ମହାରାଷ୍ଟ୍ର ରାଜନୀତି : ଦେବେନ୍ଦ୍ର ଫଡନବିସଙ୍କୁ ଭେଟିଲେ ଶିବସେନାର ସଂଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ର ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ସାକ୍ଷାତ କରିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ। ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କୁହାଯାଉଛି ଏହା କ’ଣ ଏନଡିଏ ମେଣ୍ଟକୁ ଫେରିବା ପାଇଁ ଶିବସେନାର ଉଦ୍ୟମ।

କେନ୍ଦ୍ର ସରକାରଙ୍କ କୃଷି ବିଲ ବିରୋଧରେ ସ୍ଵର ଉତ୍ତୋଳନ କରି ଏନଡିଏ ଠାରୁ ପୁରୁଣା ସହଯୋଗୀ ପଞ୍ଜାବର ଅକାଳୀ ଦଳ ଦୂରେଇ ଯାଇଛି। ଏପରି ସମୟରେ ଫଡନବିସଙ୍କ ସହ ସଂଜୟ ରାଉତଙ୍କ ସାକ୍ଷାତକୁ ଗୁରୁତ୍ଵ ଦିଆଯାଉଛି। ସୁଶାନ୍ତ ସିଂ ରାଜପୁତ୍ ହତ୍ୟା ମାମଲା, ବଲିଉଡରେ ଡ୍ରଗ୍ସ କାରବାର ଓ କଙ୍ଗନା ରଣାୱତଙ୍କ କୋଠା ଭାଙ୍ଗିବା ଆଦି ଘଟଣାରେ ମହାରାଷ୍ଟ୍ର ସରକାର ଅଡୁଆ ପରିସ୍ଥିତିର ସାମନା କରୁଛନ୍ତି। ବିଜେପି ଏସବୁ ମାମଲାରେ ଉଦ୍ଧବ ଠାକରେ ସରକାରକୁ ଟାର୍ଗେଟ କରୁଛି। ଫଳରେ ମହାରାଷ୍ଟ୍ର ସରକାରଙ୍କ ପାଇଁ ସମସ୍ୟା ବଢିଚାଲିଛି। ଏସବୁ ଭିତରେ ଫଡନବିସଙ୍କୁ ସଂଜୟ ରାୱତ ସାକ୍ଷାତ କରିବା ପଛରେ କିଛି କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ସଂଜୟ କହିଛନ୍ତି ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି। କାହାକୁ ଭେଟିବା ଅପରାଧ ନୁହେଁ। ତେବେ ସାମନା ପତ୍ରିକା ପାଇଁ ସାକ୍ଷାତକାର ନେବାକୁ ଫଡନବିସଙ୍କୁ ସେ ଭେଟିଥିବା ସଫେଇ ଦେଇଛନ୍ତି। କିନ୍ତୁ ଉଭୟଙ୍କର ଏହି ଭେଟଘାଟ ଜାତୀୟ ରାଜନୀତିରେ ଅଙ୍କ ବଦଳାଇଦେବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।