କେନ୍ଦୁଝର : ବସ୍ତା ଭିତରୁ ମିଳିଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

କେନ୍ଦୁଝର : ମହିଳାଙ୍କୁ ଗଡ଼ଗଡ଼ କରି ହାଣି ବସ୍ତାରେ ପୁରାଇ କେହି ଦୁର୍ବୃତ୍ତ ଜାତୀୟ ରାଜପଥ ବାଇପାସ୍‌ ଓଭରବ୍ରିଜ ନିକଟରେ ଫିଙ୍ଗି ଦେଇଛି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରୁ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଥିବା ଜଣାପଡିଛି।

ଖବର ଅନୁଯାୟୀ ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ ଓଭରବ୍ରିଜ ନିକଟରେ ଜଣେ ବ୍ୟକ୍ତି ଲୁନାରେ ଏକ ବସ୍ତା ଆଣି ପକାଉଥିବା ବେଳେ ସ୍ଥାନୀୟ ଲୋକେ ଦେଖିଥିଲେ। ବସ୍ତାରେ କ’ଣ ଅଛି ପଚରିବାରୁ ସେଥିରେ ମାଂସ ଅଛି ବୋଲି କହିଥିଲା। ଘଟଣା କଣ ଜାଣିବା ପାଇଁ ଲୋକ ରୁଣ୍ଡ ହୋଇଯିବାରୁ ସଂପୃକ୍ତ ବ୍ୟକ୍ତି ଲୁନା ଛାଡ଼ି ଚମ୍ପଟ ମାରିଥିଲା। ସେଠାରେ ଲୋକଙ୍କ ଭିଡ଼ ବଢ଼ିବାରୁ ଏହାର ସୁଯୋଗରେ କେହି ଲୁନା ନେଇ ପଳାଇଥିଲା।

ଟାଉନ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ବସ୍ତାକୁ ଖୋଲିବା ପରେ ଜଣେ ମହିଳାଙ୍କ ମୃତଦେହ ୬ ଖଣ୍ଡ ହୋଇ ଭର୍ତ୍ତି ହୋଇଥିବା ବେଳେ ମୁହଁ ପଥରରେ ଛେଚା ଯାଇଥିବା ଜଣାପଡ଼ିଛି। ମୃତ ମହିଳାଙ୍କ ପରିଚୟ ମିଳିନି। କିନ୍ତୁ ଲୁନାରେ ଶବ ବୁହା ହୋଇ ଆସିଥିଲା ତାହା ଦିଲୀପ ଦଳେଇଙ୍କର ବୋଲି ଦର୍ଶାଉଛି। ଗାଡ଼ିଟି ନୟାଗଡ଼ରେ ପଞ୍ଜୀକୃତ ହୋଇଛି। ପୋଲିସ ଏକ ମାମଲା ରୁଜୁକରି ଖୋଳତାଡ଼ ଜାରି ରଖିଛି।

ମତାମତ ଦିଅନ୍ତୁ ।