କିଟରେ ୬୯ତମ ବରିଷ୍ଠ ଜାତୀୟ ଭଲବଲ୍ ଚାମ୍ପିଅନ୍ସିପ୍ ଉଦ୍ଘାଟିତ

ଭୁବନେଶ୍ୱର : କିଟ୍ର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିଅମ୍ଠାରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍ (ପୁରୁଷ ଓ ମହିଳା) ଚାମ୍ପିଅନ୍ସିପ୍ ୨୦୨୦-୨୧ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି।

ଭାରତୀୟ ଭଲିବଲ୍ ସଂଘ (ଭିଏଫ୍ଆଇ) ତତ୍ତ୍ୱାବଧାନରେ ୧୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚାମ୍ପିଅନ୍ସିପ୍ର ଉଦ୍ଘାଟନୀ ଉତ୍ସବରେ ଓଡ଼ିଶା କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଭିଏଫ୍ଆଇର ଆଞ୍ଚଳିକ କାର୍ଯ୍ୟକାରୀ ଉପସଭାପତି ଓ ବୋର୍ଡ ଅଫ୍ ଆଡ୍ମିନିଷ୍ଟ୍ରେସନ୍ ସଦସ୍ୟ ତଥା ଭିଏଫ୍ଆଇର ମୁଖ୍ୟ ପରିଚାଳନା ଅଧିକାରୀ ରାମାବତାର ସିଂହ ଝାକର, ଭିଏଫ୍ଆଇର ମହାସଚିବ ଅନୀଲ ଚୌଧୁରୀ, ଭିଏଫ୍ଆଇର ବରିଷ୍ଠ ଉପସଭାପତି ତଥା ନିୟନ୍ତ୍ରଣ କମିଟି ଅଧ୍ୟକ୍ଷ ରଥିନ ରାୟ ଚୌଧୁରୀ, କିଟ୍ ଓ କିସ୍ ପ୍ରତିଷ୍ଠାତା, କନ୍ଧମାଳ ସାଂସଦ ତଥା ଭିଏଫ୍ଆଇର ସଭାପତି ଅଚ୍ୟୁତ ସାମନ୍ତ, ଆୟୋଜନ କମିଟି ଅଧ୍ୟକ୍ଷା ତଥା କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଆୟୋଜନ କମିଟି ସମ୍ପାଦକ ତଥା ଭିଏଫ୍ଆଇ ସହଯୋଗୀ ଯୁଗ୍ମ ସମ୍ପାଦକ, ଓଡ଼ିଶା ଭଲିବଲ୍ ଆସୋସିଏସନ୍ର ସାଧାରଣ ସମ୍ପାଦକ ତଥା କିଟ୍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ବିଜୁ ପଟ୍ଟନାୟକ ଜୟନ୍ତୀ ପରିପ୍ରେକ୍ଷୀରେ ଆୟୋଜିତ ଏହି ଚାମ୍ପିଅନ୍ସିପ୍ରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୨ଶହରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ବର୍ଗର ଖେଳାଳି ଓ ଅଫିସିଆଲ୍ଙ୍କ ଉପସ୍ଥିତିରେ ଅତିଥିମାନେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।