Breaking Newsରାଜ୍ୟ

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ପୁଣି ପତ୍ର ଲେଖିଲେ ଅରୁଣ

ଭୁବନେଶ୍ଵର: ଜୁଲାଇ ୬ ତାରିଖରେ ୟୁଜିସି ଦ୍ୱାରା ଜାରି କରାଯାଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟରେ ଅଣ୍ଡର ଗ୍ରାଜୁଏଟ୍‌ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ ଶେଷବର୍ଷ ସେମିଷ୍ଟାର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏ ପରିପ୍ରେକ୍ଷୀରେ ୟୁଜିସିର ମାର୍ଗଦର୍ଶିକାର ପୁନର୍ବିଚାର କରିବା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିକଳ୍ପ ମୂଲ୍ୟାୟନ ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ଅନୁରୋଧ ଜଣାଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପୁଣିଥରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୱାଲ୍‌ ନିଶଙ୍କଙ୍କୁ ପତ୍ର ଲେଖିଛନ୍ତି ।

ମନ୍ତ୍ରୀ ଡ. ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜୁଲାଇ ୯ ତାରିଖରେ ଲେଖିଥିବା ପତ୍ରର ପ୍ରାୟ ୧୫ ଦିନ ମଧ୍ୟରେ ଭାରତ ତଥା ରାଜ୍ୟର କୋଭିଡ୍‌-୧୯ ସ୍ଥିତି ଅଧିକ ଜଟିଳ ହୋଇଛି । ଆଗାମୀ ମାସଗୁଡ଼ିକରେ ଏହା ଆହୁରି ଅଧିକ ବ୍ୟାପକ ହେବାର ଆଶଙ୍କା ରହିଛି । ଏପରି ସ୍ଥିତିରେ ୟୁଜିସିର ପରିବର୍ତ୍ତିତ ମାର୍ଗଦର୍ଶିକା ଅନୁଯାୟୀ ଅଣ୍ଡରଗ୍ରାଜୁଏଟ୍‌ ଏବଂ ପୋଷ୍ଟଗ୍ରାଜୁଏଟ୍‌ର ଶେଷବର୍ଷ ସେମିଷ୍ଟାର ପରୀକ୍ଷା କରାଇବା ସମ୍ଭବ ଏବଂ ସମୀଚିନ ନୁହେଁ । ରାଜ୍ୟର ପ୍ରାୟ ୨ ଲକ୍ଷ ଅଣ୍ଡରଗ୍ରାଜୁଏଟ୍‌ ଏବଂ ପୋଷ୍ଟଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ ନିମ୍ନ ଏବଂ ମଧ୍ୟବିତ୍ତ ପରିବାରର ଏବଂ ସେମାନଙ୍କ ନିକଟରେ କମ୍ପ୍ୟୁଟର, ଲ୍ୟାପ୍‌ଟପ୍‌ କିମ୍ବା ସ୍ମାର୍ଟଫୋନ୍‌ ନଥିବା ଏବଂ ଗ୍ରାମାଞ୍ଚଳରେ ରହୁଥିବା ଦୃଷ୍ଟିରୁ ଉନ୍ନତ ଇଣ୍ଟରନେଟ୍‌ ସୁବିଧା ଅଭାବରୁ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେବା ସମ୍ଭବ ନୁହେଁ ।

ଏଥି ସହିତ ଖାତାକଲମରେ କ୍ଲାସ୍‌ରୁମ୍‌ରେ ପରୀକ୍ଷା ଦେବା ଦ୍ୱାରା ସଂକ୍ରମଣର ଆଶଙ୍କା, ସୀମିତ ହଷ୍ଟେଲରେ ଛାତ୍ରଛାତ୍ରୀମାନଙ୍କର ସାମାଜିକ ଦୂରତ୍ୱ ରକ୍ଷା ନ କରିପାରିବା, ସାଧାରଣ ପରିବହନ ବ୍ୟବସ୍ଥା ସ୍ୱାଭାବିକ ନ ହେବା, ବେସରକାରୀ ଭଡ଼ାଘରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଘର ମାଲିକ କୋଭିଡ୍‌-୧୯ ଆଶଙ୍କାରେ ଘରେ ରହିବାକୁ ଅନୁମତି ନଦେବା, ଅନେକ ମହାବିଦ୍ୟାଳୟଗୁଡ଼ିକୁ ଜିଲ୍ଲା ପ୍ରଶାସନ ଦ୍ୱାରା କ୍ୱାରାଣ୍ଟାଇନ୍‌ ସେଣ୍ଟର, କୋଭିଡ୍‌ କେୟାର ହୋମ୍‌, କୋଭିଡ୍‌ କେୟାର ସେଣ୍ଟର, କୋଭିଡ୍‌ କେୟାର ହସ୍‌ପିଟାଲ୍‌ରେ ପରିଣତ କରିବା ଆଦି କାରଣ ଯୋଗୁଁ ସେପେଫମ୍ବର ୨୦୨୦ ସୁଦ୍ଧା ଅଣ୍ଡରଗ୍ରାଜୁଏଟ୍‌ ଏବଂ ପୋଷ୍ଟଗ୍ରାଜୁଏଟ୍‌ ଶେଷବର୍ଷ ସେମିଷ୍ଟାର ପରୀକ୍ଷା କରାଇବା ସମ୍ଭବପର ହେବ ନାହିଁ ବୋଲି ମନ୍ତ୍ରୀ ଡ. ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ୟୁଜିସି ମାର୍ଗଦର୍ଶିକା ଅନୁଯାୟୀ ସେପ୍ଟେମ୍ବର ୨୦୨୦ ସୁଦ୍ଧା କରାଯିବାକୁ ଥିବା ପରୀକ୍ଷା କରୋନା ମହାମାରୀ ଯୋଗୁ ବିଳମ୍ବ ହୋଇପାରେ । ସେପରି କ୍ଷେତ୍ରରେ ଶିକ୍ଷାବର୍ଷ ସଂପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହେବା ସହିତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଏଥି ସହିତ ଇଣ୍ଟରମିଡିଏଟ୍‌ ବର୍ଷ/ସେମିଷ୍ଟାର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଯଦି ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଗ୍ରହଣ ହୋଇପାରିଛି, ତେବେ ଶେଷବର୍ଷ/ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଏହାକୁ ଗ୍ରହଣ କରିବା ଆବଶ୍ୟକ । ଯେଉଁ ସୀମିତ ସଂଖ୍ୟକ ଛାତ୍ରଛାତ୍ରୀ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ସନ୍ତୁଷ୍ଟ ହେବେ ନାହିଁ, ସେମାନେ କୋଭିଡ୍‌ ସ୍ଥିତି ସୁଧୁରିଲେ ନଭେମ୍ବର/ଡିସେମ୍ବର ମାସରେ ପରୀକ୍ଷା ଦେବାକୁ ନିଶ୍ଚିତ ଏକ ସୁଯୋଗ ପାଇବେ । ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ଶେଷବର୍ଷ/ସେମିଷ୍ଟାର ଫଳ ୨୦୨୦ ଅଗଷ୍ଟ ୩୧ ସୁଦ୍ଧା ଘୋଷଣା କରାଯାଇପାରିବ, ଯଦ୍ଦ୍ୱାରା ଶିକ୍ଷାବର୍ଷ ବାଧାପ୍ରାପ୍ତ ହେବ ନାହିଁ ବୋଲି ମନ୍ତ୍ରୀ ଡ. ସାହୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ ଜଣାଇଛନ୍ତି ।

ମତାମତ ଦିଅନ୍ତୁ ।

Back to top button