କୃଷକ ଆନ୍ଦୋଳନ : ଟିକାୟତ ବନାମ ମୋଦୀ

॥ ଗୋପାଳ ମହାପାତ୍ର ॥ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଏବେ ରାଜନୈତିକ ଆଖଡ଼ାରେ ପରିଣତ ହୋଇଛି। ଆନ୍ଦୋଳନ ସ୍ଥଳରେ କୃଷକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏବେ ଏଭଳି ଅବସ୍ଥା ସୃଷ୍ଟି ହେଲାଣି ଆନ୍ଦୋଳନ ବନ୍ଦ କରିହେଉଛି ନା ଅଧିକ ତୀବ୍ର କରି ହେଉଛି। କୃଷକ ଆନ୍ଦୋଳନର ନେତାମାନଙ୍କ ବେକରେ ଏବେ ଆନ୍ଦୋଳନ ଋପୀ ମଲାସାପ ପଡିଛି ଯାହାକୁ ସେମାନେ ବେକରେ ଅଧିକ ସମୟ ପଖେଇ ରଖିବା ଅବସ୍ଥାରେ ନାହାଁନ୍ତି କି ବେକରୁ କାଢି ଫୋପାଡି ପାରୁନାହାଁନ୍ତି। କିନ୍ତୁ ଗୋଟିଏ କଥା ସତ୍ୟ ଏଇ କୃଷକ ଆନ୍ଦୋଳନ ଏକ ଫାଇଭ ଷ୍ଟାର ଆନ୍ଦୋଳନରେ ପରିଣତ ହୋଇଛି।

ଆନ୍ଦୋଳନ ସ୍ଥଳରେ ସଂଖ୍ୟା ହ୍ରାସ ହେଉଥିବା ଘଟଣା ମଧ୍ୟ କୃଷକ ନେତାମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ଏହି ନେତାମାନେ ସଂଖ୍ୟା ହ୍ରାସ ପ୍ରସଙ୍ଗରେ ବିଭିନ୍ନ ବାହାନା ଦେଖାଉଛନ୍ତି। ଏବେ କୃଷକ ନେତାମାନେ ହରିଆଣାର ଖଟ୍ଟର ସରକାରରେ ଥିବା ଉପମୁଖ୍ୟମନ୍ତୀ ଦୁଷ୍ମନ୍ତ ଚୌତାଲାଙ୍କୁ ଇସ୍ତଫା ଦେବା ପାଇଁ ଚାପ ପକାଉଛନ୍ତି। ଅନ୍ୟ ପକ୍ଷରେ ଆନ୍ଦୋଳନର ସ୍ଥିତିକୁ ଦେଖି ଦ୍ୱିଧାରେ ପଡିଯାଇଥିବା କୃଷକ ନେତା ରାକେଶ ଟିକାୟତ ବୟାନ ଦେବାବେଳେ ସବୁ ସୀମା ଟପି ଯାଉଥିବା ଦେଖାଯାଉଛି। ଟିକାୟତ ତାଙ୍କ ବୟାନରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଏବେ ଗୋଟିଏ କଥା ସ୍ପଷ୍ଟ ହୋଇଗଲାଣି ଯେ ଯେତେ ଗର୍ଜନ କଲେ ମଧ୍ୟ କଂଗ୍ରେସ ଓ ବାମଦଳମାନଙ୍କ ବିନା ଟିକାୟତଙ୍କର ତିଷ୍ଠି ରହିବା ଅସମ୍ଭବ। ସିଧାସଳଖ କହିବାକୁ ଗଲେ ଏବେ କୃଷକ ଆନ୍ଦୋଳନ ଟିକାୟତ ବନାମ ମୋଦୀରେ ପରିଣତ ହୋଇଛି। ବୋଧହୁଏ କେନ୍ଦ୍ର ସରକାର ଟିକାୟତଙ୍କ ସ୍ଥିତିକୁ ଭଲ ଭାବରେ ଜାଣିସାରିଲେଣି. ଯେଉଁଥିପାଇଁ ଆଉ ଟିକାୟତ ବା କୃଷକ ଆନ୍ଦୋଳନକୁ ଗୁରୁତ୍ୱ ଦେଉନାହାନ୍ତି।

ଏବେ ଅନେକ ଗଣମାଧ୍ୟମରେ ଯେଉଁ ସବୁ ତଥ୍ୟ ପ୍ରକାଶ ପାଉଛି ସେହି ଅନୁସାରେ ଆନ୍ଦୋଳନରତ କୃଷକଙ୍କ ସଂଖ୍ୟା ନଗଣ୍ୟ ହେବାରେ ଲାଗିଛି। ଆନ୍ଦୋଳନ ସ୍ଥଳରେ ବିଜେପି ବିରୋଧୀ ଦଳର କର୍ମୀଙ୍କ ସଂଖ୍ୟା ବଢିଛି। କୃଷକ ଆନ୍ଦୋଳନ ଆରମ୍ଭରୁ କେନ୍ଦ୍ର ସରକାର ଅନେକବାର ଆଲୋଚନା ପାଇଁ କୃଷକ ନେତାମାନଙ୍କୁ ଡାକିଛନ୍ତି କିନ୍ତୁ ଆଲୋଚନା ବିଫଳ ହୋଇଛି। ସବୁଠାରୁ ସମ୍ବେଦନ କଥା ହେଉଛି ଗତ ସାଧାରଣତନ୍ତ୍ର ଦିବସ ଅବସରରେ କୃଷକ ଆନ୍ଦୋଳନରେ ସାମିଲ କେତେକ ଅସାମାଜିକ ତତ୍ତ୍ୱ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା। ଏବେ କୃଷକ ନେତା ଟିକାୟତ ତାଙ୍କର ଭିନ୍ନ ରୂପ ଦେଖାଇବାରେ ଲାଗିଲେଣି। କିନ୍ତୁ ସବୁ ସତ୍ତ୍ୱେ କେନ୍ଦ୍ରର ବିଜେପି ସରକାର ଧୈର୍ଯ୍ୟ ଅବଲମ୍ବନ କରି ଚାଲିଛନ୍ତି। ରାକେଶ ଟିକାୟତଙ୍କୁ ଛାଡି କୃଷକ ଆନ୍ଦୋଳନର ଅନ୍ୟ କୌଣସି ନେତା ବିବାଦୀୟ ମନ୍ତବ୍ୟ ଦେଉନାହାଁନ୍ତି। ହେଲେ କୃଷକ ଆନ୍ଦୋଳନ ନାମରେ ମନମୁଖୀ ତଥା ଅରାଜକତା ଚାଲିଛି। ଆନ୍ଦୋଳନ କାରଣରୁ ଦିଲ୍ଲୀ ସୀମାରେ ଲୋକଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପୂର୍ବରୁ କୁହାଯାଉଥିଲା ଏହି ଆନ୍ଦୋଳନ ରାଜନୈତିକ ନୁହେଁ। କିନ୍ତୁ ଏବେ କୃଷକ ନେତା ଏହି ଆନ୍ଦୋଳନକୁ ରାଜନୈତିକ ରୂପରେଖ ଦେଇ ମୋଦୀ ବିରୋଧୀଙ୍କ ସହ ଏହି କୃଷକ ନେତାମାନେ ହାତ ମିଳାଇ ସାରିଲେଣି।

ମାତ୍ର କିଛି କୃଷକ ସଂଗଠନ ପକ୍ଷରୁ ଚାଲିଥିବା ଏହି କୃଷି ଆଇନ ବିରୋଧୀ ଆନ୍ଦୋଳନ କିନ୍ତୁ ଥମିବାର ନାଁ ଧରୁନାହିଁ। ଏହା କେବଳ କୃଷକ ନେତାଙ୍କ ଜିଦ ଯୋଗୁଁ ବୋଲି ଆଲୋଚନା ହେଲାଣି। କୃଷକ ନେତା ରାକେଶ ଟିକାୟତ ଏବେ ପଶ୍ଚିମବଙ୍ଗରେ ବିଜେପିକୁ ହରାଇବା ପାଇଁ ସଭା ସମିତିରେ ଯୋଗ ଦେଇ ଲୋକଙ୍କୁ ଉଦବୋଧନ ଦେଉଛନ୍ତି। ପଶ୍ଚିମବଙ୍ଗର ଜନତା ମମତା ବାନାର୍ଜୀଙ୍କୁ ଭୋଟ ଦେବାକୁ ନିବେଦନ କରୁଛନ୍ତି। କୃଷକ ନେତାଙ୍କର ଏଭଳି ଦୋମୁହାଁ କାର୍ଯ୍ୟ ପାଇଁ କୃଷକ ଆନ୍ଦୋଳନକୁ ସମର୍ଥନ କରି ଆସୁଥିବା ବାମଦଳମାନେ ଅସନ୍ତୋଷ ପ୍ରକାଶ କଲେଣି। କାରଣ କୃଷକ ଆନ୍ଦୋଳନକୁ ଅଧିକ ତୀବ୍ର କରିବା ପ୍ରଚ୍ଛଦପଟ୍ଟରେ ସେମାନଙ୍କ ହାତ ଥିଲା। ଯେଉଁ ମମତା ସରକାର ପଶ୍ଚିମବଙ୍ଗରେ ସଂକୀର୍ଣ୍ଣ ରାଜନୈତିକ ମନୋଭାବ କାରଣରୁ ରାଜ୍ୟର କୃଷକମାନଙ୍କୁ କୃଷକ ସମ୍ମାନ ନିଧିରୁ ବଞ୍ଚିତ କରିଛନ୍ତି ତାଙ୍କ ସପକ୍ଷରେ କୃଷକ ନେତା ରାକେଶ ଟିକାୟତ ପ୍ରଚାର କରୁଛନ୍ତି କେମିତି ତାହା ବୁଝାପଡୁନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କୃଷକ ନେତାମାନେ କୃଷକଙ୍କ ସ୍ୱାର୍ଥକୁ ପଛ କରି ରାଜନୀତିକୁ ଆଗରେ ରଖିଛନ୍ତି। ରାକେଶ ଟିକାୟତଙ୍କ ଭଳି ନେତା ସରକାରଙ୍କ କୃଷି ନୀତିକୁ ବିରୋଧ କରୁଛନ୍ତି ଯେଉଁ କୃଷି ନୀତି ଅନୁସାରେ ସରକାର କ୍ରୟ କରୁଥିବା ଖାଦ୍ୟ ଶସ୍ୟର ଅର୍ଥ ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ଯିବ। କାହିଁକି କୃଷକ ନେତାମାନେ ଏହାକୁ ଗ୍ରହଣ କରିପାରୁନାହାଁନ୍ତି। ଆଶ୍ଚର୍ଯ୍ୟର କଥା ପଞ୍ଜାବ ସରକାର ମଧ୍ୟ ଏହି ବ୍ୟବସ୍ଥାକୁ ବିରୋଧ କରୁଛନ୍ତି।

ବ୍ରିଟିଶ ଶାସନ କାଳରେ ୧୯୧୭ ମସିହାରେ ଆନ୍ଦୋଳନର ସଂସ୍କୃତି ଆରମ୍ଭ ହୋଇଥିଲା। କିନ୍ତୁ ସ୍ୱାଧୀନତା ଆନ୍ଦୋଳନ ବେଳେ ଯାହା କରାଯାଉଥିଲା ତାହା ଆଜି ପ୍ରାସଙ୍ଗିକ ନୁହେଁ। କିଛିବର୍ଷ ହେବ ବିରୋଧ ପ୍ରଦର୍ଶନରେ ନକାରାତ୍ମକତା ବଢିଛି। ଗତବର୍ଷ ଶାହାନବାଗ ଠାରେ ସିଏଏ ବିରୋଧରେ ୧୦୧ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିଲା। ଆନ୍ଦୋଳନକାରୀମାନେ ରାସ୍ତାଘାଟ ସବୁ ଜାମ୍ କରିଦେଇଥିଲେ। ଏବେ କୃଷକ ଆନ୍ଦୋଳନ ଚାଲିଛି। ଆନ୍ଦୋଳନ ନାମରେ ହରିଆଣାର ଟୋଲ ପ୍ଲାଜାକୁ ଜବରଦସ୍ତ ଫ୍ରି କରାଇବା, ପଞ୍ଜାବରେ ହଜାର ହଜାର ମୋବାଇଲ ଟାୱାର ଭାଙ୍ଗିବା ଘଟଣାକୁ କ’ଣ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବୋଲି କୁହାଯାଇପାରିବ ? ବାବା ସାହେବ ଡକ୍ଟର ଭୀମାରାଓ ଆମ୍ବେଦକର ୧୯୪୯ ମସିହା ନଭେମ୍ବର ୨୫ ତାରିଖରେ ସମ୍ବିଧାନ ସଭାରେ ଭାଷଣ ଦେଇ ଗ୍ରାମର ଅଫ୍ ଏନାର୍କି କଥା କହିଥିଲେ। ସେ ଗଣତନ୍ତ୍ରରେ ଅରାଜକତା ଭଳି ଭାଷା ପାଇଁ ଦେଶ ସାବଧାନ ରହିବାକୁ ପରାମର୍ଶ ଦେଇଥିଲେ।

ସରକାର କୃଷକ ନେତାମାନଙ୍କୁ ଅନେକବାର ଆଲୋଚନାକୁ ଡାକିଛନ୍ତି। କିନ୍ତୁ ଆଲୋଚନା ବିଫଳ ହୋଇଛି। ତଥ୍ୟ ଅନୁସାରେ କୃଷକ ଆନ୍ଦୋଳନ କାରଣରୁ ପ୍ରତିଦିନ ପାଖାପାଖି ଦିଲ୍ଲୀରେ ହେବାକୁ ଥିବା କୋଟି କୋଟି ଟଙ୍କାର ବ୍ୟବସାୟ ପ୍ରଭାବିତ ହେଉଛି। ଏହାଦ୍ୱାରା ଲୋକଙ୍କର ରୋଜଗାର ମଧ୍ୟ ପ୍ରଭାବିତ ହେଉଛି। ଏସବୁ କଥାକୁ ଗୁରୁତ୍ୱ ନଦେଇ କୃଷକ ନେତା ରାକେଶ ଟିକାୟତ ଏବେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଚାର କରିବା ଆରମ୍ଭ କରିଛନ୍ତି। ଏହାକୁ ଦେଖିଲେ ଗଣତନ୍ତ୍ର କଥା କହୁଥିବା ଲୋକଙ୍କର ବିକୃତ ଚେହେରା ସାମ୍ନାକୁ ଆସୁଛି। ରାକେଶ ଟିକାୟତଙ୍କ ନିର୍ବାଚନ ପ୍ରଚାରରୁ ଆଉ ଗୋଟିଏ କଥା ଏବେ ସ୍ପଷ୍ଟ ହେବାକୁ ବସିଲାଣି ଯେ ଏବେ କୃଷକ ଆନ୍ଦୋଳନ ଟିକାୟତ ବନାମ ମୋଦୀରେ ପରିଣତ ହୋଇଛି। କୃଷକ ଆନ୍ଦୋଳନକୁ ସିଧାସଳଖ ରାଜନୀତିକରଣ କରିବା ଦ୍ୱାରା କୃଷକମାନେ କେତେ ଲାଭବାନ ହେବେ, ସେ କଥା ସମୟ କହିବ। କିନ୍ତୁ ରାକେଶ ଟିକାୟତ ଏବେ କୃଷକ ନେତାରୁ ରାଜନେତା ପାଲଟିଯାଇଛନ୍ତି।

ରାମଚନ୍ଦ୍ରପୁର, ରଣପୁର
୯୪୩୮୪୮୫୦୯୪

Leave a Reply

Your email address will not be published. Required fields are marked *

Back to top button