ଲଦାଖ ସେକ୍ଟର୍‌ରେ ଚୀନ୍‌ କ୍ଷେପଣାସ୍ତ୍ରର ମୁକାବିଲା କରିବ ବ୍ରହ୍ମୋସ, ଆକାଶ ଓ ନିର୍ଭୟ

ନୂଆଦିଲ୍ଲୀ : ଚୀନ ଆଡ଼ୁ ବିପଦ ସମ୍ଭାବନା ଥିବାରୁ ଭାରତୀୟ ସେନା ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ପୂର୍ବରୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଟ୍ୟାଙ୍କ ମୁତୟନ କରାଯାଇଥିବା ବେଳେ ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ଲକ୍ଷ୍ୟ ଭେଦ କ୍ଷେପଣାସ୍ତ୍ର ନିର୍ଭୟକୁ ସୀମାରେ ମୁତୟନ କରାଯାଇଛି।

ଲଦାଖ ସଂଘର୍ଷ ପରେ ଚୀନର ‘ପିପୁଲସ୍ ଲିବରେସନ୍ ଆର୍ମି’ର ୱେଷ୍ଟର୍ଣ୍ଣ ଥିଏଟର୍ କମାଣ୍ଡ୍‌ ତିବ୍ବତ ଓ ଜିନ୍‌ଜିଆଙ୍ଗ୍‌ ଅଞ୍ଚଳରେ ୨୦୦୦ କିଲୋମିଟର୍ ଲକ୍ଷ୍ୟଭେଦୀ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହେଉଥିବା ଅସ୍ତ୍ରଶସ୍ତ୍ର ମୁତୟନ କରିଥିବା ଜଣାପଡ଼ିଛି। ଯଦି ପରିସ୍ଥିତି ଅତ୍ୟନ୍ତ ଜଟିଳ ହେଲେ ଭାରତ ମୁତୟନ କରିଥିବା ସୁପର୍‌ସୋନିକ୍ ବ୍ରହ୍ମୋସ, ସବ୍‌ସୋନିକ୍ ନିର୍ଭୟ ଓ ଆକାଶ ଦ୍ଵାରା ସେ ସବୁକୁ ମୁକାବିଲା କରିବ। ଚୀନ୍‌ର ଅସ୍ତ୍ରଶସ୍ତ୍ର ମୁତୟନ କେବଳ ଅଧିକୃତ ଅକ୍ସାଇ ଚୀନ୍ ମଧ୍ୟରେ ସୀମିତ ନୁହେଁ। ୩, ୪୮୮ କିଲୋମିଟର୍ ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାର କାଶଗର୍, ହୋତାନ, ଲାସା ଓ ନିଇଙ୍ଗ୍‌ଚି ଅଞ୍ଚଳରେ ମୁତୟନ କରାଯାଇଛି।

ତିବ୍ବତ ଓ ଜିନ୍‌ଜିଆଙ୍ଗ ବିମାନ ଘାଟି ଏବଂ ଭାରତ ମହାସାଗର ମଧ୍ୟସ୍ଥ ଯୁଦ୍ଧପୋତର ମୁକାବିଲା କରିବ ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ର। ୩୦୦ କିଲୋଗ୍ରାମ ଓଜନର ବିସ୍ଫୋରକ ବହନ କରୁଥିବା ଆକାଶରୁ ଆକାଶକୁ ଓ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଏହି କ୍ଷେପଣାସ୍ତ୍ର ଲଦାଖ ସେକ୍ଟର୍‌ରେ ଯଥେଷ୍ଟ ସଂଖ୍ୟକ ମୁତୟନ କରାଯାଇଛି। ଆବଶ୍ୟକ ପଡ଼ିଲେ ସୁ-୩୦ ଏମ୍‌କେଆଇ ଲଢୁଆ ବିମାନରେ ଆହୁରି ‘ବ୍ରହ୍ମୋସ୍‌’ କ୍ଷେପଣାସ୍ତ୍ର ଯୋଗାଇ ହେବ। କିନ୍ତୁ ସେଠାରେ ସୀମତ ସଂଖ୍ୟକ ନିର୍ଭୟ କ୍ଷେପଣାସ୍ତ୍ର ମୁତୟନ ହୋଇଛି। ଏହା ଭୂପୃଷ୍ଠ ଓ ସମୁଦ୍ରପୃଷ୍ଠ ଦେଇ ୧୦୦୦ କିଲୋମିଟର୍ ପର୍ଯ୍ୟନ୍ତ ଗତି କରି ପାରିବ। ଲକ୍ଷଭେଦ କରିବାକୁ ଭୂପୃଷ୍ଠରୁ ୧୦୦ ରୁ ୪ କିଲୋମିଟର୍ ଉପରକୁ ଉଠି ସମାନ୍ତରଳ ଭାବେ ଗତି କରିପାରିବ।

ଭାରତୀୟ ସେନାର ତୃତୀୟ କ୍ଷେପଣାସ୍ତ୍ରଟି ହେଉଛି ଆକାଶ। ପିପୁଲ୍ସ ଲିବରେସନ୍ ଆର୍ମିର ବିମାନ ଆକ୍ରମଣ ପ୍ରତିହତ କରିବା ଲାଗି ଲଦାଖ ସେକ୍ଟର୍ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଏହାକୁ ‌ଯଥେଷ୍ଟ ସଂଖ୍ୟାରେ ମୁତୟନ କରାଯାଇଛି। ଆକାଶ କ୍ଷେପଣାସ୍ତ୍ରର ବହୁମୁଖୀ ଥ୍ରିଡି ରାଡାର୍ ଏକସଙ୍ଗେ ୬୪ଟି ଲକ୍ଷ୍ୟସ୍ଥଳ ଉପରେ ଦୃଷ୍ଟି ଦେବା ସହିତ ଥରକେ ୧୨ଟି ଲକ୍ଷ୍ୟସ୍ଥଳ ସହ ମୁକାବିଲା କରିପାରିବ।

ମତାମତ ଦିଅନ୍ତୁ ।