କରୋନା ଭୟରେ କେହି ଆସିଲେନି : ସରପଞ୍ଚ କଲେ ଶବସତ୍କାର

ପଦ୍ମପୁର : ପୁରୀ ଜିଲ୍ଲା କୋଣାର୍କରେ ପରି ଆଉ ଏକ ଘଟଣା ପଦ୍ମପୁର ଅଞ୍ଚଳରେ ଘଟିଛି। କରୋନା ଭୟରେ ଜଣେ ଯୁବକର ମୃତ୍ୟୁ ପରେ ଗାଁ’ ଲୋକ କେହି ଆସିଲେନି। ଶେଷରେ ମାନବିକତାର ପରିଚୟ ଦେଇ ଯୁବ ସରପଞ୍ଚ ଓ କିଛି ସହଯୋଗୀ ମୃତ ଯୁବକର ଶବସତ୍କାର କରିଥିବା ଜଣାପଡିଛି।

ଖବର ଅନୁଯାୟୀ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ତାଲପାଲି ପଞ୍ଚାୟତର ତାଲପାଲି ଗାଁ’ର
ନବେ ମିର୍ଦ୍ଧା ନାମକ ଜଣେ ଯୁବକର ଗତକାଲି ମୃତ୍ୟୁ ହୋଇଥିଲା। ସେ ପ୍ରାୟ କୋଡିଏ ଦିନ ଧରି ଜ୍ଵରରେ ପୀଡିତ ଥିଲେ। ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ଦେହକୁ ତାଲପାଲି ଅଣାଯାଇଥିଲା। ଘରେ ମୃତ ଯୁବକଙ୍କ ବଡଭାଇ, ବିଧବା ମାଁ ଓ ଭାଉଜକୁ ଛାଡି ଆଉ କେହି ନାହିଁନ୍ତି। ଶବସତ୍କାର ପାଇଁ ପଡିଲା ଚିନ୍ତା। କରୋନା ଭୟରେ ଗାଁ’ର କେହି ଆସିଲେନି। ଦୀର୍ଘ ଚାରିଘଣ୍ଟା ପଡିରହିଲା ଶବ।

ଏ ଖବର ପାଇଁ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ସାହୁ ପହଞ୍ଚିଥିଲେ। ଶବ ସତ୍କାର କରିବା ପାଇଁ ନେଇଥିଲେ ନିଷ୍ପତ୍ତି। ସରପଞ୍ଚଙ୍କୁ ସହଯୋଗ କରିବା ପାଇଁ ଗାଁ’ର କିଛି ଯୁବକ ଆଗେଇ ଆସିଥିଲେ। ଜେସିବି ଦ୍ଵାରା ଗାତ ହୋଲାଯାଇ ଶବକୁ ପୋତାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।