ମଦ ପିଇଲେ କମିବ କରୋନା ଟିକାର ପ୍ରଭାବ

ଲଣ୍ଡନ : ମହାମାରୀ କରୋନା ଭାଇରସ ବିଶ୍ଵରେ ଆତଙ୍କ ବାତାବରଣ ସୃଷ୍ଟି କରିଥିଲା। ଏହି ପରିସ୍ଥତିରେ ସୁଧାର ଆସିଛି। ଭୟ ଦୂର କରିଛି କରୋନା ଟିକା। ଏବେ ଲୋକଙ୍କୁ ମିଳିଛି ଆଶ୍ଵସ୍ତି। ପ୍ରାୟ ୨୦ଟି ଦେଶରେ ପ୍ରସ୍ତୁତ ଟିକାକୁ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। କେତେକ ଦେଶରେ ଜରୁରୀକାଳୀନ ବ୍ୟବହାର ଆରମ୍ଭ ହୋଇଛି। ହେଲେ ବିଶେଷଜ୍ଞ କହୁଛନ୍ତି କରୋନା ଟିକା ନେବାକୁ ଚାହୁଁଥିଲେ ମଦ ଠାରୁ ଦୁରେଇବାକୁ ପଡିବ। କାରଣ ମଦ ସେବନ ଦ୍ଵାରା ଶରୀରର ପ୍ରତିରୋଧକ ଶକ୍ତି କମିଥାଏ। ତେଣୁ ମଦ ସେବନ କଲେ ଭ୍ୟାକସିନର ପ୍ରଭାବ କମିବାର ସମ୍ଭାବନା ରହିଛି।

ମେଡ଼ିସିନ ସ୍ପେସାଲିଷ୍ଟ ଡ. ରଙ୍କ ଇଖାରିୟା ମଦ ପିଇବା ପୂର୍ବରୁ ଓ ପରେ ରକ୍ତ ନମୁନା ସଂଗ୍ରହ କରି ପରକ୍ଷା କରିଥିଲେ। ଏଥିରୁ ଜଣାପଡିଛି ୩ ଗ୍ଲାସ ମଦର ପ୍ରଭାବରେ ଲିମ୍ଫୋସାଇଟ୍ ସଂଖ୍ୟା ୫୦ ପ୍ରତିଶତ ହ୍ରାସ ପାଇଥିଲା। ସାଧାରଣତଃ ହ୍ୱାଇଟ୍ ବ୍ଲଡ୍ ସେଲ୍ସରେ ୨୦ ରୁ ୪୦ ପ୍ରତିଶତ ଲିମ୍ଫୋସାଇଟ୍ ରହିଥାଏ। ସେହିପରି ମଦ ପିଇବା ଦ୍ଵାରା ଶରୀରକୁ ହାନିକାରକ ବ୍ୟାକ୍ଟେରିଆ ଓ ଭାଇରସରୁ ରକ୍ଷା କରୁଥିବା ଅଣୁଜୀବ ଉପରେ ପ୍ରଭାବ ପଡୁଛି। ରକ୍ତରେ ଥିବା ହ୍ୱାଇଟ ବ୍ଲଡ଼ ସେଲ୍ସ ହେଉଛି କ୍ଷତିଗ୍ରସ୍ତ। କାରଣ ଭାଇରସ୍ ବିରୋଧରେ ଲଢ଼ିବାକୁ ଆଣ୍ଟିବଡ଼ି ପ୍ରସ୍ତୁତ କରିଥାଏ ହ୍ୱାଇଟ୍ ବ୍ଲଡ୍ ସେଲ୍ସରେ ଥିବା ଲିମ୍ଫୋସାଇଟ୍। ସେଥିପାଇଁ ଲୋକଙ୍କୁ ଅପିଲ କରାଯାଇଛି କୋଭିଡ୍ ଭ୍ୟାକସିନ୍ ନେବା ସମୟରେ ମଦ ଠାରୁ ଦୁରେଇ ରୁହନ୍ତୁ। ଋଷ ବୈଜ୍ଞାନିକ ଆଲେକ୍ସଜାଣ୍ଡାର୍ ଜିନ୍ସବର୍ଗଙ୍କ କହିବାନୁଯାୟୀ କରୋନା ଭ୍ୟାକସିନ ନେବା ୩ ଦିନ ପୂର୍ବରୁ ଓ ପରେ ମଦ ସେବନ ଅନୁଚିତ। ଏପରିକି କିଛି ପରୀକ୍ଷାରେ ଦୁଇମାସ ଯାଏଁ ମଦ ନ ପିଇବାକୁ ପରାମର୍ଶ ଦିଆଯାଇଛି।

ମତାମତ ଦିଅନ୍ତୁ ।