କୃଷି ଆଇନ୍‌ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ ଉପରେ ଆଜି ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଏଥିସହ ନୂଆ ଆଇନ, କୃଷକମାନଙ୍କ ଆପତ୍ତି ଅଭିଯୋଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ପାଇଁ କୋର୍ଟ ଏକ ଚାରି ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବ।

ମଙ୍ଗଳବାର ସୁପ୍ରିମକୋର୍ଟରେ କୃଷି ଆଇନକୁ ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇଥିଲା। ଏହି ଅବସରରେ ପ୍ରଧାନ ବିଚାରପତି ଏସ ଏ ବୋବଡେ କହିଛନ୍ତି କୃଷି ଆଇନ ଲାଗୁ ଉପରେ ସାମୟିକ ସମୟ ପାଇଁ ରୋକ୍ ଲଗାଇଛୁ। ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନୁହେଁ। ଆମର ଲକ୍ଷ୍ୟ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା। ଅନ୍ୟତମ ଆବେଦନକାରୀ ତଥା ଆଇନଜୀବୀ ଏମଏଲ ଶର୍ମା କହିଥିଲେ ଚାଷୀମାନେ କମିଟି ଆଗକୁ ଆସିବେନି। ତିନି କୃଷି ଆଇନକୁ ରଦ୍ଦ କରାଯିବା ଦରକାର। ଏହା ଚାଷୀଙ୍କ ଦାବି। ଜବାବରେ ପ୍ରଧାନ ବିଚାରପତି କହିଛନ୍ତି ଏଭଳି ନକାରାତ୍ମକ ମନୋଭାବ୍ ଠିକ୍ ନୁହେଁ। ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଚାରି ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିରେ ଅର୍ଥବିଶାରଦ ଅଶୋକ ଗୁଲାଟି, ଭାରତୀୟ କିଷାନ ୟୁନିଅନର ହରସିମରତ ମାନ, ପ୍ରମୋଦ ଯୋଶୀ ଓ ତେଜିନ୍ଦର ସିଂହ, ଅନୀଲ ଧନଓ୍ୱନ ରହିଛନ୍ତି।

  ଆମେରିକାର ନୂଆ ରାଷ୍ଟ୍ରପତିଙ୍କୁ ମିଳିବ ଏସବୁ ସୁବିଧା

ପ୍ରଧାନ ବିଚାରପତି କହିଲେ ଏହି କମିଟି ପ୍ରକୃତ ସମସ୍ୟା କେଉଁଠି ରହୁଛି ତାହା ବାହାର କରିବ। କୃଷକମାନେ କମିଟି ନିକଟକୁ ଯିବାକୁ ଚାହୁଁ ନାହାନ୍ତି କରାଯାଉଥିବା ଯୁକ୍ତିକୁ ଗ୍ରହଣ କରାଯିବ ନାହିଁ। ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଯୋଜନା ହେଉଥିବା ଶୁଣିବାକୁ ମିଳୁଛି। ଲୋକମାନେ ସମାଧାନ ଚାହୁଁଛନ୍ତି ନା ସମସ୍ୟାକୁ ବଜାୟ ରଖିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିବା ସହିତ ଏ ପ୍ରସଙ୍ଗରେ ସୋମବାର ଶୁଣାଣି କରିବେ ବୋଲି ସିଜେଆଇ କହିଛନ୍ତି।

ଆବେଦନକାରୀ କହିଥିଲେ ଚାଷୀଙ୍କ ଦାବି ବୈଠକକୁ ସମସ୍ତେ ଆସୁଛନ୍ତି ପ୍ରଧାନମନ୍ତ୍ରୀ କାହିଁକି ନୁହେଁ। ଏହାର ଜବାବରେ ସିଜେଆଇ କହିଛନ୍ତି ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବୈଠକକୁ ଆସିବାକୁ କହି ପାରିବୁ ନାହିଁ। ସଲିସିଟର ଜେନେରାଲ କହିଥିଲେ ବୈଠକରେ କୃଷି ମନ୍ତ୍ରୀ ରହୁଛନ୍ତି। ଏହି ବିଭାଗ ତାଙ୍କ ଅଧୀନରେ ଆସୁଛି। ଆବେଦନକାରୀ କହିଥିଲେ କୋର୍ଟ ଆମ ସମସ୍ତଙ୍କର ଶେଷ ଆଶା। ଏହା ଉପରେ ସିଜେଆଇ କହିଲେ ଯେଉଁମାନେ ଓକିଲ ଅଛନ୍ତି ସେମାନେ ନ୍ୟାୟିକ ପ୍ରକ୍ରିୟାକୁ ସମ୍ମାନ ଦେବା ଦରକାର। ଆମର ଆଇନର ବୈଧତା ଉପରେ ପ୍ରଶ୍ନ ଅଛି। ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବା ଆମ ହାତରେ। ଲୋକମାନେ ବାକି ପ୍ରସଙ୍ଗଗୁଡିକ କମିଟି ସମ୍ମୁଖରେ ଉଠାଇ ପାରିବେ।

ମତାମତ ଦିଅନ୍ତୁ ।