, ଲୋକେ ମଧ୍ୟ ତାର ନିରାକରଣ ପାଇଁ ପଦକ୍ଷେପ ନେଲେ ଏବଂ ଶେଷରେ କୋରେନା ଚାଲିଗଲା । ବିଶ୍ୱର ଜନ ସଂଖ୍ୟା ୭ଶହ କୋଟିରୁ ଅଧିକ ଥିବାବେଳେ ୪କୋଟି ଲୋକ କୋରେନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସେହିପରି ଭାରତବର୍ଷର ଲୋକ ସଂଖ୍ୟା ୧୪୦କୋଟି ପାଖାପାଖି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ଲକ୍ଷରୁ ଅଧିକ ହୋଇଛି ଓ ମୃତକଙ୍କ ସଂଖ୍ୟା ୯୦ ହଜାର ବୋଲି ଜଣାପଡ଼ିଛି । ଓଡ଼ିଶାର ଜନ ସଂଖ୍ୟା ୪କୋଟିରୁ ଅଧିକ ଥିବାବେଳେ ଏଯାବତ୍ ମାତ୍ର ୧ଲକ୍ଷ ୨୦ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି। କୋରେନାର ଏସବୁ ତଥ୍ୟ ସହ ଦୁର୍ଘଟଣାଜନିତ ମୃତ୍ୟୁ, ଦାରିଦ୍ର‌୍ୟ ଜନିତ ମୃତ୍ୟୁ କୁ ତୁଳନା କଲେ କୋରେନା ଭୟଙ୍କର ନୁହେଁ ବୋଲି ଜଣାପଡୁଛି ନିଶ୍ଚୟ । ଏଣୁ କୋରେନାର ଭୟକୁ ଦୂରେଇ ଦେବା ଉଚିତ୍ ।

ରାମଚନ୍ଦ୍ରପୁର, ରଣପୁର,
ମୋ.-୯୪୩୮୪୮୫୦୯୪

ମତାମତ ଦିଅନ୍ତୁ ।