କୋଇଲା ଚୋରକୁ ଛାଡ଼ିବାରୁ ଆରପିଏଫ୍ ଏଏସଆଇ ନିଲମ୍ବିତ

ରାଉରକେଲା : କୋଇଲା ଚୋରଙ୍କ ବିରୋଧରେ ମାମଲା ରୁଜୁ ନକରି ଛାଡ଼ି ଦେବାରୁ ବନ୍ଧମୁଣ୍ଡା ଆରପିଏଫ୍ ଏଏସ୍ଆଇ କାମଦେବ ମୁଣ୍ଡା କାର୍ଯ୍ୟରେ ଅବହେଳା ପାଇଁ ତାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।

ଖବର ଅନୁଯାୟୀ ମାଲବାହୀ ଟ୍ରେନରୁ କୋଇଲା ଚୋରି ହେଉଥିବା ସୂଚନା ପାଇ ଆରପିଏଫ୍ ସହକାରୀ ସୁରକ୍ଷା କମିସନର ରାଜୀବ ଉପାଧ୍ୟାୟ ଶୁକ୍ରବାର ଲାଠିକଟା ଷ୍ଟେସନରେ ଅତର୍କିତ ଚଢ଼ଉ କରିଥିଲେ। କୋଇଲା ଚୋରି କରୁଥିବା ୧୨ ଜଣ ଅଭିଯୁକ୍ତଙ୍କୁ ଧରିଥିଲେ। ଜବତ ହୋଇଥିଲା ୪୫ ବସ୍ତା କୋଇଲା, ୩ଟି ସାଇକେଲ ଓ ୩ଟି ବେଲ୍ଚା। ଏସବୁ ସାମଗ୍ରୀ ସହ ଅଭିଯୁକ୍ତମାନଙ୍କୁ ବନ୍ଧମୁଣ୍ଡା ଆରପିଏଫ୍ ଥାନାରେ ଜିମା ଦେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଏସ୍ଆଇ ଶ୍ରୀ ମୁଣ୍ଡା ୨ ଜଣଙ୍କ ନାଁରେ ମାମଲା ରୁଜୁକରି ଅନ୍ୟ ୧୦ ଜଣଙ୍କୁ ଛାଡ଼ି ଦେଇଥିଲେ। ୨ଟି ସାଇକେଲ ଓ ୨ଟି ବେଲ୍ଚା ଜବତ ହୋଇଥିବା ଦର୍ଶାଇଥିଲେ। ଏହା ଜାଣିବା ପରେ ସହାକାରୀ ସୁରକ୍ଷା କମିଶନର ଉପାଧ୍ୟାୟ ଜବାବ ତଲବ କରିଥିଲେ। ମାତ୍ର ସନ୍ତୋଷଜନକ ଉତ୍ତର ନ ମିଳିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଏଏସ୍ଆଇ ଶ୍ରୀ ମୁଣ୍ଡାଙ୍କୁ ନିଲମ୍ବନ କରିଥିବା ସୂଚନା ରହିଛି।

ମତାମତ ଦିଅନ୍ତୁ ।