ଖିଲାପି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ : ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର : ଯୋଜନାର ଅର୍ଥ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରି ନପାରିଲେ ଖିଲାପୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଚେତାବନୀ ଶୁଣାଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। କୃଷକମାନଙ୍କୁ ଉଦ୍ୟାନ କୃଷି ତରଫରୁ ଦିଆଯାଉଥିବା କୃଷି ସାମଗ୍ରୀ ଯେପରି ଉନ୍ନତ ମାନର ଓ ପର୍ଯ୍ୟାପ୍ତ ପରିମାଣର ହୋଇପାରିବ ସଠିକ୍‌ ଯାଞ୍ଚ ଓ ନିୟମିତ ସମୀକ୍ଷା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର କୃଷି ଭବନଠାରେ ଆୟୋଜିତ ହୋଇଥିଲା ଉତ୍ତରାଞ୍ଚଳ ରାଜସ୍ୱ ଜିଲ୍ଲାଗୁଡ଼ିକର ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦ୍ଦେଶକମାନଙ୍କ ସମୀକ୍ଷା ବୈଠକ। ଏଥିରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ବିଭାଗ ଦ୍ୱାରା ଜିଲ୍ଲାରେ ହେଉଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ନିର୍ଦ୍ଦେଶାଳୟ ଦ୍ୱାରା ପ୍ରତିମାସରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ପ୍ରକାରର ଆର୍ଥିକ ଅସଂଗତି ପରିଲକ୍ଷିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ରାଜ୍ୟରେ ଉଦ୍ୟାନ କୃଷିର ବିସ୍ତୃତ ସୁଯୋଗ ରହିଛି। କୃଷକମାନଙ୍କ ଆୟ ବୃଦ୍ଧି ଦିଗରେ ଫଳ, ପନିପରିବା ଆଦି ଚାଷ ସହାୟକ ହେଉଥିବା ସ୍ଥଳେ ଅଧିକରୁ ଅଧିକ ଚାଷୀ ଯେପରି ଉଦ୍ୟାନ କୃଷି ପ୍ରତି ଆଗ୍ରହ ପ୍ରକାଶ କରିବେ ସେଥିପ୍ରତି କ୍ଷେତ୍ର କର୍ମଚାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ କହିଥିଲେ। ଏଥି ନିମନ୍ତେ ଅଧିକରୁ ଅଧିକ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଉପରେ ଗୁରୁତ୍ୱ ଦେଇଥିଲେ। ଯେଉଁସବୁ ଅଞ୍ଚଳରେ ପାରମ୍ପରିକ ଭାବରେ ପନିପରିବା ଚାଷ ହେଉଛି ସେଥିପ୍ରତି ଧ୍ୟାନ ଦେବା ପାଇଁ କହିଥିଲେ।

ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’କୁ ଉଦ୍ୟାନ କୃଷିର ସମସ୍ତ ଯୋଜନାରେ କଡ଼ାକଡ଼ି ଭାବରେ ଅନୁପାଳନ କରି ଏହାର ଲାଭ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ କହିଥିଲେ । ସ୍ୱଚ୍ଛତା ରକ୍ଷା ଦିଗରେ ଉଦ୍ୟାନ କୃଷିର ସମସ୍ତ ତଥ୍ୟ େୱବ୍‌ସାଇଟ୍‌ ଉପଲବ୍ଧ କରାଇବା ପାଇଁ ମନ୍ତ୍ରୀ କହିଥିଲେ । ଏଥି ସହିତ ବିଭାଗ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ମଧ୍ୟ ଲୋକଲୋଚନକୁ ଆଣିବା ନିମନ୍ତେ ଏହାକୁ େୱବ୍‌ସାଇଟ୍‌ରେ ଉପଲବ୍ଧ କରାଇବା ପାଇଁ ମନ୍ତ୍ରୀ କହିଥିଲେ । ରାଜ୍ୟ ସରକାର ମହିଳାମାନଙ୍କ ସଶକ୍ତିକରଣ ଦିଗରେ ପ୍ରାଥମିକତା ପ୍ରଦାନ କରୁଥିବା ଦୃଷ୍ଟିରୁ ଉଦ୍ୟାନ କୃଷିର ବିଭିନ୍ନ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଖାଦ୍ୟ ପ୍ରକ୍ରିୟାକରଣ ମାଧ୍ୟମରେ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରାଯାଇ ପାରୁଥିବା ଓ ଏହା ଦ୍ୱାରା ଚାଷୀ ଲାଭବାନ ହେଉଥିବା ପରିପ୍ରେକ୍ଷୀରେ ଅଧିକରୁ ଅଧିକ ପ୍ରକ୍ରିୟାକରଣ ପ୍ରକଳ୍ପ ସ୍ଥାପନ ପାଇଁ ମନ୍ତ୍ରୀ କହିଥିଲେ । ଏଥି ସହିତ ଫଳ ଓ ପନିପରିବାର ଉପକାରିତା ସଂପର୍କରେ ସଚେତନତା ବୃଦ୍ଧି ଓ ଅର୍ଗାନିକ୍‌ କୃଷି ପଦ୍ଧତି ସଂପର୍କରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବୈଠକରେ କୁଚିଣ୍ଡା ଓ ଦେବଗଡ଼ ଅଞ୍ଚଳରେ ଲଙ୍କା ପ୍ରକ୍ରିୟାକରଣ, ଦେବଗଡ଼ରେ କମଳା ଓ ଲିଚୁର ପ୍ରକ୍ରିୟାକରଣ ସଂପର୍କରେ ବିଭାଗ ଦ୍ୱାରା ନିଆଯାଉଥିବା ପଦକ୍ଷେପ ସଂପର୍କରେ ମନ୍ତ୍ରୀ ଆଲୋଚନା କରିଥିଲେ।

ସମୀକ୍ଷା ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଉଦ୍ୟାନ କୃଷିର ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button