କରୋନା ଭୟ : ସ୍ତ୍ରୀ ସାମ୍ନାରେ ଚାଲିଗଲା ସ୍ଵାମୀଙ୍କ ଜୀବନ

ଢେଙ୍କାନାଳ : କରୋନା ପାଇଁ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଉଟଡୋର ସମ୍ମୁଖରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ୱାମୀ ଛାତିରେ ସ୍ତ୍ରୀ ମୁଣ୍ଡ ବାଡେଇ କାନ୍ଦୁଛନ୍ତି। ଡାକ୍ତରଙ୍କ ପାଖକୁ ନେବାପାଇଁ ଆକୁଳ ନିବେଦନ କରୁଛନ୍ତି। ହେଲେ କେହି ପାଖକୁ ଆସୁନାହାନ୍ତି। ଶେଷରେ ଚାଲିଯାଉଛି ତାଙ୍କ ସ୍ୱାମୀ ଜୀବନ। ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ଚିକିତ୍ସା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। କୁହାଯାଉଛି ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କ’ଣ କରୋନା ଚିକିତ୍ସା ପାଇଁ ସୁବିଧା ନାହିଁ ? କରୋନା ପଜିଟିଭ ଚିହ୍ନଟ ପରେ ଆକ୍ରାନ୍ତ ଜଣଙ୍କ ହସପିଟାଲ ଭିତରେ ବୁଲୁଥିଲେ କିପରି ?

ଖବର ଅନୁଯାୟୀ ମୃତ ବ୍ୟକ୍ତି ଜଣକ ଅନୁଗୁଳ ଗ୍ରାମ୍ୟ ଜଳଯୋଗାଣ ଅଫିସର କର୍ମଚାରୀ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ଓଦାପଡା ବ୍ଲକର ନାଧରା ଗ୍ରାମରେ। ଗତ ଦୁଇଦିନ ତଳେ ଥଣ୍ଡା କାଶ ହେବାରୁ ସେ ଘରକୁ ପଳାଇ ଆସିଥିଲେ। ସୋମବାର ଅର୍ଥାତ ୧୪ତାରିଖ ରାତିରେ ଉଭୟ ସ୍ଵାମୀ-ସ୍ତ୍ରୀ କୋଭିଡ ଟେଷ୍ଟ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ। ଟେଷ୍ଟ ପରେ ପତ୍ନୀଙ୍କର ନେଗେଟିଭ ଓ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସାଙ୍ଗରେ ଆସିଥିବା ସମ୍ପର୍କୀୟମାନେ ଭୟରେ ଦୂରେଇ ଯାଇଥିଲେ। ତେବେ କରୋନା ପଜିଟିଭ କଥା ଶୁଣି ଏହି ୫୮ବର୍ଷୀୟ ଆକ୍ରାନ୍ତ ଜଣଙ୍କ ଡାକ୍ତରଖାନା ଆଉଟଡୋର ସମ୍ମୁଖରେ ହଠାତ ପଡିଯାଇ ଛଟ ପଟ ହୋଇଥିଲେ। ପାଖରେ ପତ୍ନୀ ମୁଣ୍ଡ ବାଡେଇ କାନ୍ଦୁଥିଲେ ହେଁ କେହି ପାଖକୁ ଆସିଲେନି। ଆଉ ସ୍ବାମୀଙ୍କ ଜୀବନ ଚାଲିଗଲା। ଦୀର୍ଘ ସମୟ ମୃତଦେହ ପଡି ରହିବା ପରେ ସ୍ୱତନ୍ତ୍ର କର୍ମଚାରୀ ଆସି ସ୍ତ୍ରୀ ନିକଟରୁ ନେଇଯାଇଥିଲେ।

ମତାମତ ଦିଅନ୍ତୁ ।