ଯୋଗୀ ମୁଖ୍ୟମନ୍ତ୍ରୀ ପଦ ଛାଡି ମନ୍ଦିରକୁ ଫେରି ଯାଆନ୍ତୁ: ଓମ୍ ପ୍ରକାଶ

ନୂଆଦିଲ୍ଲୀ : ସୁହେଲଦେବ ଭାରତୀୟ ସମାଜ ପାର୍ଟିର ସଭାପତି ଓମ ପ୍ରକାଶ ରାଜଭର ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଡା ଟିପ୍ପଣୀ ଦେଇଛନ୍ତି ।ଏବଂ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ମନ୍ଦିରକୁ ଫେରିଯିବା ଉଚିତ ବୋଲି କହିଛନ୍ତି । ବାଲିଆର ଫେଫନା ଅଞ୍ଚଳର ପିପରା କାଲା ଗ୍ରାମରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସୁହେଲଦେବ ଭାରତୀୟ ସମାଜ ଦଳର ସଭାପତି ତଥା ପୂର୍ବତନ ମନ୍ତ୍ରୀ ରାଜଭର ଯୋଗୀ ସରକାରଙ୍କୁ ଏଭଳି  ସମାଲୋଚନା କରିଥିଲେ ।

ନିକଟରେ କସଗଞ୍ଜରେ ଘଟିଥିବା ଘଟଣା ସମ୍ପର୍କରେ ସେ ଅଭିଯୋଗ କରିଛନ୍ତି ଯେ ଶାସକ ଦଳର ନେତାଙ୍କ ଦ୍ବାରା ଅପରାଧୀଙ୍କ ସୁରକ୍ଷା ହେତୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଉଛି । ଯୋଗୀ ରାଜ୍ୟରେ ଅପରାଧକୁ ରୋକିବାରେ ବିଫଳ ବୋଲି ପ୍ରମାଣିତ ହୋଇଛି । ନିକଟରେ କାସଗଞ୍ଜରେ ମଦ ମାଫିଆଙ୍କ ଦ୍ୱାରା ହୋଇଥିବା ମର୍ମନ୍ତୁଦ ଆକ୍ରମଣରେ ଜଣେ କନଷ୍ଟେବଳ ଗୁରୁତର ଆହତ ହୋଇଥିଲେ ଏବଂ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିଲା । ଯୋଗୀ ସରକାରଙ୍କ ଅଧୀନରେ ପୋଲିସ ନିଜେ ସୁରକ୍ଷିତ ନଥିବାବେଳେ,  ପୋଲିସ କିଭଳି ଜନସାଧାରଣଙ୍କୁ ସୁରକ୍ଷା ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି ।  ଏଭଳି ପରିସ୍ଥିତିରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ମୁଖ୍ୟମନ୍ତ୍ରୀ ରହିବାର କୌଣସି ନୈତିକ ଅଧିକାର ନାହିଁ ଏବଂ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ମନ୍ଦିରକୁ ଫେରିବା ଉଚିତ୍ ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ଓମପ୍ରକାଶ ରାଜଭର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନାମରେ ୧୪୦୦ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଥିବା କହିଥିଲେ । ରାମ ମନ୍ଦିର ନାମରେ ନିର୍ବାଚନ ପାଇଁ ବିଜେପି ପାଣ୍ଠି ସଂଗ୍ରହ କରୁଛି ବୋଲି ସେ ଅଭିଯୋଗ କରିଥିଲେ । ରାଜଭାର କହିଥିଲେ ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତିଦିନ ୧୦୦-୧୦୦ କୋଟି ଟଙ୍କା ମିଳୁଛି । ଖାଲି ସେତିକି ନୁହେଁ, ମନ୍ଦିର ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ? ମନ୍ଦିର ନିର୍ମାଣ ନାଁରେ ୧୪ ଶହ କୋଟି ଟଙ୍କା ଠକେଇ କରାଯାଇଛି ଏବଂ ରାମମନ୍ଦିର ନାମରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପାଣ୍ଠି ସଂଗ୍ରହ କରୁଛି ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *

Back to top button