ଲେଖାଶ୍ରୀଙ୍କ ବିବାଦୀୟ ବୟାନ : ସମ୍ବିତ ପାତ୍ର କହିଲେ ପୁରୀ ପାଇଁ ପରିଚୟ ପାଇଛି

ଭୁବନେଶ୍ୱର : ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପୁରୀ ଓ ଶ୍ରୀଜଗନ୍ନାଥଙ୍କ ଉପରେ ଦେଇଥିବା ବୟାନ ରାଜ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ରାଜନୈତିକ ଦଳଠାରୁ ଆରମ୍ଭ କରି ପ୍ରାୟ ସବୁ ସ୍ତରରେ ପ୍ରକାଶ ପାଇଛି ପ୍ରତିକ୍ରିୟା। ପ୍ରତିବାଦର ସ୍ୱର ଉଠିଛି। କେବଳ ଲେଖାଶ୍ରୀ ନୁହଁନ୍ତି ଏହି ପ୍ରସଙ୍ଗରେ ଲୋକେ ବିଜେପିକୁ ମଧ୍ୟ ସମାଲୋଚନା କରୁଛନ୍ତି। ସୋସିଆଲ ମିଡିଆରେ ଦେଖାଦେଇଛି ସେମାନଙ୍କ ଆକ୍ରୋଶ। ଏହା ଦେଖିବା ପରେ ବିଜେପି ନେତା ସମ୍ବିତ ପାତ୍ର ଏକ ଭିଡ଼ିଓ ଜାରି କରି କହିଛନ୍ତି ପୁରୀ ପାଇଁ ମୁଁ ପରିଚିତ ହୋଇଛି। ପୁରୀରୁ ନିର୍ବାଚନ ଲଢିବା ପରେ ମୋତେ ଲୋକେ ଚିହ୍ନିଲେ। ଲୋକଙ୍କ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ସମ୍ବିତ ଏହି ଉଦ୍ୟମ କରିଛନ୍ତି। କିନ୍ତୁ ତାଙ୍କ ଦଳର କୁହାଳିଆ ନେତାମାନେ ଚୁପ ରହିଥିବାରୁ ଲେଖାଶ୍ରୀ ମନ୍ତବ୍ୟକୁ ସେମାନେ ସମର୍ଥନ କରୁଥିବା ମନେ ହେଉଛି। ଯାହା ଦଳ ପାଇଁ କ୍ଷତିକାରକ ହୋଇପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଲେଖାଶ୍ରୀ ଶ୍ରୀକ୍ଷେତ୍ରକୁ ନେଇ ବିବାଦୀୟ ବୟାନ ଦେଉଥିବାରୁ ଜଗନ୍ନାଥପ୍ରେମୀ ପ୍ରତିକ୍ରିୟାଶୀଳ ହୋଇଥିଲେ। ଲେଖାଶ୍ରୀ ଓ ସମ୍ବିତଙ୍କ କୁଶପୁତ୍ତଳିକା ଦାହ କରାଯିବା ସହିତ ଗିରଫ କରିବାକୁ ଦାବି ଉଠିଥିଲା। କିନ୍ତୁ ଭିଡିଓ ବାର୍ତ୍ତାରେ ସମ୍ବିତ ଲେଖାଶ୍ରୀଙ୍କ ବୟାନକୁ ନିନ୍ଦା ନକରି ପୁରୀ ପାଇଁ ସେ ପରିଚୟ ପାଇଥିବା କହିଛନ୍ତି। ଯାହା ବିବାଦରୁ ନିଜକୁ ଦୂରେଇବାର ପ୍ରୟାସ। ଏପରି ଭିଡିଓ ବାର୍ତ୍ତାର କାରଣ ହେଲା ଆଗକୁ ଆସୁଛି ପିପିଲି ଉପନିର୍ବାଚନ। ବିଜେଡି ଓ କଂଗ୍ରେସ ଲେଖାଶ୍ରୀଙ୍କ ବିବାଦୀୟ ବୟାନକୁ ନିଶ୍ଚିତ ପ୍ରସଙ୍ଗ କରିବେ। ଯାହା ବିଜେପି ଓ ସମ୍ବିତଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ। ତେଣୁ ନିଜକୁ ବିବାଦମୁକ୍ତ ବୋଲି ପରିଚୟ ଦେବାକୁ ସେ ଦିଲ୍ଲୀରୁ ଭିଡ଼ିଓ ବାର୍ତ୍ତା ଜାରିକରି ମତ ରଖିଥିବା ଚର୍ଚ୍ଚା ହେଉଛି।

ମତାମତ ଦିଅନ୍ତୁ ।