କରୋନା ଭାଇରସ୍ ଯାଇନାହିଁ : ପ୍ରଧାମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ‘ଲକ୍‌ଡାଉନ୍’ ଚାଲିଯାଇଛି କିନ୍ତୁ କରୋନା ଭୂତାଣୁ ଯାଇନାହିଁ। ଏ କଥା ଭୁଲିଯିବା ଉଚିତ ନୁହେଁ। ଦେଶବାସୀଙ୍କ ଉଦ୍ଦେଶ୍ୟର ବାର୍ତ୍ତା ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାମନ୍ତ୍ରୀ ଶ୍ରୀ ମୋଦି ଜାତି ଉଦ୍ଦେଶ୍ୟର ବାର୍ତ୍ତା ଦେଇ ପାର୍ବଣ ସମୟରେ ସାବଧାନତାର ସହ ଚଳିବାକୁ ଦେଶବାସୀଙ୍କୁ ସଚେତନ କରାଇଛନ୍ତି। ସେ କହିଛନ୍ତି ଜନତା କର୍ଫ୍ୟୁରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଭାରତବାସୀ କରୋନା ଭାଇରସ୍ ବିରୋଧୀ ସଂଗ୍ରାମରେ ଦୀର୍ଘ ପଥ ଯାତ୍ରା କଲେଣି। ଗତ ସାତ/ ଆଠ ମାସ ମଧ୍ୟରେ ପ୍ରତ୍ୟେକ ଭାରତୀୟଙ୍କ ଉଦ୍ୟମ ଯୋଗୁଁ ଭାରତର ସ୍ଥିତି ଭଲ ଅଛି। ଏହାକୁ ଆମେ ବିଗାଡ଼ିବା ନାହିଁ। ଏହା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ଧୀରେ ଧୀରେ ବୃଦ୍ଧିପାଉଛି। ଅନେକ ଲୋକ ଘରୁ ପଦାକୁ ବାହାରିଲେଣି। ପୂଜାପାର୍ବଣର ସମୟ ଆସିଥିବାରୁ ବଜାରରେ ଗହଳି ହେଲାଣି। କିନ୍ତୁ ଆମେ ଭୁଲିଯିବା ନାହିଁ ଯେ ‘ଲକ୍‌ଡାଉନ୍’ ଚାଲିଯାଇ ଥାଇପାରେ। କିନ୍ତୁ କରୋନା ରୋଗର ସୃଷ୍ଟିକାରୀ ଭୂତାଣୁ ଯାଇନାହିଁ।

ମାନବତାକୁ ରକ୍ଷା କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ଟିକା ନ ଆସିବା ପର୍ଯ୍ୟନ୍ତ କରୋନା ଭାଇରସ୍ ବିପକ୍ଷରେ ଆମେ ସଂଗ୍ରାମ ଜାରି ରଖିବା ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଟିକା ପହଞ୍ଚାଇବା ନିମନ୍ତେ ସରକାର ବ୍ୟବସ୍ଥା କରୁଛନ୍ତି। ଭାରତରେ ମୃତ୍ୟୁହାର ଏକ ନିୟୁତ ଜନସଂଖ୍ୟାରେ ୮୩ ରହିଛି। ଏହା ତୁଳନାରେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍‌ ଓ ବ୍ରାଜିଲ୍‌ ଆଦି କେତେକ ଦେଶରେ ମୃତ୍ୟୁହାର ୬୦୦ରୁ ଅଧିକ। ବିଶ୍ଵର ଅନ୍ୟ ଦେଶମାନଙ୍କରେ ସଂକ୍ରମଣ ସଂଖ୍ୟା ପୁଣି ବୃଦ୍ଧି ପାଉଥିବା ଜଣାପଡ଼ିଲାଣି। ତେଣୁ ଭାରତର ଜନସାଧାରଣ ଅଧିକ ସତର୍କ ରହିବା ଆବଶ୍ୟକ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ଆପଣ ଅବଜ୍ଞା କରି ମାସ୍କ ନ ପିନ୍ଧି ବାହାରକୁ ଆସୁଛନ୍ତି, ଆପଣ ନିଜକୁ, ନିଜ ପରିବାରକୁ ଓ ପରିବାରର ପିଲାଙ୍କୁ ଏବଂ ବୟସ୍କମାନଙ୍କୁ ସଙ୍କଟରେ ପକାଉଛନ୍ତି। ଲୋକେ ଆଉ ଯତ୍ନବାନ ହେଉ ନ ଥିବା ଅନେକ ଫଟୋ ଓ ଭିଡିଓରୁ ସ୍ପଷ୍ଟ ଭାବେ ଦେଖି ହେଉଛି। ତାହା କିନ୍ତୁ ଠିକ୍ କଥା ନୁହେଁ ବୋଲି ମୋଦି କହିଛନ୍ତି।

ମତାମତ ଦିଅନ୍ତୁ ।