କୋଭିଡ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ହେବ

0

ଭୁବନେଶ୍ୱର : ପିପିଲି ଉପନିର୍ବାଚନରେ କୋଭିଡ ଗାଇଡଲାଇନ ମାନି ଭୋଟ ଗ୍ରହଣ କରାଯିବ। ସମସ୍ତେ ମାସ୍କ ପିନ୍ଧିବାକୁ ନିୟମ କରାଯାଇଥିବା ବେଳେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ। ଦିବ୍ୟାଙ୍ଗ ଓ କରୋନା ଆକ୍ରାନ୍ତ ମଧ୍ୟ ଦେଇପାରିବେ ପୋଷ୍ଟାଲ ବ୍ୟାଲଟରେ ଭୋଟ। କିନ୍ତୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଦେଖାଇବାକୁ ପଡିବ। ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହନୀ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ ନିର୍ବାଚନ ଘୋଷଣା ହେବା ଦିନଠାରୁ ପୁରୀ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। କୋଭିଡ଼ ନିୟମ ଅନୁଯାୟୀ ପ୍ରତି ବୁଥରେ ୧ହଜାରୁ ଅଧିକ ମତଦାତା ରହିପାରିବେ ନାହିଁ। ନାମାଙ୍କନ ଦାଖଲ ବେଳେ ମାତ୍ର ୨ଟି ଗାଡିକୁ ଅନୁମତି ଦିଆଯାଇଥିବା ବେଳେ ନିର୍ବାଚନୀ ସଭାରେ ସର୍ବାଧିକ ୫ଶହ ଲୋକଙ୍କ ଉପସ୍ଥିତ ରହିପାରିବେ। ତେବେ ୨୦୧୯ ନିର୍ବାଚନ ଅପେକ୍ଷା ଏଥର ଅଧିକ ୭୫ଟି ବୁଥ୍‌ କରାଯାଇଛି। ଏହାଛଡା ନିର୍ବାଚନରେ ଭାଗ ନେଉଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ। ସାମାଜିକ ଦୂରତା ଅବଲମ୍ବନ ସହିତ କୋଭିଡ ଗାଇଡଲାଇନ କିପରି ପାଳନ କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ।

ସୂଚନାଯୋଗ୍ୟ ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ। ଏଥିପାଇଁ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ରେ ରଖାଯାଇଛି। ମାର୍ଚ୍ଚ ୩୧ରେ ନାମାଙ୍କନ ଯାଞ୍ଚ ଓ ପ୍ରତ୍ୟାହାରର ଶେଷ ତାରିଖ ରହିଛି ଏପ୍ରିଲ ୩ ତାରିଖ। ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Leave A Reply

Your email address will not be published.