Breaking Newsରାଜ୍ୟ

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅରୁଣ

ଭୁବନେଶ୍ଵର: ୟୁଜିସି ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅଣ୍ଡର ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟର ଶେଷ ବର୍ଷ ସେମିଷ୍ଟର ପରୀକ୍ଷା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କରିବା ପାଇଁ ବାଧ୍ୟତାମୂଳକ କରାଯାଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କଙ୍କୁ ଆଜି ଚିଠି ଲେଖିଛନ୍ତି ।

ୟୁଜିସି ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟ ସରକାର ସମସ୍ତ କୁଳପତିମାନଙ୍କ ସହିତ ବୈଠକ କରି ଛାତ୍ରଛାତ୍ରୀମାନଙ୍କ ହିତ ଦୃଷ୍ଟିରୁ ଅଣ୍ଡର ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟର ଶେଷ ବର୍ଷ ସେମିଷ୍ଟର ପରୀକ୍ଷାକୁ ବାତିଲ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କର ପୂର୍ବ ସେମିଷ୍ଟର ପରୀକ୍ଷାଗୁଡିକରେ ପାଇଥିବା ମାର୍କକୁ ଆଧାର କରି ଶେଷ ବର୍ଷ ଫଳ ପ୍ରକାଶ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀମାନଙ୍କର ଶ୍ରେଣୀଗୃହ ପରୀକ୍ଷା କିମ୍ବା ଅନଲାଇନ ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ଡ଼ଃ ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ ୟୁଜିସି ଦ୍ୱାରା ଜାରି କରାଯାଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକାର ପୁନର୍ବିଚାର କରିବା ପାଇଁ ମନ୍ତ୍ରୀ ଡ଼ଃ ସାହୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ମତାମତ ଦିଅନ୍ତୁ ।

Back to top button