ମଧ୍ୟାହ୍ନ ଭୋଜନ ଭତ୍ତା ପାଇବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଲାଗୁ ହେଉଛି। ବନ୍ଦ ରହିଛି ସ୍କୁଲ। କିନ୍ତୁ ଏହି ସମୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଭତ୍ତା ମିଳିବ। ଜୁନ୍ ୧୪ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ୫୭ ଦିନର ମଧ୍ୟାହ୍ନ ଭୋଜନ ଭତ୍ତା ଦିଆଯିବ। ସ୍କୁଲରେ ଗଚ୍ଛିତ ଥିବା ଚାଉଳ ସେମାନଙ୍କୁ ଦିଆଯିବ ସହିତ ରନ୍ଧା ଖର୍ଚ୍ଚ ବାବଦ ଅର୍ଥ ଅଭିଭାବକଙ୍କ ଆକାଉଣ୍ଟକୁ ପଠାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟ ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସରଙ୍କୁ ଚିଠି ଲେଖିଥିବା ଜଣାପଡିଛି।

ଗଣଶିକ୍ଷା ବିଭାଗ ଲେଖିଥିବା ଚିଠି ଅନୁଯାୟୀ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଏହି ଚାଉଳ ପ୍ରଦାନ କରିବେ। ଯେଉଁଠି ଚାଉଳ ନଥିବ ବା କମ୍‌ ଥିବ ସେଠାରେ ଛାତ୍ରଛାତ୍ରୀଙ୍କୁ କୁପନ ମିଳିବ। ସେମାନେ ଏହି କୁପନ ଦେଖାଇ ପିଡିଏସ୍‌ ସେଣ୍ଟରରୁ ଚାଉଳ ନେଇପାରିବେ। ଏହାଛଡା ଯେଉଁ ସ୍କୁଲରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଚାଲିଛି। ସେହି ସ୍କୁଲର ପ୍ରଧାନଶିକ୍ଷକ କେନ୍ଦ୍ରକୁ ମଧ୍ୟାହ୍ନ ଭୋଜନ ଚାଉଳ କେଜି ୩୨ ଟଙ୍କା ଦରରେ ବିକି ପାରିବେ। ଚାଉଳ ବିକ୍ରି ଲବ୍ଧ ଅର୍ଥ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଶିକ୍ଷକମାନେ ଜମା କରିବେ ବୋଲି ଚିଠିରେ ନିର୍ଦ୍ଦେଶ ରହିଛି।

ମତାମତ ଦିଅନ୍ତୁ ।