‘ଲିଭ୍‌ ଇନ୍‌’ରେ ରହିପାରିବେ ସାବାଳକ ଦମ୍ପତ୍ତି

ନୂଆଦିଲ୍ଲୀ : ‘ଲିଭ୍‌ ଇନ୍‌ ରିଲେସନସିପ୍‌’କୁ ନେଇ ପଞ୍ଜାବ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ପୁରୁଷ ସାଥୀଙ୍କର ବିବାହ ଯୋଗ୍ୟ ବୟସ ହୋଇନାହିଁ ବୋଲି ଜଣେ ସାବାଳକ ଦମ୍ପତିଙ୍କ ଏକାଠି ରହିବାର ଅଧିକାରକୁ ଅସ୍ୱୀକାର କରାଯାଇ ପାରିବ ନାହିଁ।

‘ଲିଭ୍‌ ଇନ୍‌ ରିଲେସନସିପ୍‌’ରେ ଏକତ୍ର ରହୁଥିବା ମହିଳା ସାଥୀଙ୍କ ବୟସ ୨୦ ବର୍ଷ ଓ ପୁରୁଷ ସାଥୀଙ୍କ ବୟସ ୧୯ ବର୍ଷ। ଏହା ଜାଣିବା ପରେ ପୁରୁଷ ସାଥୀର ପିତାମାତା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ପୁରୁଷ ସାଥୀର ବିବାହ ଯୋଗ୍ୟ ବୟସ ହୋଇ ନଥିବାରୁ ସେମାନଙ୍କୁ ଅଲଗା କରିବାକୁ କୋର୍ଟଙ୍କୁ ନିବେଦନ କରିଥିଲେ।

ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଅଲ୍‌କା ସରିନ ଏହି ମାମଲାର ଶୁଣାଣି କରି କହିଛନ୍ତି ସାବାଳକ ଦମ୍ପତି ଆଇନର ସୀମା ମଧ୍ୟରେ ନିଜ ଇଚ୍ଛା ଅନୁସାରେ ଜୀବନ ବଞ୍ଚିବାର ସମସ୍ତ ଅଧିକାର ସେମାନଙ୍କର ଅଛି। ଜଣେ ସାବାଳକ ବ୍ୟକ୍ତି କିପରି ନିଜ ଜୀବନ ବଞ୍ଚିବା ଉଚିତ ତାହା ସମାଜ ସ୍ଥିର କରିପାରିବ ନାହିଁ। ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନର ଅଧିକାର ଗ୍ୟାରେଣ୍ଟି ଦେଇଥାଏ। ଜଣଙ୍କର ସାଥୀ ବାଛିବା ସ୍ୱାଧୀନତା ହେଉଛି ଜୀବନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ବର୍ତ୍ତମାନର ପରିସ୍ଥିତିରେ ଜଣେ ଝିିଅର ପିତାମାତା ନିର୍ଦ୍ଦେର୍ଶ ଦେଇ ପାରିବେ ନାହିଁ ସେ ବୟସ୍କ ହେବା ପରଠାରୁ କିପରି ଓ କାହା ସହିତ ଜୀବନ ବିତାଇବା ଉଚିତ। ଅଭିଭାବକମାନେ ଏକ ଶିଶୁକୁ ସେମାନଙ୍କ ସର୍ତ୍ତ ଅନୁଯାୟୀ ଜୀବନଯାପନ କରିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି ଜଷ୍ଟିସ୍‌ ସରିନ୍‌ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ମତାମତ ଦିଅନ୍ତୁ ।