କୋଭିଡ ନିୟମ ଉଲ୍ଲଂଘନ : ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ମାମଲା

ପୁରୀ : ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାର ସମୟରେ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଓ ବିଧାୟକ ଉମା ସାମନ୍ତରାୟ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଜଗନ୍ନାଥ ସେନା ଅଭିଯୋଗ ଆଣିଥିଲା। ଏବେ କାର୍ଯ୍ୟାନୁଷ୍ଠାନ ଦାବିକରି ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହୋଇଛି। ଉଭୟଙ୍କ ନାମରେ ପୁରୀ ଏସଡିଜେଏମ୍ କୋର୍ଟରେ ଏକ ମାମଲା ଦାୟର୍ କରିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ପୁରୀ ସମୁଦ୍ର କୂଳ ଥାନାରେ ଏନେଇ ଏତଲା ଦିଆଯାଇଥିଲା। ପୋଲିସର କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନ ହୋଇ ସେନା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ ଗତ ୪ ତାରିଖ ଦିନ ପୁରୀର ସ୍ୱର୍ଗଦ୍ୱାରରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଶହ ଶହ ଲୋକଙ୍କ ଭିଡ଼ ହୋଇଥିଲା। ଏହାକୁ ନେଇ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର କୂଳ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ହୋଇଥିଲା ବିଧାୟକ ଉମା ସାମନ୍ତରାୟ ନିକଟରେ କରୋନା ସଂକ୍ରମିତ ହୋଇଥିଲେ। ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କର ମଧ୍ୟ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାଛଡା ସରକାର କରୋନା କାଳରେ ଅନ୍ତିମ ସଂସ୍କାର ପାଇଁ ସୀମିତ ଲୋକଙ୍କ ସମାଗମ ନେଇ ନିୟମ ରଖିଛନ୍ତି। ଏହାସତ୍ତ୍ୱେ ଏତେ ସଂଖ୍ୟାରେ ଜନଗହଳି ହେଲା ଓ ପ୍ରଶାସନ ନୀରବ ରହିଲା ବୋଲି ସେନା ଅଭିଯୋଗ କରି ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲା।

ମତାମତ ଦିଅନ୍ତୁ ।