କେନାଲ୍ ଭିତରକୁ ଖସି ପଡ଼ିଥିବା ଦୁଇ ହାତୀଛୁଆ ଉଦ୍ଧାର

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର କାନପୁର ଡ୍ୟାମ୍‌ ଶାଖା କେନାଲ୍ ଭିତରକୁ ଖସିପଡ଼ିଥିବା ଦୁଇ ଛୁଆ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଦୁଇ ଘଣ୍ଟାର ଅପରେସନ୍ ପରେ ମା’ ହାତୀଙ୍କ ସହାୟତାରେ ହାତୀ ଶାବକ ଦ୍ୱୟ କେନାଲ୍ ଭିତରୁ ବାହାରିବାକୁ ସକ୍ଷମ ହୋଇଛନ୍ତି।

ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ୨୨ ଟିକିଆ ହାତୀପଲ ବୈତରଣୀ ନଦୀ ପଟରୁ ଜାମୁଦଲକ ପଟକୁ ଆସୁଥିଲେ। କେନାଲ ପୁନରୁଦ୍ଧାର କାମ ଚାଲିଥିବାରୁ ୨ଟି ହାତୀ ଶାବକ କେନାଲ୍ ଭିତରକୁ ଖସିପଡ଼ିଥିଲେ। କେନାଲର ଗଭୀର ୪ ଫୁଟରୁ ଅଧିକ ଥିବାରୁ ହାତୀପଲ ବହୁ ଚେଷ୍ଟାକରି ଛୁଆଙ୍କୁ ଉଦ୍ଧାର କରିପାରି ନଥିଲେ। କିଛି ସମୟ ମଧ୍ୟରେ ୧୭ ଟି ହାତୀ ସେଠାରୁ ଚାଲିଯାଇଥିଲେ। ମାତ୍ର ୩ ମାଈ ହାତୀ ଦୁଇଟି ଛୁଆଙ୍କୁ ଜଗି ରହିଥିଲେ। ହାତୀପଲଙ୍କ ଚିତ୍କାର ଶୁଣି ଗ୍ରାମବାସୀ ବନ ବିଭାଗକୁ ଖବର ଦେବାରୁ ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ର ଅନ୍ୟ ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଜେସିବି ମେସିନ୍ ଦ୍ୱାରା ହାତୀ ଛୁଆଙ୍କ ବାହାରିବା ପାଇଁ ବାଟ କରାଯାଇଥିଲା। ଏହାପରେ ମା’ ହାତୀଙ୍କ ସହାୟତାରେ ହାତୀ ଶାବକ ଦ୍ୱୟ କେନାଲ୍ ଭିତରୁ ବାହାରିଥିଲେ। ଏବେ ଏହି ହାତୀପଲ ମୁକୁନ୍ଦପୁର ଜଙ୍ଗଲରେ ଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।