ନୂଆଦିଲ୍ଲୀ : ଚାଷୀମାନେ ତିନୋଟି ସର୍ତ୍ତରେ କେନ୍ଦ୍ର ସରକାର ସହିତ ଆଲୋଚନା କରିବାକୁ ରାଜି ହୋଇଛନ୍ତି। ଦିଲ୍ଲୀର ସିଙ୍ଗୁ ସୀମାରେ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାର ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସ୍ୱରାଜ ଇଣ୍ଡିଆର ସଂଯୋଜକ ଯୋଗେନ୍ଦ୍ର ଯାଦବ କହିଛନ୍ତି ଆମେ ଡିସେମ୍ବର ୨୯ ରେ ସକାଳ ୧୧ଟାରେ କେନ୍ଦ୍ର ସହିତ ଆଉ ଥରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛୁ।
ଯୋଗେନ୍ଦ୍ର ଯାଦବ କହିଛନ୍ତି ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ ଆଇନ ପ୍ରଣୟନ କରିବାକୁ ରାଜି ହୋଇ ତିନୋଟି ଆଇନକୁ ରଦ୍ଦ, ନଡ଼ା ଜାଳିବା ଓ ପ୍ରସ୍ତାବିତ ବିଦ୍ୟୁତ ଅଧିନିୟମ ପରିବର୍ତ୍ତନ କରିବେ ତେବେ ଚାଷୀମାନେ ଆଲୋଚନା କରିବାକୁ ରାଜି। ଏଥିରେ ସରକାର ଅରାଜି ହେଲେ ଡିସେମ୍ବର ୩୦ରେ ସମସ୍ତ ଟ୍ରାକ୍ଟର ସୀମାରେ ରୋଡ ମାର୍ଚ୍ଚ କରିବା ସହିତ ଜାନୁଆରୀ ୧ରେ ବନ୍ଦ ଡାକରା ଦେବେ। ବୋଲି କହିଛନ୍ତି।
ଭାରତୀୟ କିସାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାଇତ କହିଛନ୍ତି ସମାଧାନ କୃଷକଙ୍କ ହାତରେ ନାହିଁ। ସରକାର ଏହାର ସମାଧାନ ଖୋଜିବେ। କୃଷକମାନେ ସେମାନଙ୍କର ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବରେ ଆୟୋଜନ କରୁଛନ୍ତି। ଯଦି କୃଷକ ହାରିବ, ତେବେ ସରକାର ହାରିବ ଓ କୃଷକ ଜିତିଲେ ସରକାର ଜିତିବେ। ଦିଲ୍ଲୀରେ ଚାଲିଥିବା ତିନୋଟି କୃଷି ଆଇନ ବିରୋଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଶନିବାର ପର୍ଯ୍ୟନ୍ତ ହରିୟାଣା-ରାଜସ୍ଥାନ ସୀମାରେ ୨,୦୦୦ ରୁ ଅଧିକ କୃଷକ ଏକାଠି ହୋଇଥିବା ପୋଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ ଗୃହମନ୍ତ୍ରୀ ଅମିତ ଶାହ ଆସାମରେ ସମ୍ବୋଧନ କରି କହିଛନ୍ତି ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରିଥିବା ଚାଷୀମାନେ ଆଲୋଚନା ମାଧ୍ୟମରେ ସେମାନଙ୍କ ସମସ୍ୟାର ସମାଧାନ କରିବା ଦରକାର।