Breaking Newsଦେଶ-ବିଦେଶ

କୋଭାକ୍ସିନର ଫେଜ୍‌ ୩ ଟ୍ରାଏଲରେ ସାମିଲ ହେଲେ ୧୩ ହଜାର ଲୋକ

ହାଇଦ୍ରାବାଦ : ଭାରତରେ ପ୍ରସ୍ତୁତ ପ୍ରଥମ କରୋନା ଟିକା କୋଭାକ୍ସିନର ଫେଜ୍‌ ୩ ଟ୍ରାଏଲ ପାଇଁ ନାମ ପଞ୍ଜୀକରଣ କରିଛନ୍ତି ୧୩ ହଜାର ସ୍ୱେଚ୍ଛାସେବୀ। ଭାରତ ବାୟୋଟେକ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ଭାରତ ବୟୋଟେକ ସହ ଆଇସିଏମଆର ମିଳିତ ଭାବେ ପ୍ରସ୍ତୁତ କରିଛି କରୋନା ଟିକା କୋଭାକ୍ସିନ।
ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ଟିକାର ଫେଜ୍‌ ୩ ଟ୍ରାଏଲ ପାଇଁ ମୋଟ ୨୬ ହଜାର ଲୋକଙ୍କୁ ପଞ୍ଜିକୃତ କରିବାକୁ ଯୋଜନା ରହିଛି। ନଭେମ୍ବର ମଧ୍ୟ ଭାଗରୁ ଭାରତରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଥିବ ବେଳେ ଇତି ମଧ୍ୟରେ ଟିକା ନେବାପାଇଁ ୧୩ ହଜାର ଲୋକ ନାଁ ଦେଇସାରିଲେଣି। କିନ୍ତୁ କମ୍ପାନୀ ୨୬ ହଜାର ଲୋକଙ୍କୁ ନେଇ ଫେଜ୍‌-୩ ଟ୍ରାଏଲ ଶେଷ କରିବାକୁ ଚାହୁଁଛି।

ଭାରତ ବାୟୋଟେକର ଯୁଗ୍ମ ଏମଡି ସୁଚିତ୍ରା ଇଲ୍ଲା କହିଛନ୍ତି ଭାରତରେ ପ୍ରଥମଥର ପାଇଁ କୌଣସି ଟିକାର ଟ୍ରାଏଲରେ ଏତେ ଲୋକ ସାମିଲ ହେବା ପ୍ରଥମ ଘଟଣା। ସ୍ୱେଚ୍ଛାସେବୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆମେ ବହୁତ ଉତ୍ସାହିତ। ଟିକାର ଟ୍ରାଏଲରେ ସାମିଲ ହୋଇଥିବା ସମଗ୍ର ଦେଶର ୧୩ ହଜାର ସ୍ୱେଚ୍ଛାସେବୀଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛୁ। ସେ କହିଛନ୍ତି କରୋନାକୁ ମାତ୍‌ ଦେବା ପାଇଁ ଟିକାର ସୁରକ୍ଷା ଜରୁରୀ। ଏଥିପାଇଁ ଲୋକମାନେ ଏହାର ଟ୍ରାଏଲରେ ସାମିଲ ହେଉଛନ୍ତି। ଏହାଦ୍ୱାରା ଆମେ ଏକ ସୁରକ୍ଷିତ ଓ ପ୍ରଭାବୀ ଟିକା ଖୁବଶୀଘ୍ର ପାଇପାରିବା। କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲରେ ପ୍ରାୟ ହଜାରେ ଲୋକ ସାମିଲ ହୋଇଥିଲେ। ଏହି ପରୀକ୍ଷାରୁ ଜଣାପଡ଼ିଥିଲା କୋଭାକ୍ସିନ ଟିକା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି।

ମତାମତ ଦିଅନ୍ତୁ ।

Back to top button