କରୋନା ଭାଇରସ ସ୍ମୃତି ଓ ଭାବନା ଶକ୍ତିକୁ ପ୍ରଭାବିତ କରୁଛି

ନୂଆଦିଲ୍ଲୀ : କରୋନା ଭାଇରସ ଲୋକଙ୍କ ମସ୍ତିସ୍କକୁ ପ୍ରଭାବିତ କରୁଛି। ମସ୍ତିସ୍କରେ ଥିବା ଧୂଷର ଅଂଶ ବା ଗ୍ରେ ମ୍ୟାଟର କରୋନା ଦ୍ୱାରା ହ୍ରାସ ପାଉଥିବା ସ୍ନାୟୁ ରୋଗ ବିଶେଷଜ୍ଞମାନେ ନୂଆ ଗବେଷଣାରୁ ଜାଣିବାକୁ ପାଇଛନ୍ତି।

ଜର୍ଜିଆ ଷ୍ଟେଟ ବିଶ୍ୱବିଦ୍ୟାଳୟର ଗବେଷଣା ରିପୋର୍ଟ ଜର୍ଣ୍ଣାଲ ନ୍ୟୁରୋବାୟୋଲଜି ଅଫ ଷ୍ଟ୍ରେସରେ ପ୍ରକାଶ ପାଇଛି। ୱାକହାର୍ଟ ହସ୍ପିଟାଲର ନ୍ୟୁରୋଲଜିଷ୍ଟ ଡା ପବନ ପାଇ କହିଛନ୍ତି ଗୁରୁତର ଲକ୍ଷଣ ଥିବା କରୋନା ଆକ୍ରାନ୍ତ, ଅକ୍ସିଜେନ କିମ୍ବା ଭେଣ୍ଟିଲେଟରରେ ରହୁଥିବା ଓ ଦୀର୍ଘଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନଙ୍କ ଶରୀରରେ ସ୍ନାୟୁ ଜନିତ ସମସ୍ୟା ଦେଖାଯାଉଛି। କରୋନା ଭାଇରସ ଗ୍ରେ ମ୍ୟାଟରସକୁ ହ୍ରାସ କରୁଛି। ଏହି ଗ୍ରେ ମ୍ୟାଟର ମସ୍ତିସ୍କକୁ ସୂଚନା ପହଞ୍ଚାଇବା ସହିତ ବ୍ୟକ୍ତିଙ୍କ ଗତିବିଧିକୁ ନିୟନ୍ତ୍ରଣ କରେ। ସ୍ମରଣ ଶକ୍ତି ଓ ଭାବନା ଶକ୍ତିକୁ କାର୍ଯ୍ୟକ୍ଷମ କରାଇଥାଏ। ଏହା ହ୍ରାସ ପାଇଲେ ଶରୀରରେ ସ୍ନାୟୁ ଓ ଯୋଗାଯୋଗ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ।

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡା ବିଏନ ଗଙ୍ଗାଧର କହିଛନ୍ତି ପୂର୍ବରୁ ମାନସିକ ରୋଗ, ହାଇପରଟେନସନ କିମ୍ବା ଓବେସିଟିରେ ପୀଡ଼ିତ ଲୋକଙ୍କ ଶରୀରରେ ଅଧିକ ଦେଖାଯିବାର ଆଶଙ୍କା ରହିଛି। ମସ୍ତିସ୍କ ଛୋଟ କିମ୍ବା ବଡ଼ ସହ କରୋନାର କୌଣସି ସମ୍ପର୍କ ନଥାଏ। କିନ୍ତୁ ଥରେ କରୋନାରେ ଆକ୍ରାନ୍ତ ହେଲେ ଏହା ଛୋଟ ମସ୍ତିସ୍କ ଥିବା ଲୋକଙ୍କ ପ୍ରତି ଅଧିକ ଘାତକ ହୋଇଥାଏ।

ଗବେଷଣା କରୁଥିବା ବିଶେଷଜ୍ଞମାନଙ୍କ ମତ ହେଲା ମସ୍ତିସ୍କର ଧୂଷର ଅଂଶକୁ କରୋନା ହ୍ରାସ କରୁଥିବାରୁ ଆମକୁ ସତର୍କ ରହିବାକୁ ପଡ଼ିବ। ବିଶେଷ କରି କରୋନାରୁ ସୁସ୍ଥ ହେବା ପରେ ଶରୀରରେ ଦେଖାଯାଉଥିବା ଅଲଗା ଲକ୍ଷଣ ଗୁଡ଼ିକୁ ଆମକୁ ଦୃଷ୍ଟି ଦେବାକୁ ପଡ଼ିବ। ଯଦି କିଛି ଅସ୍ୱାଭାବିକ ଲକ୍ଷଣ ଦେଖାଦେଲା ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରାଇବା ଉଚିତ।

କରୋନାରୁ ସୁସ୍ଥ ହେବା ପରେ ରାତିରେ ୮ରୁ ୯ ଘଣ୍ଟା ଶୋଇବା, ମାନସିକ ଚିନ୍ତାକୁ ଯଥା ସମ୍ଭବ ଦୂରେଇ ରଖିବା, ବ୍ୟାୟମ କରିବା, ମଧୁମେହକୁ ନିୟନ୍ତ୍ରଣରେ ରଖିବା, ମସ୍ତିସ୍କକୁ ଠିକ ରଖିବା ପାଇଁ ପଜଲ ସମାଧାନ କରିବା, ଖୁସି କରୁଥିବା ଭଳି କାର୍ଯ୍ୟକ୍ରମ ଦେଖିବା, ପ୍ରୋଟିନ, ଫଳ, ତଟକା ପନିପରିବା ଓ ସୁସ୍ଥକର ଖାଦ୍ୟ ପାଇବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button