କରୋନା ସାମାନ୍ୟ ରୋଗ, ଭୟଭୀତ ହେବାର କାରଣ ନାହିଁ : ଡକ୍ଟର ରଣଦୀପ ଗୁଲେରିଆ

0

ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହା ଏକ ସାମାନ୍ୟ ରୋଗ। ଭୟଭୀତ ହେବାର କୌଣସି କାରଣ ନାହିଁ। ଏହା କହିଛନ୍ତି ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ।

ରବିବାର ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ମେଦାନ୍ତ ଅଧ୍ୟକ୍ଷ ଡକ୍ଟର ନରେଶ ତ୍ରେହାନ, ଏମ୍‌ସର ମେଡିସିନ୍‌ ବିଭାଗର ପ୍ରଫେସର ତଥା ଏଚ୍‌ଓଡି ନବୀନ ୱିଗ୍‌ ଓ ସ୍ଵାସ୍ଥ୍ୟ‌ ସେବାର ମହାନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର କରୋନା ଭାଇରସ୍‌ ସଂପର୍କିତ ସମସ୍ୟାକୁ ନେଇ ସମ୍ବୋଧନ କରିଛନ୍ତି।

ଏହି ଅବସରରେ ଡକ୍ଟର ଗୁଲେରିଆ କହିଛନ୍ତି କରୋନା ଏକ ସାମାନ୍ୟ ରୋଗ। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ। ସେ କହିଛନ୍ତି ଯଦି ଆମେ କୋଭିଡ୍‌-୧୯ର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆଲୋଚନା କରିବା ତେବେ ଏହା ସର୍ବସାଧାରଣରେ ଆତଙ୍କ ସୃଷ୍ଟି କରିଛି। ଏହି ଆତଙ୍କ ଯୋଗୁ ଲୋକମାନେ ନିଜ ଘରେ ଇଞ୍ଜେକ୍ସନ, ରେମଡେସିଭିର୍ ଡ୍ରଗ୍ ବ୍ୟତୀତ ଏବେ ଅମ୍ଳଜାନ ସିଲିଣ୍ଡର ରଖିବା ଆରମ୍ଭ କରି ଦେଇଛନ୍ତି। ଯାହାଫଳରେ ଆମେ ଯୋଗାଣ ଅଭାବର ସମ୍ମୁଖୀନ ହେଉଛୁ ଓ ଅନାବଶ୍ୟକ ଆତଙ୍କ ସୃଷ୍ଟି ହେଉଛି।

‌ଡକ୍ଟର ଗୁଲେରିଆ କହିଛନ୍ତି କରୋନା ଏକ ସାଧାରଣ ସଂକ୍ରମଣ। ୮୦ରୁ ୯୦ ପ୍ରତିଶତ ଲୋକଙ୍କ ଭିତରେ ଜ୍ୱର, ଥଣ୍ଡା, ଶରୀର ଯନ୍ତ୍ରଣା ଓ କାଶ ଭଳି ସାଧାରଣ ଲକ୍ଷଣ ରହିଛି। ଏହି କ୍ଷେତ୍ରରେ ରେମଡେସିଭିର୍ କିମ୍ବା ଅନ୍ୟାନ୍ୟ ପାୱାରଫୁଲ୍‌ ଔଷଧର ଆବଶ୍ୟକତା ନାହିଁ। ଏପରି ସାଧାରଣ ଲକ୍ଷଣ ଥିଲେ ଆପଣ ସାଧାରଣ ଔଷଧ ନେଇ ଘରୋଇ ଉପଚାର ଓ ଯୋଗ ସାହାଯ୍ୟରେ ଭଲ ହୋଇପାରିବେ। ଏପରି କଲେ ମାତ୍ର ୭ ରୁ ୧୦ ଦିନ ମଧ୍ୟରେ ଭଲ ହୋଇଯିବେ। ଆପଣଙ୍କ ଘରେ ରେମଡେସିଭିର୍ କିମ୍ବା ଅମ୍ଳଜାନ ରଖିବା ଆବଶ୍ୟକ ନାହିଁ।

Leave A Reply

Your email address will not be published.