ଲଦାକ ସୀମା ବିବାଦ : ତିନୋଟି ପର୍ଯ୍ୟାୟରେ ପଛକୁ ହଟିବେ ସେନା

ନୂଆଦିଲ୍ଲୀ : ପୂର୍ବ ଲଦାକର ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲଏସିକୁ ନେଇ ଭାରତ ଓ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଦୀପାବଳି ପୂର୍ବରୁ ହେବାର ସମ୍ଭାବନା ଦେଖାଦେଇଛି। ଦୁଇ ଦେଶର ସେନା ପଛକୁ ହଟିବା ଓ ଯଥାସ୍ଥିତି ବଜାୟ ରଖିବାକୁ ସହମତ ହୋଇଛନ୍ତି। ତିନୋଟି ପର୍ଯ୍ୟାୟରେ ସୈନ୍ୟ ପ୍ରତ୍ୟାହାର ହେବ। ଏପ୍ରିଲ-ମେ ମାସ ସୁଦ୍ଧା ସେନା ପୂର୍ବ ସ୍ଥିତିକୁ ଫେରିବେ ବୋଲି ଆଲୋଚନା ହୋଇଛି।

ଖବର ଅନୁଯାୟୀ ଭାରତ ଓ ଚୀନ ସୀମା ବିବାଦକୁ ନେଇ ଗତ ସପ୍ତାହରେ ଚୁସୁଲଠାରେ ଅଷ୍ଟମ କୋର କମାଣ୍ଡରସ୍ତରୀୟ ବୈଠକ ହୋଇଥିଲା। ବୈଠକରେ ତିନୋଟି ପର୍ଯ୍ୟାୟରେ ଉଭୟ ପକ୍ଷର ସେନା ନିଜ ସ୍ଥାନକୁ ଫେରିବେ ବୋଲି ସହମତି ପ୍ରକାଶ ପାଇଛି। ସୂତ୍ର ଅନୁଯାୟୀ ପ୍ରଥମେ ପାଙ୍ଗଙ୍ଗ୍‌ ହ୍ରଦ ଇଲାକାରୁ ଟ୍ୟାଙ୍କ ଓ ସୈନିକଙ୍କୁ ପ୍ରତ୍ୟାହାର କରାଯିବ। ଦ୍ଵିତୀୟ ପର୍ଯ୍ୟାୟରେ ଦୁଇ ଦେଶର ସେନା ପାଙ୍ଗଙ୍ଗ୍ ଅଞ୍ଚଳରୁ ପ୍ରତିଦିନ ୩୦ ପ୍ରତିଶତ ସୈନିକଙ୍କୁ ଅପସାରିତ କରିବେ। ଏହି ପ୍ରକ୍ରିୟା ତିନିଦିନ ପର୍ଯ୍ୟନ୍ତ ଜାରି ରହିବ। ଚୀନ ସେନା ଫିଙ୍ଗର ୮ ଅଞ୍ଚଳକୁ ଫେରିଯିବେ ଓ ଭାରତୀୟ ସେନା ନିଜର ଧାନ ସିଂହ ଥାପା ପୋଷ୍ଟକୁ ଫେରି ଆସିବେ। ତୃତୀୟ ପର୍ଯ୍ୟାୟରେ ଭାରତ ଓ ଚୀନର ସେନା ପାଙ୍ଗଙ୍ଗ୍‌ ହ୍ରଦ ଅଞ୍ଚଳର ଦକ୍ଷିଣ ପାର୍ଶ୍ଵ କ୍ଷେତ୍ରରୁ ନିଜର ସୈନିକଙ୍କୁ ହଟାଇବେ। ଉତ୍ତେଜନା ସମୟରେ କବ୍‌ଜା କରାଯାଇଥିବା ଚୁସୁଲ ଓ ରେଜାଙ୍ଗ ଲାର ପାହାଡିଆ ଅଞ୍ଚଳକୁ ମଧ୍ୟ ଖାଲି କରାଯିବ। ଏହି ପ୍ରକ୍ରିୟାକୁ ଦୁଇ ଦେଶର ସେନା ନୀରିକ୍ଷଣ କରିବେ।

ରିପୋର୍ଟ ଅନୁଯାୟୀ ଦୁଇ ଦେଶର ସେନା ପଛକୁ ହଟିବାକୁ ପ୍ରସ୍ତୁତ ହୋଇଛନ୍ତି। କାରଣ ପୂର୍ବ ଲଦାକର ଶିଖରରେ ପ୍ରବଳ ବରଫପାତ ହେଉଛି। ପ୍ରାୟ ୧୫ରୁ ୧୬ ହଜାର ଫୁଟ୍ ଉଚ୍ଚତାରେ ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟୁଛି। ଏହି ପରିସ୍ଥିତି ଦୁଇ ଦେଶର ସେନାଙ୍କ ପାଇଁ ସମସ୍ୟା ବଢାଇଥିବା ବେଳେ ଚୀନ ସେନାଙ୍କ ପାଇଁ ଥଣ୍ଡା ଅସହ୍ୟ ହେଉଥିବାରୁ ବାଧ୍ୟହୋଇ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଛି।

ମତାମତ ଦିଅନ୍ତୁ ।