କରୋନାକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ

ବ୍ରହ୍ମଗିରି : ପୁରୀ ଜିଲ୍ଲା ନିସିଭଅଁର ଗାଁରେ କରୋନାକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗାଁ’ରେ ହୋଇଛି ବୋମାମାଡ। ଏହି ଘଟଣାରେ ଜଣେ ଆହତ ହୋଇଥିବା ବେଳେ ଉତ୍ତେଜନା ସୃଷ୍ଟି ହୋଇଛି।

ଖବର ଅନୁଯାୟୀ ନିସିଭଅଁର ଗାଁ’ର ଜଣେ ବ୍ୟକ୍ତି କିଛିଦିନ ତଳେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିଥିଲେ। କ୍ୱାରେଣ୍ଟିନ୍‌ ଅବଧି ନ ସରିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଗାଁକୁ ଚାଲି ଆସି ଲୋକଙ୍କ ସହ ମିଶିବା ସହିତ କୁଆଡେ ଭୋଜିଭାତ କରିଥିଲେ। ଗତକାଲି ସେହି ବ୍ୟକ୍ତିଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କିନ୍ତୁ ଗତକାଲି ନିସିଭଅଁର ଗାଁର ଜଣେ ବ୍ୟକ୍ତି ଅନ୍ୟ ଏକ ଗାଁ’ରେ ଥିବା ତାଙ୍କ ବନ୍ଧୁଙ୍କ ଘରକୁ ଯାଇଥିଲେ। ସେ ଗାଁ’ର ଲୋକେ କହିଥିଲେ ତୁମ ଗାଁ’ରେ କରୋନା ପଜିଟିଭ୍‌ ବାହାରିଛି କାହିଁକି ଆମ ଗାଁକୁ ଆସିଛ। ଏହା କହିବା ସହିତ ତାଙ୍କୁ ଫେରାଇ ଦେଇଥିଲେ। ବ୍ୟକ୍ତି ଜଣଙ୍କ ଗାଁ’କୁ ଫେରିଯାଇ ଲୋକଙ୍କୁ ଏସମ୍ପର୍କରେ କହିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏପରିକି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ବୋମାମାଡ଼ ମଧ୍ୟ ହୋଇଛି। ଏହି ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।