କରୋନାର ତୃତୀୟ ଲହର ଛୋଟ ପିଲାଙ୍କୁ ଅଧିକ ସଂକ୍ରମିତ କରିବ ପ୍ରମାଣ ମିଳିନି : ଡା ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ : କରୋନାର ସମ୍ଭାବ୍ୟ ତୃତୀୟ ଲହର ଛୋଟ ପିଲାମାନଙ୍କୁ ଅଧିକ ସଂକ୍ରମିତ କରିବ ବୋଲି ଆଶଙ୍କା କରାଯାଉଛି। ଏହାର ମୁକାବିଲା ପାଇଁ ଓଡ଼ିଶା ଭଳି କିଛି ରାଜ୍ୟ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ହେଲେ ଏମ୍ସ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ କହିଛନ୍ତି ତୃତୀୟ ଲହର ଛୋଟ ପିଲାମାନଙ୍କୁ ଅଧିକ ମାତ୍ରାରେ ସଂକ୍ରମିତ କରିବାର କିଛି ପ୍ରମାଣ ନାହିଁ।

ଗୁଲେରିଆ କହିଛନ୍ତି କରୋନାର ନୂଆ ଓ ପୁରୁଣା ଭାରିଏଣ୍ଟ ଛୋଟ ପିଲାମାନଙ୍କୁ ଅଧିକ ସଂକ୍ରମିତ କରୁଛି ବୋଲି ଏଯାଏ ପ୍ରମାଣ ମିଳିନି। ଆମେ ଯଦି ଭାରତର ପ୍ରଥମ ଓ ଦ୍ୱିତୀୟ ଲହର ସହ ବିଶ୍ୱର ସମସ୍ତ ତଥ୍ୟ ଦେଖିବା ତେବେ ଏକଥା ସ୍ପଷ୍ଟ ଭାବେ ଜଣାପଡ଼ୁଛି। ତେଣୁ ଆମେ କେବେ ହେଲେ କହିପାରିବା ନାହିଁ ତୃତୀୟ ଲହର ଆସିଲେ ଛୋଟ ପିଲାଙ୍କୁ ଅଧିକ ସଂକ୍ରମିତ କରିବ।

ଦ୍ୱିତୀୟ ଲହର ତଥ୍ୟ ଅନୁଯାୟୀ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୬୦ରୁ ୭୦ ପ୍ରତିଶତ ଛୋଟ ପିଲା ଅନ୍ୟ ରୋଗରେ ପୀଡ଼ିତ ଥିଲେ। ସେମାନେ ବହୁବିଧ ରୋଗରେ ପୀଡ଼ିତ ଥିବାରୁ ସେମାନେ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିଛି ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ ଥିବା ବେଳେ ଆଉ କିଛି ପିଲା କେମୋ ଥେରାପୀ ନେଉଥିଲେ। ସ୍ୱାସ୍ଥ୍ୟବାନ ପିଲା କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ି ନଥିଲା।

୧୯୧୮ ମହାମାରୀ ତଥ୍ୟକୁ ଆମେ ଯଦି ଦେଖିବା ତା’ହେଲେ ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ସର୍ବାଧିକ ମୃତ୍ୟୁ ଓ ସଂକ୍ରମିତ ଦ୍ୱିତୀୟ ଲହର ବେଳେ ଚିହ୍ନଟ ହୋଇଥିଲେ। ସେହିପରି ତୃତୀୟ ଲହରରେ ଏହି ସଂଖ୍ୟା କମ ରହିଥିଲା। ତେଣୁ କରୋନା ମହାମାରୀ ଯୋଗୁ ସେମିତି କିଛି ଘଟିପାରେ।
ଲକଡାଉନ ଯୋଗୁ ସଂକ୍ରମଣ କମିଛି। କିନ୍ତୁ ଅନଲକ ପରେ ପୁଣି ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଅନଲକ ପରେ ସମସ୍ତଙ୍କୁ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଏପରି ହେଲେ କରୋନା ସଂକ୍ରମଣର ଚେନ୍‌କୁ ଆମେ ଭାଙ୍ଗି ପାରିବା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.