ମହାମାରୀ ବେଳେ ଏନଜିଓମାନେ ଗଲେ କୁଆଡ଼େ ?

॥ ଗୋପାଳ ମହାପାତ୍ର ॥ କରୋନା ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି। ସରକାରଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନେକ ସଂସ୍ଥା ହାତ ବଢାଇଛନ୍ତି। କିନ୍ତୁ ଏହି ସମୟରେ ଏନସିସି ଓ ଏନଏସଏସ କେଉଁଠି ଲୁଚିଯାଇଛି। ଏମାନଙ୍କ ପାଇଁ ସରକାର ହଜାର ହଜାର କୋଟି ଟଙ୍କା ବାର୍ଷିକ ବ୍ୟୟ କରିଥାନ୍ତି ଏବଂ ସରକାରୀ ନିଯୁକ୍ତିବେଳେ ଏମାନଙ୍କୁ ଏକଷ୍ଟ୍ରାମାର୍କ ଦିଆଯାଇଥାଏ। କିନ୍ତୁ ଏବେ ସେମାନଙ୍କ ସେବା ଦେଶ ଚାହୁଁଥିବା ବେଳେ ସେମାନେ କେଉଁଠି ? ଅନ୍ୟପକ୍ଷରେ ସରକାରଙ୍କ ଠାରୁ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ନେଉଥିବା ପଞ୍ଜିକୃତ ସ୍ୱେଚ୍ଛାସେବୀ ସଂଗଠନ (ଏନଜିଓ) ମାନଙ୍କର ଏ ଦୁର୍ଦ୍ଦଶା ସମୟରେ ଦର୍ଶନ ମିଳୁନାହିଁ। ଦେଶର ଏଭଳି ସଙ୍କଟ ସମୟରେ ସ୍ୱେଚ୍ଛାସେବୀ ସଂଗଠନମାନେ ଆଗେଇ ଆସିଲେ କରୋନା ବିରୁଦ୍ଧରେ ଲଢ଼େଇ ଆହୁରି ଜୋରଦାର ହୋଇପାରନ୍ତା। ଦେଶରେ ଏବେ ଯେତିକି ପଞ୍ଜିକୃତ ସ୍ୱେଚ୍ଛାସେବୀ ସଂଗଠନ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧା ସଂଗଠନ ଯଦି ଅଣ୍ଟା ଭିଡ଼ନ୍ତେ ତେବେ ମଧ୍ୟ କରୋନାକୁ ସାମ୍ନା କରିବା ସହଜ ହୋଇପଡ଼ନ୍ତା।

ପ୍ରାକୃତିକ ତଥା କୃତ୍ରିମ ଆପଦ ବିପଦ ବେଳେ ଏନଜିଓ (ସ୍ୱେଚ୍ଛାସେବୀ ସଂଗଠନ) ମାନଙ୍କର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୁଏ। ଏପରିକି ଏମାନଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠେ। ପ୍ରଶାସନକୁ ଏଥିପାଇଁ ସମାଲୋଚନା ମଧ୍ୟ କରାଯାଏ। କାରଣ କେଉଁ କାରଣ ପାଇଁଏହି ସଂସ୍ଥାମାନଙ୍କୁ କୋଟିକୋଟି ଟଙ୍କା ପ୍ରତିବର୍ଷ ଦିଆଯାଏ ଉତ୍ତର ମଧ୍ୟ ସ୍ପଷ୍ଟ। ଅନେକ ଏନଜିଓଙ୍କ ପଛରେ ରାଜନୀତିଜ୍ଞ ବା ବଡ଼ବଡ଼ ଲୋକଙ୍କର ହାତ ରହିଛି। ଏଇଥିପାଇଁ ସରକାର ବଜେଟରେ ଏମାନଙ୍କ ପାଇଁ ହଜାର ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥାନ୍ତି। ଏମାନଙ୍କ ବିରୁଦ୍ଧରେ ଅଭିଯୋଗର ଫର୍ଦ୍ଦ ଲମ୍ବା। ଦେଶରେ ଯେତେସବୁ ଏନଜିଓ ଅଛନ୍ତି ସେମାନେ ଉଚ୍ଚ ମୂଲ୍ୟବୋଧ ସ୍ଥାପନ କରିବା, ସେବା ଓ ପରୋପକାର କରିବା ଭଳି ଆଦର୍ଶ କଥା କହି ପଞ୍ଜିକୃତ ହୋଇଛନ୍ତି। ସରକାରଙ୍କ ଠାରୁ ସହାୟତା ପାଉଛନ୍ତି। କିନ୍ତୁ ପ୍ରକୃତ ପକ୍ଷେ ଏମାନେ କରୁଛନ୍ତି କ’ଣ ? ସରକାରୀ ଅର୍ଥକୁ ହଡପ କରି ନିଜ ସ୍ୱାର୍ଥ ସାଧନ କରୁଥିବା କଥା ମଧ୍ୟ ଅଭିଯୋଗ ହେଉଛି। ଏମାନଙ୍କ କାର୍ଯ୍ୟକଳାପ ଉପରେ ବିଶ୍ଳେଷଣ କରିବା ତଥା ଏମାନଙ୍କ ଦୃଷ୍ଟିଭଙ୍ଗୀ ବାବଦରେ ଲୋକଙ୍କୁ ଅବଗତ କରାଇବାର ସମୟ ଆସିଛି।

ଦେଶ ସ୍ୱାଧୀନ ହେବା ପରଠାରୁ ସ୍ୱେଚ୍ଛାସେବୀ ସଂଗଠନ (ଏନଜିଓ) ମାନେ ଦେଶର ଅବହେଳିତ ଲୋକଙ୍କୁ ସହାୟତା କରିବା ଏବଂ ଲୋକଙ୍କ ସାମାଜିକ-ଆର୍ଥିକ ସ୍ଥିତିକୁ ସୁଧାରିବା ଦିଗରେ କାର୍ଯ୍ୟ କରିଆସୁଛି ବୋଲି କୁହାଯାଉଛି। ଦେଶରେ ଏବେ ୩୩ଲକ୍ଷ ଏନଜିଓ ପଞ୍ଜିକୃତ ହୋଇଛନ୍ତି। ଏହି ସଂଗଠନମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସହାୟତା ଯୋଗାଇ ଦେଉଛନ୍ତି। ଏହି ସଂଗଠନମାନଙ୍କ ମଧ୍ୟରୁ ଅନେକ ମଧ୍ୟ ବିଦେଶରୁ ସହାୟତା ପାଉଛନ୍ତି। କିନ୍ତୁ ଅନେକ ସଂଗଠନ ଠିକ୍ ଭାବେ ଆୟକର ରିଟର୍ଣ୍ଣ ଦାଖଲ କରୁନାହାଁନ୍ତି। ଏମାନଙ୍କ ଠାରୁ ଆୟବ୍ୟୟରେ ହିସାବ ନେବା ପାଇଁ କେହି ନାହାଁନ୍ତି। ଓଡ଼ିଶା ଓ ଅନ୍ୟ କେତେକ ରାଜ୍ୟରେ ଏନଜିଓମାନେ ଆଜୀବିକା, ସାମୁଦାୟିକ ସଂଗଠନ ଓ ସାମୁଦାୟିକ ସମ୍ପତ୍ତି ନିର୍ମାଣ ପାଇଁ ସରକାରଙ୍କ ଠାରୁର ସହାୟତା ନେଉଛନ୍ତି। କିନ୍ତୁ ଆପଦବିପଦ ବିଶେଷ କରି ବର୍ତ୍ତମାନ ଦେଶରେ ଦେଖାଦେଇଥିବା ସଙ୍କଟ ସମୟରେ ଏମାନେ ସାମିଲ ନହେବା ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ସ୍ୱେଚ୍ଛାସେବୀ ସଂଗଠନମାନେ କ’ଣ ପ୍ରକୃତରେ ଲୋକଙ୍କ ସେବା କରିବାକୁ ଚାହାଁନ୍ତି ନା କେବଳ ସରକାରୀ ସହାୟତା ପାଇଁ କାମ କରନ୍ତି ସେ କଥାକୁ ନେଇ ତର୍ଜମା କରାଯିବା ଆବଶ୍ୟକ।

କେନ୍ଦ୍ର ସରକାରଙ୍କ ଗୁଇନ୍ଦା ସଂସ୍ଥାର ରିପୋର୍ଟ କହୁଛି ଅନେକ ଏନଜିଓଙ୍କ କାର୍ଯ୍ୟକଳାପ ରାଷ୍ଟ୍ର ପାଇଁ କ୍ଷତିକାରକ। ସାର୍ବଜନିକ ହିତକୁ ପ୍ରଭାବିତ କରିପାରେ। ଏପରିକି ଦେଶର ସୁରକ୍ଷା, ବୈଜ୍ଞାନିକ ଏପରିକି ଆର୍ଥିକ ହିତ ଉପରେ ପ୍ରତିକୂଳ ପ୍ରଭାବ ପକାଇ ପାରେ। ରିପୋର୍ଟରେ କୁହାଯାଇଛି ବିଦେଶୀ ସହାୟତା ପ୍ରାପ୍ତ ଅନେକ ଏନଜିଓ ଦେଶରେ ବିଚ୍ଛିନ୍ନତାବାଦ ଓ ମାଓବାଦକୁ ପ୍ରୋତ୍ସାହିତ କରୁଛନ୍ତି। ଅନେକ ଅର୍ଥ ଧର୍ମାନ୍ତରଣ, ବିଶେଷ କରି ଆଦିବାସୀମାନଙ୍କୁ ଖ୍ରୀଷ୍ଟିଆନ କରିବା ପାଇଁ ଖର୍ଚ୍ଚ କରାଯାଉଛି। ଅନେକ ଏନଜିଓ ପରମାଣୁ ଶକ୍ତି ଉତ୍ପାଦନ କେନ୍ଦ୍ର ଓ ଖନନ କାର୍ଯ୍ୟକୁ ବିରୋଧ କରୁଛନ୍ତି। ଏସବୁ ପରେ ମଧ୍ୟ ହାତ ଗଣତି କିଛି ଏନଜିଓ କରୋନା ସମୟରେ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି।
ଦେଶରେ ସ୍ୱେଚ୍ଛାସେବୀ ସଂଗଠନ ରହିବା ଆବଶ୍ୟକ। କିନ୍ତୁ ଏମାନେ ନିଜ କାମ ସାଧୁତା, ପାରଦର୍ଶିତା ସେବା ଭାବନା ନେଇ କରିବା ଉଚିତ। ଏଠି ଆଉ ଏକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କିମାରେ। ପ୍ରଶ୍ନଟି ହେଉଛି ଦେଶ ସ୍ୱାଧୀନ ହେବା ପରଠାରୁ ଏନଜିଓମାନେ କେତେ ଟଙ୍କା ନେଇଛନ୍ତି ଓ କ’ଣ ସବୁ କାମ କରିଛନ୍ତି ? ଯଦି ସେମାନେ ପାଇଥିବା ସରକାରୀ ଅର୍ଥର କିଛି ଭାଗ ଲୋକଙ୍କ ସେବାରେ ବିନିଯୋଗ କରିଥାନ୍ତେ ତେବେ ଏ ଦେଶ ଆଜି ସୁନାର ଦେଶ ପାଲଟି ଯାଇଥାନ୍ତା ବୋଲି ଅନେକଙ୍କ ମତ। ବର୍ତ୍ତମାନର କରୋନା ସମୟରେ କେଉଁ କେଉଁ ଏନଜିଓ କାର୍ଯ୍ୟ କରୁଛନ୍ତି ସେ ବାବଦରେ ସରକାରଙ୍କ ପାଖରେ କିଛି ତଥ୍ୟ ଅଛି କି ? ଉତ୍ତର ହେଉଛି ବୋଧହୁଏ ନାହିଁ।

ଏନଜିଓ ମାନଙ୍କର ଭୂମିକା ରହିଛି ଓ ରହିବ କିନ୍ତୁ ଏମାନେ ଏମାନଙ୍କ ଉଦ୍ଦେଶ୍ୟ ଅନୁରୂପ କାର୍ଯ୍ୟ କରୁଛନ୍ତି କି ନାହିଁ ସେ କଥା ଦେଖିବା ସରକାରଙ୍କ ଦାୟିତ୍ୱ। ଜନତାଙ୍କ ଟିକସ ପ୍ରଦତ୍ତ ଅର୍ଥକୁ ସରକାର ସେଇ ଜନତାଙ୍କ ସେବା ପାଇଁ ଏନଜିଓ ମାନଙ୍କୁ ଦେଇଥାନ୍ତି। ଏଣୁ ସେମାନେ ଠିକ୍ ଭାବରେ କାମ କରୁଛନ୍ତି ନା ନାହିଁ ସେ କଥା ଦେଖିବାର ଦାୟିତ୍ୱ ମଧ୍ୟ ସରକାରଙ୍କର। ସରକାର ଓ ଏନଜିଓମାନେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ। ଜଣେ ଅନ୍ୟର ପୁରକ ଭୂମିକା ନିର୍ବାହ କରିବା ଦରକାର। ବର୍ତ୍ତମାନ ସମୟରେ ଏନଜିଓମାନେ ଆଗେଇ ଆସିବା ଉଚିତ ଅନ୍ୟଥା ଆଗାମୀ ଦିନରେ ସେମାନଙ୍କ କାର୍ଯ୍ୟକଳାପକୁ ନେଇ ଅନେକ ପ୍ରଶ୍ନ ଉଠିବ।

Leave a Reply

Your email address will not be published. Required fields are marked *

Back to top button