ଲଦାଖ ସୀମା ବିବାଦ: ଶ୍ରୀନଗର-ଲେହ ରାସ୍ତା ସିଲ୍

ଶ୍ରୀନଗର : ଲଦାଖ ସୀମାରେ ଚୀନ ସେନାର ପୁନର୍ବାର ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରଦେଇଛି ଭାରତୀୟ ସେନା। ଏହି ଘଟଣା ପରେ ସୀମାରେ ପୁଣି ସୃଷ୍ଟି ହୋଇଛି ଉତ୍ତେଜନା ପରିସ୍ଥିତି। ଶ୍ରୀନଗର-ଲେହ ହାଇୱେକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରି ଦିଆଯାଇଛି। କେବଳ ସେନା ଗାଡ଼ି ଚଳାଚଳ ରହିଛି ଅନୁମତି। ସୋମବାର ସକାଳେ ନିଆଯାଇଛି ଏହି ନିଷ୍ପତ୍ତି। ଏହା ବ୍ୟତୀତ ପେଙ୍ଗୋଙ୍ଗ ହ୍ରଦ ନିକଟରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ରକ୍ଷା ମନ୍ତ୍ରଣାଳୟ ଦ୍ଵାରା ଜାରି ବୟାନ ମୁତାବକ ଅଗଷ୍ଟ ୨୯-୩୦ ରାତିରେ ଚୀନ ସେନା ପୂର୍ବ ଲଦାଖରେ ପେଙ୍ଗୋଙ୍ଗ୍ ହ୍ରଦ ପାଖରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଦୁଇ ଦେଶର ସେନାଙ୍କ ମଧ୍ୟରେ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ଭାଙ୍ଗିବାକୁ ଉଦ୍ୟମ କରାଯାଇଥିଲା। ତେଣୁ ଲଦାଖ ସୀମାରେ ଭାରତ ପକ୍ଷରୁ ସୁରକ୍ଷା ବଢ଼ାଇ ଦିଆଯାଇଥିବା ବେଳେ ଦୁଇଦେଶ ମଧ୍ୟରେ ବ୍ରିଗେଡ କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଛି।

ଅନ୍ୟପକ୍ଷରେ ଚୀନ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିଆନ୍ କହିଛନ୍ତି ଚୀନ୍ ସୀମାନ୍ତ ସୈନିକମାନେ ସର୍ବଦା ବାସ୍ତବ ନିୟନ୍ତ୍ରଣ ରେଖା ନୀତିର ଅନୁପାଳନ କରନ୍ତି। ପାଙ୍ଗୋଙ୍ଗ୍ ସୋ ହ୍ରଦର ଦକ୍ଷିଣ କୂଳରେ ଚୀନ୍‌ର ସଶସ୍ତ୍ର ସୈନିକମାନେ ଅକାରଣରେ ସାମରିକ କାର୍ଯ୍ୟକଳାପ କରିଛନ୍ତି ବୋଲି ଭାରତୀୟ ସେନା ଦେଇଥିବା ମନ୍ତବ୍ୟକୁ ସେ ଖଣ୍ଡନ କରିଛନ୍ତି।

ମତାମତ ଦିଅନ୍ତୁ ।