କରୋନା ସମୟରେ ଓଡିଶାରେ ବଢିଛି ଡ୍ରପ୍ ଆଉଟ୍

ଭୁବନେଶ୍ୱର : ରାଜ୍ୟରେ କରୋନାର ପ୍ରଥମ ଲହର ସମୟରେ ଡ୍ରପ୍ ଆଉଟ୍ ହାର ବଢିଛି। ହାଇସ୍କୁଲ ଶିକ୍ଷା ପରେ ୨୪ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଠପଢା ଛାଡିଥିବା ବେଳେ ଏହା ସଂଖ୍ୟାରେ ଛାତ୍ରଙ୍କ ଡ୍ରପ୍ଆଉଟ୍ ହାର ଅଧିକ ରହିଛି। ସେହିପରି ଅନଲାଇନ୍ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ୯୭ ପ୍ରତିଶତ ସରକାରୀ ସ୍କୁଲରେ ଇଣ୍ଟରନେଟ୍ ନାହିଁ। ୪୫ ହଜାର ବିଦ୍ୟାଳୟରେ କମ୍ପ୍ୟୁଟର ନଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ରିପୋର୍ଟରୁ ଜଣାପଡିଛି।

୨୦୧୯-୨୦ ଶିକ୍ଷାବର୍ଷ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ହାଇସ୍କୁଲ ଶିକ୍ଷା ପରେ ୨୪ ପ୍ରତିଶତ ଛାତ୍ରଛାତ୍ରୀ ପାଠ ଛାଡ଼ୁଛନ୍ତି। ଉଚ୍ଚ ପ୍ରାଥମିକ ସ୍ତରରେ ମଧ୍ୟ ଡ୍ରପ୍-ଆଉଟ୍ ହାର ରହିଛି ୪.୩ ପ୍ରତିଶତ। କିନ୍ତୁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏହି ହାର ମାତ୍ର ୦.୯ ପ୍ରତିଶତ ରହିଛି। ଯାହାକି ଜାତୀୟ ସ୍ତର ତୁଳନାରେ ଅତି ଉତ୍ତମ। କାରଣ ଜାତୀୟ ସ୍ତରରେ ପ୍ରାଥମିକ ଶିକ୍ଷାପରେ ୧.୫%, ଉଚ୍ଚ ପ୍ରାଥମିକ ୧.୮% ଓ ହାଇସ୍କୁଲରେ ୧୭.୩% ପିଲା ଅଧାରୁ ପାଠ ଛାଡ଼ୁଛନ୍ତି। ତେବେ ଓଡ଼ିଶାରେ ଛାତ୍ରୀଙ୍କ ତୁଳନାରେ ଅଧିକ ସଂଖ୍ୟକ ଛାତ୍ର ଅଧାରୁ ପାଠ ଛାଡ଼ୁଛନ୍ତି। ପ୍ରାଥମିକ ସ୍ତରରେ ୦.୯% ଛାତ୍ର ଓ ୦.୮% ଛାତ୍ରୀ, ଉଚ୍ଚ ପ୍ରାଥମିକସ୍ତରରେ ୪.୬% ଛାତ୍ର ଓ ୩.୯% ଛାତ୍ରୀ ଏବଂ ହାଇସ୍କୁଲସ୍ତରରେ ୨୫.୭% ଛାତ୍ର ଓ ୨୨.୨% ଛାତ୍ରୀ ଅଧାରୁ ପାଠ ଛାଡ଼ୁଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ଦାରିଦ୍ର୍ୟତା, ନିରକ୍ଷରତା ଓ ନିଯୁକ୍ତି ସୁଯୋଗ ନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ବେଳେ ଉପାନ୍ତ ଅଞ୍ଚଳରେ ଏପରି ଦେଖାଦେଉଥିବା କୁହାଯାଇଛି।

ରାଜ୍ୟ ସରକାର କରୋନା କାଳରେ ଅନଲାଇନ୍ ଶିକ୍ଷାକୁ ପ୍ରାଥମିକତା ଦେଉଛନ୍ତି। ହ୍ୱାଟସ-ଆପ୍, ୟୁ-ଟ୍ୟୁବ୍ ଓ ଦୂରଦର୍ଶନ ମାଧ୍ୟମରେ ପିଲାଙ୍କ ନିକଟରେ ପହଞ୍ଚିବାକୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାତ୍ର ରାଜ୍ୟର ୨.୭୨% ସରକାରୀ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ରହିଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ମୋଟ ୫୩ ହଜାର ୨୬୦ ସରକାରୀ ସ୍କୁଲ ମଧ୍ୟରୁ ମାତ୍ର ୧୪୫୦ ବିଦ୍ୟାଳୟରେ ଏହି ସୁବିଧା ଉପଲବ୍ଧ। ରାଜ୍ୟର ୨୫.୪୬% ବିଦ୍ୟାଳୟରେ କମ୍ପ୍ୟୁଟର୍ ରହିଛି। ସେଥିରୁ ୧୫.୯୬% ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ରହିଛି। ଏହାଛଡା ସବୁ ସରକାରୀ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ଏଯାଏଁ ହୋଇପାରିନି। କିନ୍ତୁ ତାମିଲନାଡ଼ୁ, ଦିଲ୍ଲୀ, ଗୋଆ ଓ ପଞ୍ଜାବରେ ସମସ୍ତ ସରକାରୀ ବିଦ୍ୟାଳୟରେ ବିଦ୍ୟୁତ ସେବା। କିନ୍ତୁ ସ୍କୁଲକୁ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର
between image and heading

Comments are closed.