ମଧ୍ୟସ୍ଥି ଲୁଟିଲା ଟଙ୍କା ଓ ମୋବାଇଲ

ବଳଙ୍ଗା : ଝିଅ ଦେଖାଇବାକୁ ଡାକି ମଧ୍ୟସ୍ଥି ଲୁଟିଲା ଟଙ୍କା ଓ ମୋବାଇଲ। ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ନିମାପଡ଼ା ଥାନା ଅନ୍ତର୍ଗତ ଅମୁଣିଆ ପାଟଣା ଗ୍ରାମର ଶେଷଦେବ ସାହୁ ବଳଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ଗୋପ ବଜାରର ଦେଶରଂଜନ ପାତ୍ର ତାଙ୍କ ଘରକୁ ଅନେକ ସମୟରେ ଆସନ୍ତି। ବିଭିନ୍ନ କଥା ଆଲୋଚନା ବେଳେ ସେ ପ୍ରତିଶ୍ରୁତି ଦେଇଥିଲେ ଶେଷଦେବଙ୍କ ଶାଳକଙ୍କ ବିବାହ ପାଇଁ ଝିଅ ଠିକ୍‌ କରିଦେବେ।

ଦୁଇଦିନ ତଳେ ଝିଅ ଠିକ୍‌ ହୋଇଥିବା କହି ଦେଶରଂଜନ ତାଙ୍କୁ ମଧ୍ୟାହ୍ନ ସମୟରେ ବଳଙ୍ଗା ଡକାଇଥିଲେ। ଶେଷଦେବ ବଳଙ୍ଗା ପୂର୍ବରୁ ବାୟାବର ଛକରେ ପହଞ୍ଚିବା ପରେ ଦେଶରଂଜନ ତାଙ୍କୁ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ। ଥଣ୍ଡା ପିଇବାର ମାତ୍ର ୧୦ ମିନିଟ୍‌ ମଧ୍ୟରେ ଶେଷଦେବଙ୍କ ମୁଣ୍ଡ ବୁଲାଇବା ସହ ରାସ୍ତାଘାଟ ଅନ୍ଧାର ଦେଖାଯାଇଥିଲା। ସେ କିଛି ଜାଣିପାରିନଥିଲେ। ଏହି ସୁଯୋଗରେ ଦେଶରଂଜନ ଶେଷଦେବଙ୍କ ପ୍ୟାଣ୍ଟ ପକେଟରୁ ୨୪ହଜାର ଟଙ୍କା ଓ ୨ଟି ଦାମୀ ମୋବାଇଲ ନେଇ ଫେରାର ହୋଇଯାଇଥିଲା। ଦୀର୍ଘ ଦୁଇଘଣ୍ଟା ପରେ ଶେଷଦେବ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ଘରକୁ ଫେରି ବଡ଼ଭାଇଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଦେଶରଂଜନଙ୍କୁ ମୋବାଇଲରେ ଯୋଗଯୋଗ ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ମୋବାଇଲ ସୁଇଚ ଅଫ୍ ଥିବାରୁ ଯୋଗଯୋଗ ସମ୍ଭବ ହେଲାନାହିଁ। ତେଣୁ ସେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଅଭିଯୋଗ ପାଇବା ପରେ ବଳଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।