କରୋନା ସମ୍ପର୍କିତ ତଥ୍ୟ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବନି : ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କରୋନା ସମ୍ପର୍କିତ ତଥ୍ୟ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ। ଗୁଜବ ପ୍ରଚାର ନାମରେ ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ଏହାକୁ ଅଦାଲତ ଅବମାନନା ଭାବେ ବିଚାର କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଦେଶରେ କରୋନା ସଂକ୍ରମଣ ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏଲଏନ୍‌ ରାଓ ଓ ଜଷ୍ଟିସ ଏସ୍‌ଆର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି। ଆଉ ପଚାରିଛନ୍ତି ଗୋଟିଏ ପ୍ରକାରର କରୋନା ଟିକାର ଦାମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଭିନ୍ନ ଭିନ୍ନ କାହିଁକି। ଦେଶରେ ଲକଡାଉନ, ଅକ୍ସିଜେନ ଆବଣ୍ଟନ ଓ ଔଷଧ ଉପଲବ୍ଧ କରାଇବାକୁ କ’ଣ ସବୁ ଯୋଜନା ହୋଇଛି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି।

ଏହି ଅବସରରେ ଖଣ୍ଡପୀଠ କହିଛନ୍ତି ଆମ ପାଖରେ ଏମିତି କିଛି ଆବେଦନ ପହଞ୍ଚିଛି ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ କମ୍ପାନୀର ଟିକାର ମୂଲ୍ୟ କେନ୍ଦ୍ର, ରାଜ୍ୟ ଓ ଘରୋଇ ହସ୍ପିଟାଲ ପାଇଁ ଭିନ୍ନଭିନ୍ନ ରହୁଛି। ଏହା ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଏହା ପଛର କାରଣ କ’ଣ ? କାହିଁକି ସରକାର ସବୁ ଟିକା କିଣି ଜାତୀୟ ସ୍ତରରେ ଶୃଙ୍ଖଳିତ ଢଙ୍ଗରେ ଟିକାକରଣ କରୁନାହାନ୍ତି ? ସରକାର ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବିଚାର କରନ୍ତୁ। ସେହିପରି ବିଭିନ୍ନ ଟିକାକୁ ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକାର ଦେବାର ବ୍ୟବସ୍ଥା ହେବା ଉଚିତ।

ଘରୋଇ ଟିକା ଉତ୍ପାଦନକାରୀ କମ୍ପାନୀ କେଉଁ ରାଜ୍ୟକୁ କେତେ ଟିକା ଦିଆଯିବ ତା’ର ନିଷ୍ପତ୍ତି ନେଇପାରିବେ ନାହିଁ। ଟିକା ପାଇବାରେ କ’ଣ ଗୋଟିଏ ରାଜ୍ୟ ତୁଳନାରେ ଆଉ ଗୋଟିଏ ରାଜ୍ୟକୁ ଅଧିକ ଗୁରୁତ୍ୱ ଦିଆଯିବ ? ଉତ୍ପାଦନକାରୀ କମ୍ପାନୀ କେମିତି ଟିକାର ସମାନ ଆବଣ୍ଟନ କରିବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହାପରେ କେନ୍ଦ୍ର ସରକାର କହିଛନ୍ତି ୧୮ରୁ ୪୫ ବର୍ଷ ବୟସର କେତେ ଲୋକ ରହିଛନ୍ତି ତା’ର ତଥ୍ୟ କୋର୍ଟଙ୍କ ନିକଟରେ ଦାଖଲ କରାଯିବ।

ସେହିପରି ଖଣ୍ଡପୀଠ କହିଛନ୍ତି କରୋନା ସଂକ୍ରମଣ ସମୟରେ ଅକ୍ସିଜେନ, ବେଡ୍‌ର ଅଭାବନ ଓ ଚିକିତ୍ସା ସମ୍ପର୍କରେ ଯେକୌଣସି ଅଭିଯୋଗ ସୋସିଆଲ ମିଡିଆରେ ପୋଷ୍ଟ କଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇ ପାରିବ ନାହିଁ। ଏଭଳି ଏକ ମାନବ ସଙ୍କଟ ପରିସ୍ଥିତିରେ ଯଦି ଅଭାବ ଓ ଆବଶ୍ୟକର ଖବର ସୋସିଆଲ ମିଡିଆରେ ଆସିଥାଆନ୍ତା ତେବେ ଆମେ ନିଶ୍ଚିତ ଭଲ ସ୍ଥିତିରେ ରହିଥାଆନ୍ତୁ। ଉକ୍ତ ପୋଷ୍ଟ ଗୁଡ଼ିକ ଆଧାରରେ ସମସ୍ୟାର ସମାଧାନ ମଧ୍ୟ କରିପାରିଥାଆନ୍ତୁ ବୋଲି କୋର୍ଟ କହିଛନ୍ତି।

ଏହାବ୍ୟତୀତ କୋର୍ଟ କହିଛନ୍ତି କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଲାଗୁ କରିବାକୁ ଯୋଜନା କରୁଛନ୍ତି କି ? ଏହା ଉପରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରନ୍ତୁ। ଜୀବନ ରକ୍ଷାକାରୀ କରୋନା ଔଷଧ ରେମଡେସିଭିରର ଅଭାବ ଉପରେ କୋର୍ଟ କହିଛନ୍ତି ବର୍ତ୍ତମାନ ସମୟରେ ଆମେ ରେମଡେସିଭିର୍‌ର ପାଣ୍ଟେଟ ନିୟମ ବଦଳାଇ ପାରିବା। ଭାରତ ପଡ଼ୋଶୀ ବାଂଲାଦେଶ ଠାରୁ ରେମଡେସିଭିର ଔଷଧ ନିଜ ଦେଶରେ ଉତ୍ପାଦନ କରିବାକୁ ଅନୁମତି ମଧ୍ୟ ଆଣିପାରିବ। ସେହିପରି ଅକ୍ସିଜେନ ସପ୍ଲାଏ ଟ୍ୟାଙ୍କର ଓ ସିଲିଣ୍ଡର ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ପହଞ୍ଚାଇବାକୁ କ’ଣ ସବୁ ବ୍ୟବସ୍ଥା ହୋଇଛି। ଦେଶରେ ଦୈନିକ ପ୍ରାୟ ୮,୫୦୦ ମେଟ୍ରିକ ଟନ୍‌ର ଅକ୍ସିଜେନ ଆବଶ୍ୟକ ପଡ଼ୁଛି। କେନ୍ଦ୍ର ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ରହିଛି କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ତେବେ ସଲିସିଟର ଜେନେରାଲ କହିଥିଲେ ଦୈନିକ ଆମ ପାଖରେ ୧୦,୦୦୦ ମେଟ୍ରିନ ଟନ୍‌ ଅକ୍ସିଜେନ ଉପଲବ୍ଧ ହେଉଛି। ଭାରତରେ ଅକ୍ସିଜେନର କୌଣସି ଅଭାବ ନାହିଁ। କିଛି ସ୍ଥାନରେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଅଭାବ ସୃଷ୍ଟି ହେଉଛି।

Leave A Reply

Your email address will not be published.