ଲକଡାଉନ ସମୟରେ ଏସବୁ ବନ୍ଦ ରହିବ

ଭୁବନେଶ୍ଵର : ଓଡିଶାରେ ବଢୁଥିବା କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ମେ’ ୫ରୁ ୧୯ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଘୋଷଣା କରିଛନ୍ତି।

ରବିବାର ହୋଇଥିବା ଘୋଷଣା ଅନୁଯାୟୀ ଏହି ୧୪ ଦିନିଆ ଲକଡଉନ ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ୍ ଚଳାଚଳ ବନ୍ଦ ରହିବ। ଟ୍ୟାକ୍ସି, ଅଟୋ, ସାଇକେଲ ଓ ରିକ୍ସା ଚଳାଚଳ କରିବ ନାହିଁ। ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଯାତାୟାତ ବନ୍ଦ କରାଯାଇଛି।

ସେହିପରି କଟକଣା ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର ବନ୍ଦ। ପ୍ରଦର୍ଶନୀ, ମେଳା ଓ ବ୍ୟବସାୟ ଭିତ୍ତିକ ମିଟିଂ ହୋଇପାରିବନି। ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ, ଜିମ୍, ଯାତ୍ରା, ଅପେରା ଓ ଖୋଲାମଞ୍ଚ ସଂପୂର୍ଣ୍ଣ ବନ୍ଦ ରହିବ। ସେଲୁନ, ପାର୍ଲର ଓ ସ୍ପା ବନ୍ଦ ରହିବା ସହିତ ସାମାଜିକ, ଧାର୍ମିକ, କ୍ରୀଡ଼ା ଓ ରାଜନୈତିକ ସମାବେଶ ହୋଇପାରିବନି।

ବିବାହ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ପଡିବ। ବିବାହରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ। ଶୁଦ୍ଧି କାର୍ଯ୍ୟରେ କେବଳ ୨୦ ଜଣଙ୍କୁ ମିଳିବ ଅନୁମତି। ଲକଡାଉନ ସମୟରେ ଜରୁରୀ ସେବା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। ହସ୍ପିଟାଲ, ନର୍ସିଂହୋମ ଓ ଔଷଧ ଦୋକାନ ଖୋଲା ରହିବ। ରାସନ ଦୋକାନ, ଗ୍ରୋସରୀ, ଫଳ, ମାଛ, ମାଂସ, ଅଣ୍ଡା ଓ କ୍ଷୀର ଦୋକାନ ଖୋଲା ରହିବ। ସୋମବାରରୁ ଶୁକ୍ରବାର ସକାଳ ୬ରୁ ୧୨ ଯାଏ ଏସବୁ ଖୋଲା।

ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଯା’ଆସ କରିବାକୁ ଅନୁମତି ଦିଆଯାଇଛି। ଛାପା, ବୈଦ୍ୟୁତିକ ଗଣମାଧ୍ୟମ, ୱେବ୍‌ ମିଡିଆର କର୍ମଚାରୀମାନେ ଅଫିସ୍ ଯିବା ଆସିବା କରିପାରିବେ। ପେଟ୍ରୋଲ ପମ୍ପ ଖୋଲା ରହିବ। ରନ୍ଧନ ଗ୍ୟାସ୍ ଯୋଗାଣକୁ ଅନୁମତି ମିଳିଛି। ସେହିପରି ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ।

ଲକଡାଉନ ବେଳେ ନିର୍ବାଚନ ସଂପର୍କିତ କାର୍ଯ୍ୟକୁ ଅନୁମତି ରହିଛି। ନିର୍ବାଚନ ସଂପର୍କିତ କାର୍ଯ୍ୟରେ ସଟ୍‌ ଡାଉନ ଓ ଲକ୍‌ ଡାଉନ୍‌ ଲାଗୁ ହେବ ନାହିଁ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଲୋକେ ଯିବା ଆସିବା କରିପାରିବେ। ଟ୍ରେନିଂ ଓ ପୋଲିଂ ସେଣ୍ଟର ଯିବାକୁ ଅଧିକାରୀଙ୍କୁ ଅନୁମତି ମିଳିବ। ପ୍ରାର୍ଥୀ, ଅଫିସର, ପୋଲିଂ ଓ କାଉଣ୍ଟିଂ ଏଜେଣ୍ଟଙ୍କୁ ମଧ୍ୟ ଯିବା ଆସିବାକୁ ଅନୁମତି ମିଳିବ।

Leave a Reply

Your email address will not be published. Required fields are marked *

Back to top button