କରୋନା ଚିହ୍ନଟ ଗର୍ଭବତୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେବା ଆବଶ୍ୟକ

ଭୁବନେଶ୍ୱର : କରୋନା ଚିହ୍ନଟ ଗର୍ଭବତୀ ମହିଳା କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହେବା ଆବଶ୍ୟକ। ଆଜି ଏହା କହିଛନ୍ତି ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଅଜିତ କୁମାର ମହାନ୍ତି।

ରବିବାର ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ମହାନ୍ତି କହିଛନ୍ତି ଗର୍ଭବତୀ ମହିଳା କରୋନା ପଜିଟିଭ ଜାଣିବା ପରେ ହୋମ୍ ଆଇସୋଲେସନରେ ନ ରହି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେବା ଭଲ। କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେବା ଦ୍ୱାରା ଗର୍ଭରେ ଥିବା ପିଲାଙ୍କୁ କୋଭିଡ ଠାରୁ ମୁକ୍ତ ରଖାଯାଇପାରିବ। ଏହାଛଡା ପରିବାର ଲୋକେ ମଧ୍ୟ ସଂକ୍ରମଣ ଠାରୁ ଦୂରରେ ରହିପାରିବେ। କରୋନା ଚିହ୍ନଟ ଗର୍ଭବତୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି।

ସେ କହିଲେ ଆମେ ସମସ୍ତେ ଯଦି ସରକାରଙ୍କ ଗାଇଡଲାଇନ ପାଳନ କରିବା, ତାହେଲେ ଘରେ ହୋମ ଆଇସୋଲେସନରେ ରହିପାରିବା। କିନ୍ତୁ ଏଥିପାଇଁ ଆମକୁ ସଂପୂର୍ଣ୍ଣ ଭାବେ ଆଇସୋଲେସନରେ ରଖିବାକୁ ହେବ। ଏପରିକି ପରିବାର ଲୋକଙ୍କ ସହିତ ଆଦୌ ମିଳାମିଶା କରିିବା ନାହିଁ। ଖାଇବା-ପିଇବା, ପିନ୍ଧିବା, ଶୌଚାଳୟ ପ୍ରତି ଧ୍ୟାନ ଦେବା। ହୋମ ଆଇସୋଲେସନର ଗାଇଡଲାଇନକୁ ପାଳନ କରିବା। ଦିନକୁ ୩ ଥର ତାପମାତ୍ରା ମାପିବା ଓ ସରକାରଙ୍କୁ ସମସ୍ତ ସ୍ୱାସ୍ଥ୍ୟ ଜନିତ ଭଲମନ୍ଦ ଜଣାଇବା।

ରାଜ୍ୟ ସରକାର ହୋମ ଆଇସୋଲେସନରେ ରହୁଥିବା କରୋନା ଆକ୍ରାନ୍ତଙ୍କୁ ଔଷଧ କିଟ ଦେଉଛନ୍ତି। ଏଥିରେ ପାରାସିଟାମଲ, ଆଜିଥ୍ରୋମଇଜିନ, ଲିଭୋ ସେଟ୍ରିଜିନ ରହୁଛି। ସାଧାରଣ ଜ୍ଵର ହେଲେ ପାରାସିଟାମଲ ଖାଇଲେ କମିଯାଏ। କିନ୍ତୁ କୋଭିଡରେ ତାହା ହୁଏ ନାହିାଁ କାଶ, ଥଣ୍ଡା, ବାସ୍ନା ବାରି ନପାରିବା, ବାରମ୍ବାର ଝାଡ଼ା ହେବା, ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରିବା ଇତ୍ୟାଦି ହେଉଛି କରୋନାର ଲକ୍ଷଣ । ଏସବୁ ଲକ୍ଷଣ ଦେଖାଗଲେ ଆମେ ଜାଣିବା କରୋନା ସଂକ୍ରମିତ ଅଛୁ। ରାଜ୍ୟ ସରକାର ହୋମ ଆଇସୋଲେସନରେ ରହୁଥିବା ଆକ୍ରାନ୍ତଙ୍କୁ ଦେଉଥିବା ଔଷଧ କିଟରେ ଯଦି କରୋନା ଆକ୍ରାନ୍ତ ଭଲ ନହୁଅନ୍ତି ତାହେଲେ କୋଭିଡ ହସ୍ପିଟାଲକୁ ନିଆଯିବ। ତାପାମାତ୍ରା ଅଧିକ ରହିବା ଦ୍ୱାରା ପାରାସିଟାମଲ ଖାଇଲେ ମଧ୍ୟ ଜ୍ୱର କମିବ ନାହିଁ। ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତି ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ବୋଲି ଡ. ମହାନ୍ତି ପରାମର୍ଶ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ତରଫରୁ ଡ. ନିରଂଜନ ମିଶ୍ର କହିଛନ୍ତି ଜଣେ ଆକ୍ରାନ୍ତ ଲକ୍ଷଣ ଆରମ୍ଭ ହେବା ଦିନଠାରୁ ୧୦ ଦିନ ପର୍ଯ୍ୟନ୍ତ ପୃଥକବାସରେ ରହିବା ଆବଶ୍ୟକ। ପୃଥକବାସ ପୂରଣ ହେବା ପରେ ପୁଣି ୭ ଦିନ ଲାଗି ସ୍ୱ-ନିରୀକ୍ଷଣରେ ରୁହନ୍ତୁ। ତାଙ୍କ ପରାମର୍ଶ ହେଲା ଜଣେ ବ୍ୟକ୍ତି କୋଭିଡ ମୁକ୍ତ ହୋଇଥିଲେ ଅନ୍ୟରୋଗରୁ ଆରୋଗ୍ୟ ପାଇଁ ଔଷଧ ନେଇପାରିବେ। କୋଭିଡରେ ଆକ୍ରାନ୍ତଙ୍କ ନିକଟରେ ୧୫ ମିନିଟରୁ ଅଧିକ ସମୟ ରହିଲେ ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।