କରୋନା ପାଇଁ ପାର୍ବଣ ଋତୁରେ ଅଧିକ ସତର୍କ ରହିବାକୁ ହେବ : ବିଏମ୍‌ସି କମିସନର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ହ୍ରାସ ପାଉଛି। କିନ୍ତୁ ପାର୍ବଣ ଋତୁରେ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। ଦୁର୍ଗାପୂଜା ସମୟରେ ଷଷ୍ଠୀ ଓ ସପ୍ତମୀ ତିଥିରେ ବଜାରରେ ବହୁତ ଭିଡ ରହୁଥିବାରୁ ଏହି ସମୟରେ ସପିଂ କମ କରିବାକୁ ହେବ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିସନର ପ୍ରେମଚନ୍ଦ୍ର ଚୌଧୁରୀ।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌଧୁରୀ କହିଛନ୍ତି କେରଳରେ ବିଗତ ଦିନରେ କରୋନା ସଂକ୍ରମଣ କମିଥିଲା। କିନ୍ତୁ ଓନାମ ପର୍ବ ସମୟରେ ଲୋକେ ଏକତ୍ର ହେବା ପରେ ପୁଣି ବଢ଼ିଲା। ସେହିପରି ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ଏକଦା କରୋନା କମିଥିଲା। କିନ୍ତୁ ଏବେ ପୁଣି ବଢ଼ିଛି। ପାର୍ବଣ ଋତୁ ସମୟରେ ଆମକୁ ସତର୍କ ରହିବାକୁ ହେବ। ବିଏମସି, ବିଡିଏକୁ ନେଇ ଆମର ବୈଠକ ହେଉଥିବା ବେଳେ ପୂଜା କମିଟିମାନଙ୍କ ସହିତ ଆଲୋଚନା ଚାଲିଛି। ଲୋକଙ୍କୁ ସତର୍କ କରାଯାଉ ସେମାନେ ଘରେ ପୂଜା କରନ୍ତୁ।

ସେ କହିଲେ ଗତକାଲି ଯାଏଁ ଭୁବନେଶ୍ୱର ସରକାରୀ ହସ୍‌ପିଟାଲରେ ୧୦୦ଟି ଆଇସିୟୁ ଖାଲିଥିଲା। ରାଜଧାନୀରେ କରୋନା ଆକ୍ରାନ୍ତ ବ୍ୟକ୍ତିମାନେ ସୁସ୍ଥ ହେଉଥିବାରୁ ଜାମୁଝରି ଓ ଜଟଣୀରେ ଥିବା କୋଭିଡ କେୟାର ସେଣ୍ଟରକୁ ବନ୍ଦ କରି ଦିଆଯାଇଛି। ଏଠାରେ କରୋନା ଆକ୍ରାନ୍ତଙ୍କ ପାଇଁ ୭୫୦ ଶଯ୍ୟା ଥିଲା ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

ମତାମତ ଦିଅନ୍ତୁ ।