ମାଲିକଙ୍କ ଘରୁ ଟଙ୍କା ଓ ସୁନା ଲୁଟିଥିବା ଶାଶୁ-ବୋହୂ ଧରାପଡ଼ିଲେ

ଭୁବନେଶ୍ୱର : ମାଲିକଙ୍କ ଘରୁ ଟଙ୍କା ଓ ସୁନା ଗହଣା ଓ ଚୋରି ଅଭିଯୋଗରେ ନୂଆପଲ୍ଲୀ ପୋଲିସ ଶାଶୁ-ବୋହୂଙ୍କୁ ଗିରଫ କରିଛି। ଏ ଦୁହେଁ ହେଲେ ସାଲିଆସାହି ଆଦିବାସୀ ଗାଁରେ ରହୁଥିବା ଚିଲିକା ଦିଘଲ ଓରଫ ଚିନୁ ଦାସ ଓ ତାଙ୍କ ଶାଶୁ ମନିକା ଦାସ। ସେମାନଙ୍କ ନିକଟରୁ ୯୮ ହଜାର ଟଙ୍କା ଜବତ କରାଯାଇଛି। କିନ୍ତୁ ପ୍ରାୟ ୧୦ ଭରି ସୁନା ଅଳଙ୍କାର ନେଇ ଚିନୁଙ୍କ ସ୍ୱାମୀ କାହ୍ନୁ ଫେରାର୍‌ ହୋଇଯାଇଥିବାରୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।

ଖବର ଅନୁଯାୟୀ ନୂଆପଲ୍ଲୀ ଆଇଆର୍‌ସି ଭିଲେଜ ଏନ୍‌/୨-୧୫୩ରେ ରହନ୍ତି ସତପାଲ ଗୁଗୁନାନିଙ୍କ ପରିବାର। ଗତ ୮ ତାରିଖ ସକାଳେ ସତପାଲ ଓ ପତ୍ନୀ ଅର୍ଚ୍ଚନା ମର୍ଣ୍ଣିଂୱାକ୍‌ରେ ଯାଇଥିଲେ। ସେ ଜଣେ କର୍କଟ ରୋଗୀ ହୋଇଥିବାରୁ ୮ଟାରେ ଘରକୁ ଆସି ମେଡିକାଲ ଚେକ୍‌ଅପ୍‌ ପାଇଁ ହସ୍ପିଟାଲ ପଳାଇଥିଲେ। ଚେକ୍‌ଅପ୍‌ ପରେ ଫେରିଥିଲେ। ସନ୍ଧ୍ୟାରେ ପରିବା କିଣିବା ପାଇଁ ଟଙ୍କା ଆବଶ୍ୟକ ପଡ଼ିବାରୁ ଅର୍ଚ୍ଚନା ଆଲମିରା ଖୋଲି ଦେଖିଲେ ଲକର ଭଙ୍ଗା ଯାଇଛି। ସେଥିରେ ଥିବା ୧୦ ଭରି ସୁନା ଅଳଙ୍କାର ଓ ୨ରୁ ୩ ଲକ୍ଷ ଟଙ୍କା ଚୋରି ହୋଇଯାଇଛି। ଏହି ଘଟଣା ପାଇଁ ନାଇଟ୍‌ ୱାଚ୍‌ମ୍ୟାନ୍‌, ଚାକରାଣୀ ଚିନୁ ଓ ତାଙ୍କ ସ୍ୱାମୀ କାହ୍ନୁଙ୍କ ଉପରେ ସନ୍ଦେହ ହେବାରୁ ସତପାଲ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଆଦିବାସୀ ଗାଁରେ ଚଢ଼ଉ କରି ଚିନୁ ଓ ତାଙ୍କ ଶାଶୁ ମନିକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମତାମତ ଦିଅନ୍ତୁ ।