କୋଭିଡ୍‌ ହସ୍ପିଟାଲ୍‌ ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ : ଦେଶର ବିଭିନ୍ନ ହସ୍ପିଟାଲ୍‌ରେ କରୋନା ରୋଗୀମାନଙ୍କ ତତ୍ତ୍ୱାବଧାନରେ ଅଭାବ ପରିଲକ୍ଷିତ ହେଉଛି। ଏ ସମ୍ପର୍କରେ ଅବଗତ ହୋଇ ପ୍ରତିକାର କରିବାକୁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ବିଶେଷଜ୍ଞ କମିଟି ଗଠନ କରିଛନ୍ତି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଦ୍ଵାରା ଗଠିତ ଏହି ବିଶେଷଜ୍ଞ କମିଟି କୋଭିଡ୍-୧୯ ଚିକିତ୍ସା ଲାଗି ଉଦ୍ଦିଷ୍ଟ ସରକାରୀ ଓ ଅନ୍ୟ ଡାକ୍ତରଖାନା ଗୁଡ଼ିକ ଯାଞ୍ଚ, ସର୍ବେକ୍ଷଣ ଓ ପରାମର୍ଶ ଦେବ। ଆଜି ସ୍ଵାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ଵିନୀ ଚୌବେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କୋଭିଡ୍-୧୯ ପରୀକ୍ଷା ଓ ଚିକିତ୍ସା ପାଇଁ ସୁଲଭ ମୂଲ୍ୟ ଧାର୍ଯ୍ୟ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଛି।

ଶ୍ରୀ ଚୌବେ କହିଛନ୍ତି ଲାବ୍ରୋଟେରି ରିପୋର୍ଟକୁ ଅପେକ୍ଷା ନ କରି ସନ୍ଦିଗ୍ଧ କୋଭିଡ୍-୧୯ ରୋଗୀମାନଙ୍କ ଶବ ତୁରନ୍ତ ସେମାନଙ୍କର ଆତ୍ମୀୟମାନଙ୍କୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଉପଦେଶନାମା ଜାରି କରିଛନ୍ତି। କିନ୍ତୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ଵାରା ଜାରି ହୋଇଥିବା ମାର୍ଗଦର୍ଶିକା ଓ ଶବ ପରିଚାଳନା ଆଧାରରେ ଏହି ଶବ ହସ୍ତାନ୍ତର କରାଯିବା ଉଚିତ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।