କ୍ଷେତରୁ ମିଳିଥିବା ଗୁପ୍ତଧନ ଗାଁ ଲୋକେ ଲୁଟିନେଲେ

ଅମରୋହା : କୃଷକଙ୍କ କ୍ଷେତରୁ ବାହାରିଲା ଗୁପ୍ତଧନ। କିନ୍ତୁ ଜମି ମାଲିକଙ୍କୁ ଗୋଟିଏ ମିଳିଲାନି। ସବୁ ଗାଁ ଲୋକେ ନେଇଗଲେ। ଏପରି ଘଟଣା ଉତ୍ତର ପ୍ରଦେଶର ରହରା ଥାନା ଅନ୍ତର୍ଗତ ଗଙ୍ଗେଶ୍ଵରୀ ଗ୍ରାମରେ ଘଟିଛି।

ଖବର ଅନୁଯାୟୀ ଶନିବାର ଗଙ୍ଗେଶ୍ଵରୀ ଗ୍ରାମର ଶୌକତ ଅଲ୍ଲୀ ନାମକ ଜଣେ ବ୍ୟକ୍ତି ଟ୍ରାକ୍ଟର ଲଗାଇ ଜମି ହଳ କରୁଥିଲେ। ଏହି ସମୟରେ ଟ୍ରାକ୍ଟର ଫାଳରେ ରୂପା ମୁଦ୍ରା ଭର୍ତ୍ତି କଳଶ ମାଟି ଉପରକୁ ଆସିଯାଇଥିଲା। ଟ୍ରାକ୍ଟର ଚାଳକର ସେଥିପ୍ରତି ନଜର ନଥିଲା। କିଛି ସମୟ ପରେ ଟ୍ରାକ୍ଟର ଚାଳକ ଦେଖିଲା ଜମିରେ ରୂପା ମୁଦ୍ରା, ଅଳଙ୍କାର ବିଛାଡ଼ି ହୋଇ ପଡ଼ିଛି। କିଛି ଭାବିବା ପୂର୍ବରୁ ସେ ଆଖ ପାଖରେ ଚାଷ କରୁଥିବା ବ୍ୟକ୍ତିମାନେ ଚାଲିଆସି ଜମିରେ ପଡିଥିବା ରୂପା ମୁଦ୍ରା ଓ ଅଳଙ୍କାର ଯିଏ ଯାହା ପାଇଲା ଗୋଟାଇ ନେଇ ପଳାଇଲେ। ଏହି ଖବର ଗାଁରେ ପହଞ୍ଚିଲା। ଲୋକମାନେ ବହୁ ସଂଖ୍ୟାରେ ଆସି ବାକିତକ ଲୁଟି ନେଇ ଚାଲିଗଲେ। ହେଲେ ଯେଉଁ ଟ୍ରାକ୍ଟର ପାଇଁ କଳଶ ସାମ୍ନାକୁ ଆସିଲା ସିଏ କିମ୍ବା ଜମିର ମାଲିକଙ୍କୁ ଗୋଟାଏ ମୁଦ୍ରା ମିଳିଲା ନାହିଁ। ପୋଲିସ ଏହି ଘଟଣାର ତଦନ୍ତ କରିଥିଲେ ହେଁ ଜମିରୁ କିଛି ପାଇନଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।