ଲେବାନନ ପ୍ରଧାନମନ୍ତ୍ରୀଙ୍କ ସମେତ ପୂରା କ୍ୟାବିନେଟ୍‌ର ଇସ୍ତଫା

ନୂଆଦିଲ୍ଲୀ : ବେରୁଟ ବିସ୍ଫୋରଣ ପରେ ଲେବାନନ ସରକାର ଜନତାଙ୍କ ଆକ୍ରୋଶ ଶିକାର ହୋଇଥିଲା। ଘଟଣାର ଏକ ସପ୍ତାହ ପରେ ପ୍ରଧାନମନ୍ତ୍ରୀ ସମେତ ପୂରା କ୍ୟାବିନେଟ୍‌ ସୋମବାର ରାତିରେ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ହସନ ଦିୟାବ ଦେଶକୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି।

ଖବର ଅନୁଯାୟୀ ବିସ୍ଫୋରଣ ପରଠାରୁ ଦେଶରେ ସରକାର ବିରୋଧୀ ପ୍ରଦର୍ଶନ ଜାରି ରହିଥିବା ବେଳେ ସରକାରଙ୍କ ଇସ୍ତଫା ଦାବି ହେଉଥିଲା। ରବିବାର ବେରୁଟରେ ଲୋକେ ସଂସଦ ନିକଟସ୍ଥ ମାର୍ଗକୁ ବନ୍ଦ କରିବା ସହିତ ସହିଦ ଛକରେ ପ୍ରାୟ ୧୦ ହଜାର ଲୋକ ରୁଣ୍ଡ ହୋଇଥିଲେ। ଏହି ସମୟରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଲୋକେ ପଥରମାଡ କରିବାରୁ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଶେଷରେ ଜନତାଙ୍କ ଆକ୍ରୋଶ ଆଗରେ ସରକାର ମୁଣ୍ଡ ନୁଆଁଇଛନ୍ତି। ଏହା ପୂର୍ବରୁ ଚାରିଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ।

ଅନ୍ୟପକ୍ଷରେ ବିବିସି ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି। ବହୁ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ କର୍ମଚାରୀ ରହିଥିବା ବେଳେ ଆହତଙ୍କ ସଂଖ୍ୟା ୭୦୦୦କୁ ଟପି ଯାଇଥିବା ବିବିସି ରିପୋର୍ଟରେ କୁହାଯାଇଛି।

ମତାମତ ଦିଅନ୍ତୁ ।