କେନ୍ଦ୍ର ସରକାରଙ୍କ ଏପ୍ରିଲ ଗାଇଡଲାଇନ : କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

0

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ଵିତୀୟ ଲହରରେ ସଂକ୍ରମଣ ବାଢୁଥିବାରୁ ଏହାର ନିୟନ୍ତ୍ରଣ ନିମନ୍ତେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଜି ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଏହା ଏପ୍ରିଲ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଗାଇଡଲାଇନରେ ଟେଷ୍ଟ, ଟ୍ରାକ ଓ ଟ୍ରିଟ ପ୍ରୋଟୋକଲ ଉପରେ ଗୁରୁତ୍ଵ ଦିଆଯାଇଥିବା ବେଳେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ରହିଛି।

ଦେଶରେ କରୋନା ପରୀକ୍ଷା ହାର କମ ହେଉଥିବାରୁ ସଂକ୍ରମିତଙ୍କ ଚିହ୍ନଟ ପ୍ରକ୍ରିୟା ମନ୍ଥର ହୋଇଛି। ଯାହା ଫଳରେ ସଂକ୍ରମଣ ବୃଦ୍ଧିକୁ ଆକଳନ କରାଯାଇପାରୁନି। ସେଥିପାଇଁ କେନ୍ଦ୍ର ସରକାର ଅଧିକ ସଂକ୍ରମଣ ପ୍ରବଣ ସ୍ଥାନରେ କରୋନା ପରୀକ୍ଷା ହାର ତ୍ଵରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମିତଙ୍କୁ ଚିହ୍ନଟ କରି ସେମାନଙ୍କୁ ସଙ୍ଗରୋଧ କରିବା ଓ ଅଧିକ ସଂକ୍ରମିତ ଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଛି। ଏହାଛଡା ସଂକ୍ରମିତଙ୍କୁ ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ଗାଇଡଲାଇନରେ ନିର୍ଦ୍ଦେଶ ରହିଛି।

ସେହିପରି ଟେଷ୍ଟ, ଟ୍ରାକ ଓ ଟ୍ରିଟ ପ୍ରୋଟୋକଲ ଅନୁସାରେ ସମସ୍ତ ରାଜ୍ୟରେ ପ୍ରଥମେ କରୋନା ଟେଷ୍ଟ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ। କରୋନା ପରୀକ୍ଷା ମଧ୍ୟରୁ ୭୦ ପ୍ରତିଶତ ଆରଟିପିସଆର୍ ପରୀକ୍ଷା ହେବ। ଆକ୍ରାନ୍ତ ବା ସଂକ୍ରମିତଙ୍କର କଣ୍ଟାକ୍ଟ ଟ୍ରେସିଂ ତୁରନ୍ତ କରାଯିବ। କେଉଁଠାରୁ ଓ କିପରି ସଂକ୍ରମଣ ହୋଇଛି ତାହା ନିର୍ଦ୍ଧାରଣ ଉପରେ ଗୁରୁତ୍ଵ ରହିବ। ସଂକ୍ରମିତଙ୍କ ଚିକିତ୍ସାକୁ ମଧ୍ୟ ତତୂଲ୍ୟ ଗୁରୁତ୍ଵ ଦେବାକୁ ପ୍ରୋଟୋକଲରେ ଉଲ୍ଲେଖ ଥିବା ବେଳେ ଟିକାକରଣକୁ ବ୍ୟାପକ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କାର୍ଯ୍ୟକ୍ଷେତ୍ର ଓ ସର୍ବସାଧାରଣ ସ୍ଥାନ ବିଶେଷକରି ଜନଗହଳି ପୂର୍ଣ୍ଣ ସ୍ଥାନରେ କୋଭିଡ ଉପଯୋଗୀ ଆଚରଣକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। ଫେସ୍ ମାସ୍କ ପିନ୍ଧିବା, ହାତର ସ୍ୱଚ୍ଛତା ବଜାୟ ରଖିବା ଓ ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରିବାକୁ କହିଛନ୍ତି। ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ଉପଯୁକ୍ତ ଜରିମାନା ଲାଗୁ କରିବାକୁ ମଧ୍ୟ କେନ୍ଦ୍ରର ନିର୍ଦ୍ଦେଶ ରହିଛି। ଏହାବ୍ୟତୀତ ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ଚଳାଚଳ ପୂର୍ବଭଳି ଜାରି ରହିବ। କରୋନା କଟକଣା ମାନି ସିନେଲା ହଲ, ମଲ ଓ ମାର୍କେଟ ଖୋଲି ପାରିବ। ଶିକ୍ଷାନୁଷ୍ଠାନ ଓ ରେଷ୍ଟୁରାଣ୍ଟ କଟକଣା ମାନି କାର୍ଯ୍ୟକ୍ଷମ ହୋଇପାରିବ ବୋଲି କୁହାଯାଇଛି।

Leave A Reply

Your email address will not be published.