କରୋନା ପ୍ରଭାବରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବଢୁଛି

ନୂଆଦିଲ୍ଲୀ : ମହାମାରୀ କରୋନାର ପ୍ରଭାବ ଦେଶର ସବୁ କ୍ଷେତ୍ର ଉପରେ ପଡିଛି। ବେରୋଜଗାରୀ ବଢିଥିବା ବେଳେ ଖାଦ୍ୟ ସାମଗ୍ରୀ ମହଙ୍ଗା ହେଉଛି। ପ୍ରଭାବିତ ହୋଇଛି ଅର୍ଥନୀତି। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ ପ୍ରୋଗ୍ରାମ ନିୟୋଜନ ମନ୍ତ୍ରାଳୟ ରିପୋର୍ଟରୁ ଏହା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ ଜୁନ୍ ମାସରେ ଗ୍ରାହକ ମୂଲ୍ୟ ସୂଚକାଙ୍କ ବା ସିପିଆଇ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୨୩ ପ୍ରତିଶତ ରହିଥିଲା। ଜୁଲାଇ ମାସରେ ଏହି ହାର ୬.୯୩ ପ୍ରତିଶତରେ ପହଞ୍ଚିଛି। ସେହିପରି ଖାଦ୍ୟ ମୁଦ୍ରାସ୍ଫୀତି ଜୁନରେ ୮.୭୨ ପ୍ରତିଶତ ଥିବା ବେଳେ ଜୁଲାଇରେ ୯.୬୨ ହୋଇଛି। ତେବେ ଦେଶରେ କରୋନା ଲକଡାଉନ୍ ପାଇଁ ଏପ୍ରିଲ୍ ଓ ମେ ମାସରେ ଖୁଚୁରା ମୁଦ୍ରାସ୍ଫୀତି ରିପୋର୍ଟ ଜାରି କରାଯାଇ ନାହିଁ। ସିପିଆଇ ଏପ୍ରିଲ୍ ମାସରେ ମାର୍ଚ୍ଚ ମାସର ସଂଶୋଧିତ ରିପୋର୍ଟ ୫.୮୪ ପ୍ରତିଶତକୁ ୫.୯୧ ପ୍ରତିଶତରେ ସଂଶୋଧନ କରିଛି। ଜୁଲାଇ ମାସରେ ଗ୍ରାହକ ଖାଦ୍ୟ ମୂଲ୍ୟ ସୂଚକାଙ୍କରେ ମୁଦ୍ରାସ୍ଫୀତି ୯.୬୨ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ଜୁନ୍ ପାଇଁ ୭.୮୭ ପ୍ରତିଶତରୁ ୮.୭୨ ପ୍ରତିଶତକୁ ସଂଶୋଧନ କରାଯାଇଛି।

ଖୁଚୁରା ମୁଦ୍ରାସ୍ଫୀତି ମୁଖ୍ୟତଃ ଡାଲି ଓ ଅନ୍ୟାନ୍ୟ ଉତ୍ପାଦିତ ମୂଲ୍ୟର ବୃଦ୍ଧି ହେତୁ ଜୁଲାଇ ବାର୍ଷିକ ରିପୋର୍ଟ ଅନୁଯାୟୀ ୧୫.୯୨ ପ୍ରତିଶତ ବୃଦ୍ଧି ପାଇଥିଲା। ଡାଲି ଓ ଉତ୍ପାଦ ବିଭାଗ ବ୍ୟତୀତ ମାଂସ ଓ ମାଛରେ ୧୮.୮୧ ପ୍ରତିଶତ ବୃଦ୍ଧି ହୋଇଛି। ତେଲ ଓ ଚର୍ବି ଜାତୀୟ ଖାଦ୍ୟରେ ୧୨.୪୧ ପ୍ରତିଶତ ଏବଂ ମସଲା ମୂଲ୍ୟ ୧୩.୨୭ ପ୍ରତିଶତ ବୃଦ୍ଧି ପାଇଛି। ପନିପରିବାରେ ୧୧.୨୯ ପ୍ରତିଶତ ବୃଦ୍ଧି ଘଟିଥିବା ରିପୋର୍ଟରେ କୁହାଯାଇଛି।

ମତାମତ ଦିଅନ୍ତୁ ।