କ୍ୟାବିନେଟ୍ କମିଟିରେ ଅଶ୍ଵିନୀ, ଜ୍ୟୋତିରାଦିତ୍ୟ ଓ ମନସୁଖ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ସଂପ୍ରସାରଣ ପରେ କ୍ୟାବିନେଟ୍ କମିଟିରେ ମଧ୍ୟ ଅଦଳବଦଳ କରାଯାଇଛି। ସୋମବାର ମନ୍ତ୍ରୀମାନଙ୍କୁ ମିଳିଛି ଅଲଗା ଅଲଗା କ୍ୟାବିନେଟ୍ କମିଟିରେ ସ୍ଥାନ। ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶ୍ଵିନୀ ବୈଷ୍ଣବ, ସର୍ବାନନ୍ଦ ସୋନଓ୍ଵାଲ ଓ ମନସୁଖ ମାଣ୍ଡଭିୟଙ୍କୁ ସ୍ଥାନ ମିଳିଛି। ରାଜନୈତିକ ମାମଲା କ୍ୟାବିନେଟରେ ଭୂପେନ୍ଦ୍ର ଯାଦବ, ସର୍ବାନନ୍ଦ ସୋନଓ୍ଵାଲ ଓ ମନସୁଖ ମାଣ୍ଡଭିୟଙ୍କୁ ସାମିଲ କରାଯାଇଛି। ଗିରିରାଜ ସିଂହ ଓ ସ୍ମୃତି ଇରାନୀ ମଧ୍ୟ ରହିଛନ୍ତି କମିଟିର ସଦସ୍ୟ।

କେନ୍ଦ୍ର ଓ ରାଜ୍ୟ ସରକାର ସଂପର୍କିତ ମାମଲାରେ ଏହି କମିଟିର ଭୂମିକା ଗୁରୁତ୍ଵପୂର୍ଣ୍ଣ। ସେହିପରି ଆର୍ଥିକ ଓ ରାଜନୈତକ ମାମଲା ଉପରେ ନିଷ୍ପତ୍ତି ନେବାରେ କମିଟିର ମତାମତ ଲୋଡ଼ା। ପୁଞ୍ଜି ନିବେଶ ଓ ଅଭିବୃଦ୍ଧି ଉପରେ ନଜର ରଖୁଥିବା କମିଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ନାରାୟଣ ରାଣେ ଓ ଅଶ୍ଵିନୀ ବୈଷ୍ଣବଙ୍କୁ ସାମିଲ୍ କରାଯାଇଛି। ଏଥିସହ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବା ଓ ଅନ୍ୟ କାମ ଉପରେ କମିଟି ରଖେ ନଜର। ୧୦୦୦ କୋଟି କିମ୍ବା ଅଧିକ ପୁଞ୍ଜି ନିବେଶ, ଇନଫ୍ରାଷ୍ଟ୍ରକଚର, ମ୍ୟାନୁଫେକଚରିଂ ଓ ଅନ୍ୟ ମାମଲା ଉପରେ କମିଟି ନିଷ୍ପତ୍ତି ନେଇଥାଏ।

ମୋଦି ସରକାରଙ୍କ ପକ୍ଷରୁ ୨୦୧୯ରେ ନିବେଶ ଓ ଅଭିବୃଦ୍ଧି ଏବଂ ରୋଜଗାର ଓ ଦକ୍ଷତା ବିକାଶ ନାମରେ ଦୁଇଟି ନୂତନ କମିଟି ଗଠନ କରାଯାଇଥିଲା। ଅଶ୍ଵିନୀ ବୈଷ୍ଣବ ଓ ଭୂପେନ୍ଦ୍ର ଯାଦବଙ୍କୁ ରୋଜଗାର ଏବଂ ଦକ୍ଷତା ବିକାଶ ଉପରେ ଗଠିତ କମିଟିରେ ସାମିଲ୍ କରାଯାଇଛି। ସଂସଦୀୟ ମାମଲା କ୍ୟାବିନେଟ୍ କମିଟିରେ ଆଇନ ମନ୍ତ୍ରୀ କିରଣ ରିଜିଜୁ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ସାମାଜିକ ନ୍ୟାୟ ମନ୍ତ୍ରୀ ବୀରେନ୍ଦ୍ର କୁମାର ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ସାମିଲ୍ କରାଯାଇଛି। ଏହି କମିଟି ସଂସଦ ଅଧିବେଶନର କାର୍ଯ୍ୟସୂଚୀ ଓ ଉପସ୍ଥାପନ ହେବାକୁ ଥିବା ବିଧେୟକ ଉପରେ ନିଷ୍ପତ୍ତି ନେଇଥାଏ। କ୍ୟାବିନେଟ୍ ନିଯୁକ୍ତି କମିଟିରେ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ୍ ଶାହ ରହିଥିବା ବେଳେ ଆର୍ଥିକ ମାମଲାର କମିଟିରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ବ୍ୟତୀତ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ନୀତିନ ଗଡକରୀ ଓ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋଏଲ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କମିଟିର ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.