ମହାଜ୍ଞାନୀମାନଙ୍କ ଅଜ୍ଞାନତା

॥ ଗୋପାଳ ମହାପାତ୍ର ॥ ଭାରତ ଏକଦା ବିଶ୍ୱଗୁରୁ ଥିଲା ବୋଲି କୁହାଯାଏ। ବିଶ୍ୱଗୁରୁ ଭାରତର ଶିଷ୍ୟ ଦେଶ କିଏ ସବୁଥିଲେ ସେ ବାବଦରେ କିଛି ତଥ୍ୟ ବା ସଠିକ୍ କଥା ନାହିଁ। କିନ୍ତୁ ଭାରତ ବିଶ୍ୱଗୁରୁ ଥିଲା, କିଛି ବର୍ଷ ଭିତରେ ପୁନର୍ବାର ବିଶ୍ୱଗୁରୁ ହେବାକୁ ଯାଉଛି ବୋଲି ଅନେକ ନେତା ତାଙ୍କ ଭାଷଣ ପ୍ରସଙ୍ଗରେ କହିଛନ୍ତି ଓ କହୁଛନ୍ତି ମଧ୍ୟ। ଗତ କିଛିବର୍ଷ ହେବ କିଛି ନେତା, ଚିନ୍ତକ ଓ ଲେଖକମାନେ କହିବାରେ ଓ ଲେଖିବାରେ ଲାଗିଛନ୍ତି ଯେ ଭାରତ ବିଶ୍ୱଗୁରୁ ହେବାକୁ ଯାଉଛି। ଭାରତବାସୀଙ୍କ ପାଇଁ ଏହା ଗର୍ବର ବିଷୟ ନିଶ୍ଚୟ। ହେଲେ ଯେଉଁ ନେତାମାନେ ଭାରତକୁ ବିଶ୍ୱଗୁରୁ ହେବା କଥା ଜନତାଙ୍କୁ କହୁଛନ୍ତି ସେମାନଙ୍କ ମହାଜ୍ଞାନ ବିଷୟରେ ଦେଶର ଜନତା ଜାଣିବା ଜରୁରୀ। ଯେଉଁମାନଙ୍କ ଉପରେ ଭାରତକୁ ବିଶ୍ୱଗୁରୁ କରିବାର ଦାୟୀତ୍ୱ ରହିଛି ସେମାନଙ୍କର ବିଜ୍ଞାନ ଓ ଇତିହାସ ବାବଦରେ କେତେ ଜ୍ଞାନ ରହିଛି ସେ ବାବଦରେ ଜାଣିବା ପାଇଁ ଉଦ୍ୟମ ହେବା ଆବଶ୍ୟକ।

ପ୍ରଥମେ ହିନ୍ଦୁ ହୃଦୟର ସମ୍ରାଟ ବୋଲି କୁହାଯାଉଥିବା ଆମ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଗାଧ ଜ୍ଞାନ ସମ୍ପର୍କରେ ଜାଣିବା। ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର କିଛି ଏମିତି ଅଂଶ ଏଠାରେ ଅବତାରଣା କରାଯାଉଛି। ଯାହାର ସିଧାସଳଖ ସମ୍ପର୍କ ଆମ ଦେଶର ଭବିଷ୍ୟତ ଅର୍ଥାତ୍ ଛାତ୍ରମାନଙ୍କ ସହ ରହିଛି। ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କୁ ତାଙ୍କ ‘ମନ୍ କି ବାତ୍‌’ରେ ଅନେକ କଥା କହିଥାନ୍ତି। ସରକାରଙ୍କ ପକ୍ଷରୁ ମଧ୍ୟ ଅନେକବାର ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତକୁ ସ୍କୁଲରେ ପିଲାମାନଙ୍କୁ ଶୁଣାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏହାର ଅର୍ଥ ହେଉଛି ପ୍ରଧାନମନ୍ତ୍ରୀଙ୍କର ନିଜ ଉପରେ ସମ୍ପୂର୍ଣ୍ଣ ଭରଷା ରହିଛି ଯେ, ସେ ଜଣେ ଗୁରୁ, ଅଧ୍ୟାପକ, ମାର୍ଗଦର୍ଶକ ବା ପ୍ରେରଣାଦାୟକ ଭାବରେ ଦେଶର ଭବିଷ୍ୟତ ବା ଛାତ୍ରମାନଙ୍କୁ ମାର୍ଗଦର୍ଶନ ଦେଇପାରିବେ। କେବଳ ଆମ ଦେଶର ଛାତ୍ରଛାତ୍ରୀମାନଙ୍କୁ ନୁହେଁ ବରଂ ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ଓ ରାଷ୍ଟ୍ରୀୟ ଆନ୍ତର୍ଜାତୀୟ ମଞ୍ଚରେ ଦେଶ ଏବଂ ଦୁନିଆକୁ ସମ୍ବୋଧିତ କରି ନିଜର ଜ୍ଞାନ ଦେଶ ଦୁନିଆକୁ ବାଣ୍ଟୁଛନ୍ତି। କିନ୍ତୁ କେତେକ ସମୟରେ ଆମ ପ୍ରଧାନମନ୍ତ୍ରୀ ଜାଣତରେ ହେଉ ବା ଅଜାଣତରେ ଏମିତି କିଛି କଥା କହି ଦେଉଛନ୍ତି ଯାହା ସତ୍ୟ ଠାରୁ ବହୁ ଦୂରରେ। ବିଜ୍ଞାନ ଓ ଇତିହାସ ସହ ତା’ର ମେଳ ଖାଉନାହିଁ। ଏଣୁ ଛାତ୍ର ବା ଜନସାଧାରଣ ଭ୍ରମିତ ହେବେ ବା ହେଉଥିବେ ନିଶ୍ଚୟ।

ଉଦାହରଣ ହେଉଛି ଆମେରିକାରେ ଏକ ଭାଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କୋଣାର୍କର ୭୦୦ବର୍ଷ ପ୍ରାଚୀନ ସୂର୍ଯ୍ୟମନ୍ଦିରକୁ ୨୦୦୦ବର୍ଷର ପ୍ରାଚୀନ ବୋଲି କହିଥିଲେ। ତେବେ କାହା କଥା ସତ ? ଇତିହାସର ନା ପ୍ରଧାନମନ୍ତ୍ରୀଙ୍କ କଥା ? ଆଉ ଏକ ଭାଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତକ୍ଷଶିଳା ବିହାରରେ ଥିବା କଥା କହିଥିଲେ। କିନ୍ତୁ ତକ୍ଷଶିଳା ଏବେ ପାକିସ୍ଥାନର ପଞ୍ଜାବ ଅଞ୍ଚଳରେ ରହିଛି। ଦେଶର ଛାତ୍ର ଓ ଯୁବକମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଦେଶ ସ୍ୱାଧୀନ ହେବା ସମୟରେ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ସମାନ ଥିଲା। କିନ୍ତୁ ତଥ୍ୟ ଅନୁସାରେ ସେ ସମୟରେ ଏକ ଟଙ୍କାର ମୂଲ୍ୟ ୩୦ ସେଣ୍ଟ ପାଖାପାଖି ଥିଲା ଓ ଏକ ଟଙ୍କା ଏକ ପାଉଣ୍ଡ ସହ ସମାନ ଥିଲା। ସେହିଭଳି ଚନ୍ଦ୍ରଗୁପ୍ତଙ୍କ ରାଜନୀତି ସମ୍ପର୍କରେ କହିବା ବେଳେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଗୁପ୍ତଙ୍କ ଶାସନକାଳ ଗୁପ୍ତ ସମ୍ରାଜ୍ୟ ବୋଲି କହିଥିଲେ। କିନ୍ତୁ ସେ ଯେଉଁ ଚନ୍ଦ୍ରଗୁପ୍ତ ଓ ତାଙ୍କ ଶାସନକାଳ କଥା କହୁଥିଲେ ତାହା ମୌର୍ଯ୍ୟ ବଂଶର ଥିଲା। ଚନ୍ଦ୍ରଗୁପ୍ତ ଗୁପ୍ତ ସାମ୍ରାଜ୍ୟର ଶାସକ ଥିଲେ ବୋଲି ଇତିହାସରେ କେଉଁଠି ଲେଖା ନାହିଁ।

ସେହିପରି ୨୦୧୪ ଫେବୃୟାରୀ ମାସରେ ମିରଟ ଠାରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ସ୍ୱାଧୀନତାର ପ୍ରଥମ ଲଢେଇ କଂଗ୍ରେସ ମିରଟରୁ ୧୮୫୭ରେ ଆରମ୍ଭ କରିଥିଲା ବୋଲି କହିଥିଲେ। କିନ୍ତୁ କଂଗ୍ରେସ ପାର୍ଟିର ସ୍ଥାପନା ୧୮୮୫ରେ ହୋଇଥିଲା। ଆଉ ଏକ ନିର୍ବାଚନୀ ସଭାରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ସିକନ୍ଦର (ଆଲୋକଜାଣ୍ଡର)ଙ୍କ ସେନା ସାରା ବିଶ୍ୱକୁ ଜିଣିଥିଲେ। କିନ୍ତୁ ଯେତେବେଳେ ବିହାରରେ ପହଞ୍ଚିଥିଲେ ଓ ବିହାରୀମାନଙ୍କ ସହ ଲଢେଇ କରିଥିଲେ ସେତେବେଳେ ହାରିଯାଇଥିଲେ। କିନ୍ତୁ ଇତିହାସରେ ସିକନ୍ଦର କେବେ ବିହାର ଆସିଥିବା କଥା ଉଲ୍ଲେଖ ନାହିଁ। ତେବେ କାହା କଥାକୁ ଗ୍ରହଣ କରାଯିବ। ଇତିହାସ ନା ପ୍ରଧାନମନ୍ତ୍ରୀଙ୍କ କଥାକୁ ?

ପାକିସ୍ଥାନର ବାଲାକୋଟ୍‌ରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ ପରେ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଥିଲେ “ସେ ଦିନ ମୁଁ ଦିନ ସାରା ବ୍ୟସ୍ତ ଥିଲି ରାତି ୯ଟା ବେଳେ ରିଭ୍ୟୁ (ଏୟାର ଷ୍ଟ୍ରାଇକର ପ୍ରସ୍ତୁତିର) କରିଥିଲି। ପୁଣି ୧୨ଟା ବେଳେ ରିଭ୍ୟୁ କରିଥିଲି। ଆମ ସମ୍ମୁଖରେ ସମସ୍ୟା ଥିଲା। ସେ ସମୟର ପାଣିପାଗ ଅଚାନକ ଖରାପ ହୋଇ ଯାଇଥିଲା। ବହୁତ ବର୍ଷା ହୋଇଥିଲା। ବିଶେଷଜ୍ଞ ଷ୍ଟ୍ରାଇକର ତାରିଖ ପରିବର୍ତ୍ତନ ପାଇଁ ଚାହୁଁଥିଲେ। କିନ୍ତୁ ମୁଁ କହିଥିଲି ଏତେ ମେଘ ଅଛି ଓ ବର୍ଷା ହେଉଛି ତେଣୁ ଏହାର ଫାଇଦା ହେଉଛି ପାକିସ୍ଥାନ ରାଡ଼ାର ଆମ ବିଷୟରେ ଜାଣିପାରିବ ନାହିଁ। ସମସ୍ତେ ଦ୍ୱନ୍ଦ୍ୱରେ ଥିଲେ କ’ଣ କରାଯିବ। ସେତେବେଳେ ମୁଁ କହିଲି ମେଘ ଅଛି ଷ୍ଟ୍ରାଇକ ଆରମ୍ଭ କର- ଆଉ ସେମାନେ (ସେନା) ଷ୍ଟ୍ରାଇକ ଆରମ୍ଭ କରିଦେଲେଲା”। ପ୍ରଧାନମନ୍ତ୍ରୀଙ୍କ ବୟାନ ପୁରା ବିଜ୍ଞାନ ଜଗତକୁ ଚକିତ କରିଦେବା ଭଳି ନିଶ୍ଚୟ। ସେତେବେଳେ ଅନେକ ବିଶେଷଜ୍ଞ ତର୍ଜମା ଆରମ୍ଭ କରିଦେଲେ ମେଘ ଥିଲେ ରାଡ଼ାର କାମ କରେ ନା ନାହିଁ ? ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଯେ ବାଲାକୋଟ ଆକ୍ରମଣ ଘଟଣାରେ ବାୟୁସେନାକୁ ବିଶେଷ ଭାବେ ଆକାଶରେ ମେଘ ଛାଇ ହୋଇ ରହିଥିବାର ଲାଭ ମିଳିଥିଲା ଓ ମେଘ ଯୋଗୁଁ ବାୟୁସେନାର ମିରାଜ ବିମାନକୁ ପାକିସ୍ଥାନ ରାଡ଼ାର ଦେଖି ପାରି ନଥିଲା। ଯେଉଁଥିପାଇଁ ବାଲାକୋଟ ଆକ୍ରମଣ (ଏୟାର-ଷ୍ଟ୍ରାଇକ) ସଫଳ ହୋଇଥିଲା। କିନ୍ତୁ ବୈଜ୍ଞାନିକମାନଙ୍କ ମତ ହେଉଛି ରାଡ଼ାର ସବୁ ପାଗରେ କାମ କରେ। ଏହାର ସୂକ୍ଷ୍ମ ତରଙ୍ଗ ଦ୍ୱାରା ଧାର୍ଯ୍ୟ ସୀମାରେ ଆସୁଥିବା ଯେକୌଣସି ବିମାନ ବାବଦରେ ସୂଚନା ପାଇପାରେ। ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ବୈଜ୍ଞାନିକ ଓ ଟେକିନିକାଲ୍ କାରଣରୁ ଭୁଲ୍ ନିଶ୍ଚୟ। କିନ୍ତୁ ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସର ସହ ଏଭଳି କଥା ସବୁ କହୁଛନ୍ତି। ଏହା ଜ୍ଞାନ ବା ଅଜ୍ଞାନତା ?

ପ୍ରଧାନମନ୍ତ୍ରୀଙ୍କ ଭଳି ତାଙ୍କ ଦଳର ଅନେକ ନେତା ମଧ୍ୟ ଏଭଳି କଥା କହୁଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରଓତ ଭାରତକୁ ୨୦୦ବର୍ଷ ପର୍ଯ୍ୟନ୍ତ ଆମେରିକା ଶାସନ କରୁଥିଲା ବୋଲି କହିଥିଲେ। ଏ କଥା ଶୁଣିବା ପରେ ଉତ୍ତରାଖଣ୍ଡ ଓ ଦେଶର ଜନସାଧାରଣ ତାଙ୍କୁ ଶିକ୍ଷିତ ଓ ସଂସ୍କାରିତ ବୋଲି ଭାବିଥିବେ ତ ? ଚୀନ ସେନା ଲଦାଖ ଅଞ୍ଚଳରେ ଅନୁପ୍ରବେଶ କରିବା ପାଇଁ କରିଥିବା ଉଦ୍ୟମ ଓ ଚୀନ -ଭାରତ ସେନା ମୁହାଁମୁହିଁ ହୋଇଥିବାବେଳେ ସଂଘର ଜଣେ ନେତା ଭାରତୀୟ ସୀମାରୁ ଚୀନସେନାକୁ ଘଉଡ଼ାଇବା ପାଇଁ ମନ୍ତ୍ର ଓ ଶ୍ଳୋକ ପଢିବା ପାଇଁ ପରାମର୍ଶ ଦେଇଥିଲେ। ଏବେ ଦେଶରେ ଏଭଳି ଜ୍ଞାନୀ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏମାନେ ଦେଶର ଲୋକଙ୍କୁ ଜ୍ଞାନ ବାଣ୍ଟି ଚାଲିଛନ୍ତି। କ’ଣ ଏଭଳି ମହାଜ୍ଞାନୀମାନଙ୍କର ଜ୍ଞାନ ଭାରତକୁ ବିଶ୍ୱ ଗୁରୁ କରାଇପାରିବ ?

ରାମଚନ୍ଦ୍ରପୁର, ରଣପୁର
୯୪୩୮୪୮୫୦୯୪

Leave a Reply

Your email address will not be published. Required fields are marked *

Back to top button